ଆଜିଠୁ ପୁରୀରେ ବିଜୁ ଯୁବ-ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ: ଗୁରୁମନ୍ତ୍ର ଦେବେ ୧୦ରୁ ଅଧିକ ମନ୍ତ୍ରୀ, ବିଧାୟକ

ଯୋଗଦେବେ ୩୧୪ ବ୍ଲକର କର୍ମକର୍ତ୍ତା

ଆଜିଠୁ ପୁରୀରେ ବିଜୁ ଯୁବ-ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ: ଗୁରୁମନ୍ତ୍ର ଦେବେ ୧୦ରୁ ଅଧିକ ମନ୍ତ୍ରୀ, ବିଧାୟକ

ପୁରୀ : ଆଜି (ଅକ୍ଟୋବର ୨୬)ଠାରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ପୁରୀ ବାଲିଘାଇସ୍ଥିତ ମିଲ୍‌କ ସିଟିଠାରେ ଅନୁଷ୍ଠିତ ହେବ। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ସଭାପତି, ସଂପାଦକ, କର୍ମକର୍ତ୍ତାଙ୍କ ସହ ରାଜ୍ୟର ୩୧୪ ବ୍ଲକ୍‌, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାପତି, କାର୍ଯ୍ୟକର୍ତ୍ତା ଯୋଗଦେବେ। ରାଜ୍ୟର ବହୁ ମନ୍ତ୍ରୀ, ନେତାମାନେ ଯୋଗଦେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ୨୬ ତାରିଖ ସଂଧ୍ୟାରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ହେଟେଲ ହଲିଡେ ରିଟର୍ସଠାରେ ଆଜି ଏକ ସାମ୍ବାଦିକ ସମ୍ମିଳୀନରେ ସୂଚନା ଦେଇ ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି ଯେ ଅକ୍ଟୋବର ୨୬ ଓ ୨୭, ଦୁଇଦିନ ଧରି ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ୨୬ ତାରିଖରେ ବିଜୁ ଯୁବ ଜନତା ଦଳର ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ରାଜ୍ୟର ରାଜ୍ୟସ୍ତରୀୟ ଯୁବ ନେତାଙ୍କ ସହ ୩୧୪ ବ୍ଲକ୍‌ର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଯୋଗଦେବ‌େ। ଏଥିରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ବଡମ୍ବା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ସେହିଭଳି ଅକ୍ଟୋବର ୨୭ରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ଏଥିରେ ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସୀମର ରଂଜନ ଦାଶ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ପିପିଲି ବିଧାୟକ ରୁତ୍ରପ୍ରତାପ ମହାରଥୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଜେଡି ନେତା ମହେଶ୍ବର ମହାନ୍ତି ପ୍ରମୁଖ ଯୋଗଦେବେ। ତୃଣମୂଳସ୍ତରରରୁ ଦଳକୁ ଆହୁରି ସୁଦୃଢ଼ କରିବା ଏହି ପ୍ରଶିକ୍ଷଣର ମୂଳ ଲକ୍ଷ୍ୟ ରହିବ। ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଯେଭଳି ଗାଁ ଗାଁରେ ପହଞ୍ଚିବ, ସେ ଉପରେ ଗୁରୁତ୍ବ ଦିଆଯିବ। ଇତିମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ୪୬ହଜାରରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ ସରିଛି। ଡିସେମ୍ବର ଭିତରେ ୫୦ହଜାରରୁ ଅଧିକ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ରାୟ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ବାଙ୍କି ବିଧାୟକ ଦେବୀରଂଜନ ତ୍ରିପାଠୀ କହିଥିଲେ ଯେ ଏହି ପ୍ରଶିକ୍ଷଣରେ ଆଇଟିକୁ ବି ଗୁରୁତ୍ବ ଦିଆଯିବ। ସୋସିଆଲ୍‌ ମିଡିଆରେ ପ୍ରଚାରପ୍ରଚାରକୁ ବି ପ୍ରାଧାନ୍ୟ ଦିଆଯିବ। ଆଇଟି ସେଲ୍‌ ଦାୟିତ୍ବରେ ଥିବା କର୍ମକର୍ତ୍ତାମାନେ ବି ଏହି ପ୍ରଶିକ୍ଷଣରେ ଯୋଗେଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଶୁଭାଶିଷ ଖୁଣ୍ଟିଆ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଂପାଦକ ଷ୍ଟାର୍ଲିନ ପରିଜା, ଜିଲ୍ଲା ଯୁବ ଜନତା ଦଳ ସଭାପତି ନାରାୟଣ ସ୍ବାଇଁ, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ରାଜେଶ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe