ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ଦିଆଯିବ ଅତ୍ୟାଧୁନିକ ଉପକରଣ

ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ଦିଆଯିବ ଅତ୍ୟାଧୁନିକ ଉପକରଣ

ABP News

ଭୁବନେଶ୍ବର : ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାକୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିଥିଲେ ହେଁ ଏହାକୁ ଆହୁରି ଦୃଢିଭୁତ ଏବଂ ଶାଣିତ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଓଡ୍ରାଫ୍, ଅଗ୍ନିଶମ ସେବା ୟୁନିଟ୍, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ୟୁନିଟ୍ ଗୁଡ଼ିକୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦିଆଯିବ। ଏହାସହ ନିୟମିତ ବ୍ୟବଧାନରେ ତାଲିମ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏନେଇ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ସମ୍ଭାବ୍ୟ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ନିମନ୍ତେ ବଡ଼ ବଡ଼ ସହରରେ ଥିବା ଡ୍ରେନ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ଠିକ୍ ଭାବେ ସଂଯୋଜିତ କରିବା, ଡ୍ରେନ୍‌ଗୁଡ଼ିକ ଉପରୁ ଜବରଦଖଲ ହଟାଇବା, ଡ୍ରେନ୍ ପ୍ରଶସ୍ତୀକରଣ ଏବଂ ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ଅଧିକ ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଉନ୍ନୟନ କମିସନର ତଥା ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ବୈଠକରେ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଅବିବୃଦ୍ଧି ବାବଦରେ ପ୍ରାୟ ୪୦୦ କୋଟି ଟଙ୍କା ବିନିଯୋଗ କରାଯିବ।

ସେହିପରି ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ (ପିଡିଏନ୍‌ଏ) ସମ୍ବନ୍ଧରେ ବୈଠକର ଆଲୋଚନା ହୋଇଥିଲା। ଗତ ଅଗଷ୍ଟ ମାସରେ ହୋଇଥିବା ପ୍ରବଳ ବର୍ଷା ଏବଂ ବନ୍ୟାର ପିଡିଏନ୍‌ଏ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନଙ୍କ ବୈଷୟିକ ସହଯୋଗିତାରେ ଏହି ଆକଳନ କରିବା ପାଇଁ ଉନ୍ନୟନ କମିସନର କହିଥିଲେ। ମୁଖ୍ୟତଃ ବାସଗୃହ, ଆଶ୍ରୟସ୍ଥଳୀ, ପୁନର୍ବାସ, ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାନୁଷ୍ଠାନ ଆଦି ସର୍ବସାଧାରଣ ସମ୍ପତ୍ତି, ରାସ୍ତା ଓ ପୋଲ ଆଦି ସ୍ଥାନୀୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଆବଶ୍ୟକତା ଆଦି ଭିତ୍ତିରେ ଏହି ବିପର୍ଯ୍ୟୟ ପରବର୍ତ୍ତୀ ଆକଳନ କରାଯିବ ବୋଲି କୁହାଯାଇଛି। ଆସନ୍ତା ୧ ମାସ ମଧ୍ୟରେ ଏହି କାମ ଶେଷ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ପୁଲିସ ଡିଜି ସୁନିଲ୍ କୁମାର ବଂଶଲ, ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ଗ୍ରାମ୍ୟ ଉନ୍ନୟନ ଏବଂ ସୂଚନା ଓ ଲୋକସେବା ସଂପର୍କ ବିଭାଗ ପ୍ରମୁଖ ସଚିବ ସଂଜୟ କୁମାର ସିଂହ, ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ସଚିବ ସୁଶିଲ୍ କୁମାର ଲୋହାନିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe