Limitless Energy
ଭୁବନେଶ୍ବର : ସ୍ୱଚ୍ଛ ତଥା ସବୁଜ ଶକ୍ତିର ବ୍ୟାପକ ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ପ୍ରଦୂଷଣ ରହିତ ଶକ୍ତିର ଆବଶ୍ୟକତା ତଥା ଏ ସଂକ୍ରାନ୍ତୀୟ ଯୋଜନା ପ୍ରସ୍ତୁତ ଲାଗି ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଉକ୍ତ ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱଚ୍ଛ ଶକ୍ତି ବ୍ୟବହାର ସଂପର୍କିତ ଯୋଜନା ପ୍ରସ୍ତୁତ ନେଇ ତଥ୍ୟ ଉପସ୍ଥାପନ କରିଥିଲେ।
ବିଦ୍ୟୁତ୍, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ପରିବର୍ତ୍ତେ ସୌର, ପବନ, ଜଳ ଭଳି ନବୀକରଣ ଯୋଗ୍ୟ ଉତ୍ସରୁ ଉତ୍ପନ୍ନ ଶକ୍ତିକୁ ବ୍ୟବହାର କରିବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏହାଦ୍ୱାରା ରାଜ୍ୟରେ ଶକ୍ତି ସଂରକ୍ଷଣ ଲକ୍ଷ୍ୟ ହାସଲ ହୋଇପାରିବ। କୃଷି, ମତ୍ସ୍ୟ, ପରିବହନ, ଶିଳ୍ପ, ନଗର ଉନ୍ନୟନ ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ସ୍ୱଚ୍ଛ ଶକ୍ତିର ବ୍ୟାପକ ବ୍ୟବହାର ହେବ। ଆଜିର ସମୟରେ ସବୁଜ ଶକ୍ତି ବ୍ୟବହାର ଆହ୍ୱାନ ହୋଇଥିବାରୁ ଆସନ୍ତା ଏକ ମାସ ମଧ୍ୟରେ ଏ ସଂକ୍ରାନ୍ତୀୟ ଯୋଜନା ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବୈଠକରେ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଶକ୍ତି ସଞ୍ଚାଳନ ଓ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏବଂ ଜର୍ମାନୀସ୍ଥିତ ଜିଆଇଜେଡ୍ ସଂସ୍ଥା ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।
Follow Us