ସମନ୍ବିତ ଭିତ୍ତିଭୂମି ପୁନର୍ବାସ କେନ୍ଦ୍ରରେ ୨ଶହ ବରିଷ୍ଠ ନାଗରିକଙ୍କ ରହଣି ବ୍ୟବସ୍ଥା

ରାଜ୍ୟସ୍ତରୀୟ ବିଶ୍ବ ବରିଷ୍ଠ ନାଗରିକ ଦିବସ

ସମନ୍ବିତ ଭିତ୍ତିଭୂମି ପୁନର୍ବାସ କେନ୍ଦ୍ରରେ ୨ଶହ ବରିଷ୍ଠ ନାଗରିକଙ୍କ ରହଣି ବ୍ୟବସ୍ଥା

ଭୁବନେଶ୍ବର : ରାଜ୍ୟରେ ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେଉଛି ସମନ୍ବିତ ଭିତ୍ତିଭୂମି ପୁନର୍ବାସ କେନ୍ଦ୍ର। ଏହି କେନ୍ଦ୍ରରେ ୨ଶହରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ରହଣି ବ୍ୟବସ୍ଥା କରାଯାଇଛି। ସେଠାରେ ସବୁ ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ ହେବ। ୨୫-୩୦ ଏକର ପରିମିତ ଜମିରେ ପ୍ରତିଷ୍ଠିତ ହେବାକୁ ଥିବା ପ୍ରତି କେନ୍ଦ୍ର ପାଇଁ ୩୦ କୋଟି ଟଙ୍କା ଖର୍ଚ କରାଯିବ। ଏହାସହ ରାଜ୍ୟସ୍ତରରେ ବାର୍ଦ୍ଧକ୍ୟ ରୋଗ ଚିକିତ୍ସା ସେବା କେନ୍ଦ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ବିଭାଗ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ବିଶ୍ବ ବରିଷ୍ଠ ନାଗରିକ ଦିବସ ଭୁର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା। ଏହି ଅସବରରେ ଶ୍ରୀ ପଣ୍ଡା କହିଥିଲେ ଯେ ରାଜ୍ୟରେ ପ୍ରାୟ ୩୧ଲକ୍ଷ ବରିଷ୍ଠ ନାଗରିକ ମଧୁବାବୁ ପେନସନ ଭତ୍ତା ଓ ସାମାଜିକସୁରକ୍ଷା ସହାୟତା ପାଉଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରବର୍ତିତ ଏକ ପ୍ରମୁଖ ପଦକ୍ଷେପ। ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅନଲାଇନ୍ ସେବା ଓ ହେଲ୍‌ପଲାଇନ ବିଶେଷ ଫଳପ୍ରଦ ହୋଇପାରିଛି। ରାଜ୍ୟର ୯୧ଟି ସ୍ବେଚ୍ଛାସେବୀ ସଂଗଠନ ବରିଷ୍ଠ ନାଗରିକଙ୍କ ସେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପାଉଛନ୍ତି। କୋଭିଡ ସମୟରେ ବରିଷ୍ଠ ନାଗରିକମାନଙ୍କୁ ଅଗ୍ରୀମ ଭତ୍ତା ତଥା ସହାୟତା ପ୍ରଦାନ କରାଯାଇଥିବା ଶ୍ରୀ ପଣ୍ଡା କହିଥିଲେ।

ବିଭାଗର ନିର୍ଦେଶକ ବ୍ରତତୀ ହରିଚନ୍ଦନ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ସହିତ ‘ଡିଜିଟାଲ ଲିଟେରାସି’ ଉପରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ କୃପାସିନ୍ଧୁ ସାହୁ, ଅଭିରାମ ଜେନା, କୃପାସିନ୍ଧୁ ପଣ୍ଡା, ଉମାକାନ୍ତ ସ୍ବାଇଁ, ସୁଧାଂଶୁ ନେଗି, ଅରୁଣ ପଣ୍ଡା, ଯୁଗଳ କିଶୋର ସାହୁ ଓ ଜାତିସଂଘର ବିକାଶ ସଂସ୍ଥାର ପ୍ରତିନିଧି ଆଭା ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିଭାଗର ଅତିରିକ୍ତ ଶାସନ ସଚିବ ମଧୁମିତା ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe