ଆଜି ବି ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର 

Advertisment
ଆଜି ବି ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର 

ଭୁବନେଶ୍ବର: ଆଜି ବି ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି, ଯାହାକି ସାରା ରାଜ୍ୟରେ ସର୍ବାଧିକ । ଅପରପକ୍ଷରେ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍ ରହିଛି। ଏଠାରେ ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ପହିଲାରୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି କେନ୍ଦ୍ର ଆକଳନ କରିଥିଲା। କିନ୍ତୁ ନିର୍ଧାରିତ ସମୟର ୩ ଦିନ ପୂର୍ବରୁ ପାରଦ ୪୦ ଡେଇଁ ଯାଇଛି। ସବୁଠୁ ଉତ୍ତପ୍ତ ସହର ଭାବେ ଗତ ୩ ଦିନ ହେଲା ଦେଶରେ ରେକର୍ଡ କରିଥିବା ଭୁବନେଶ୍ୱର ଆଜି ବି ନିଜ ରେକର୍ଡ ବଜାୟ ରଖିଛି।

ଗତକାଲି ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ରେକର୍ଡ ହୋଇଥିଲା । ରାଜଧାନୀରେ ଆଜି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବି ସୂର୍ଯ୍ୟଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ଏହା ପଛକୁ ରାଜ୍ୟର ୪ଟି ସହରର ତାପମାତ୍ରା ୩୮ ଡିଗ୍ରି ରହିଥିବା ବେଳେ ୯ ସହରରେ ୩୭ ଡିଗ୍ରି ରେକର୍ଡ ହୋଇଥିଲା। ଫଳରେ ମାଘ ନ ଯାଉଣୁ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ତେବେ ରାଜ୍ୟର ତାପମାତ୍ରା ଆଗକୁ ଆହୁରି ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଫେବ୍ରୁଆରିରେ ଏଭଳି ଗ୍ରୀଷ୍ମ ପ୍ରକୋପ କିଛି ନୂଆ ନୁହେଁ। ଗତ ୧୦ ବର୍ଷ ଭିତରେ ୨୦୧୬ ଫେବ୍ରୁଆରି ୨୦ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୦.୯ ଡିଗ୍ରି ରେକର୍ଡ ହୋଇଥିଲା। ଆଉ ପଛକୁ ଗଲେ, ୧୯୬୩ ଫେବ୍ରୁଆରି ୨୩ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରି ରେକର୍ଡ ହୋଇଥିଲା, ଯାହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଇପାରେ। ତେବେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe