ବାଲେଶ୍ବର/ନୀଳଗିରି: ସ୍ବାଧୀନତାର ୬୦ ବର୍ଷ ପର୍ଯ୍ୟନ୍ତ ଦେଶର ଇତିହାସରେ ପ୍ରଥମ ଗୃହମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଗୌଣକରି ରଖାଯାଇଥିଲା। ଦେଶର ସ୍ବାଧୀନତା, ଅଖଣ୍ଡତାରେ ଅବଦାନ ରଖିଥିବା ମହାମନୀଷିଙ୍କୁ ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଥୋଚିତ ସମ୍ମାନ ଦେଇ ଆସୁଛନ୍ତି। ସର୍ଦ୍ଦାର ପଟେଲଙ୍କର ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ସହିତ ପଦଯାତ୍ରା କରାଇ ଆସୁଛନ୍ତି। ଏହା ସାଧାରଣ ପଦଯାତ୍ରା ନୁହେଁ; ଦେଶର ଅଖଣ୍ଡତା, ଏକତା ପ୍ରତି ସାମୂହିକ ପ୍ରତିଶ୍ରୁତିର ନିଦର୍ଶନ। ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀରେ ବାଲେଶ୍ବର ଜିଲ୍ଲା ନୀଳଗିରି ପୁଲିସ ପଡ଼ିଆଠାରେ ରାଜ୍ୟସ୍ତରୀୟ ଏକତା ପଦଯାତ୍ରାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ନୀଳଗିରିରୁ ମିତ୍ରପୁର ପର୍ଯ୍ୟନ୍ତ ୧୦ କିମି ପଦଯାତ୍ରା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୧ କିମି ଚାଲିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ବାଧୀନତା ପରେ ୫୬୪ଟି ଗଡ଼ଜାତ ରାଜ୍ୟକୁ ମିଶ୍ରଣ କରି ଅଖଣ୍ଡ ଭାରତ ଗଠନରେ ପ୍ରମୁଖ ଭୂମିକା ନେଇଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ।
ଲୌହମାନବଙ୍କ ସ୍ମୃତିଚାରଣ କଲେ
ନୀଳଗିରିର ପ୍ରଜା ଆନ୍ଦୋଳନ ଓଡ଼ିଶାରେ ଅଦ୍ବିତୀୟ
ଏ ଦେଶ ସର୍ଦ୍ଦାର ପଟେଲଙ୍କ ନିକଟରେ ଚିରଋଣୀ ହୋଇ ରହିବ। ନୀଳଗିରି ହେଉଛି ଗଣତନ୍ତ୍ରର ସ୍ପନ୍ଦନ। ଏଠାକାର ପ୍ରଜା ଆନ୍ଦୋଳନ ଓଡ଼ିଶାରେ ଅଦ୍ବିତୀୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀଳଗିରିର ସ୍ବାଧୀନତା ସଂଗ୍ରାମୀଙ୍କୁ ମନେପକାଇବା ସହ ଉପସ୍ଥିତ ସମସ୍ତ ଜନତାଙ୍କୁ ଏକତାର ଶପଥ ପାଠ କରାଇଥିଲେ। ଶତ୍ରୁ କେବଳ ଦେଶ ବାହାରେ ନାହାନ୍ତି, ଦେଶର ଭିତରେ ରହି ଅଘଟଣ ଘଟାଉଛନ୍ତି। ଆମକୁ ଏହାର ମୁକାବିଲା କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନୂଆ ଭାରତ ଗଠନ ଦିଗରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ, ଇତିହାସରେ ପଟେଲଙ୍କ ଭଳି ଅନେକ କ୍ରାନ୍ତିକାରୀ ପୁରୁଷଙ୍କୁ ମୂଳପୋଛ କରି ଦିଆଯାଇଛି। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ପଟେଲଙ୍କ ଜନ୍ମଦିନ ପାଳନ କରା ନ ଯିବା ପ୍ରସଙ୍ଗ ଉଠାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ, ବାଲେଶ୍ବର ସଦର ବିଧାୟକ ମାନସ କୁମାର ଦତ୍ତ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ରାଜ୍ୟ ମହିଳା କମିସନ୍ ଅଧ୍ୟକ୍ଷା ଶୋଭନା ମହାନ୍ତି, ଏକତା ପଦଯାତ୍ରାର ରାଜ୍ୟ ସହ ସଂଯୋଜକ ଗୋଲକ ମହାପାତ୍ର, ଈଶ୍ୱରଚନ୍ଦ୍ର ବେହେରା, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସ୍ବାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ହଜାର ହଜାର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ପଦଯାତ୍ରାରେ ସାମିଲ ହୋଇଥିଲେ।
Follow Us