ଦିଲ୍ଲୀ ଅଗ୍ନିକାଣ୍ଡ ପରେ ଓଡ଼ିଶା ଅଗ୍ନିଶମ ବିଭାଗ ସଜାଗ: ରାଜ୍ୟରେ ହେବ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଅଡିଟ୍‌

ମେ ୨୧ ସୁଦ୍ଧା ରିପୋର୍ଟ ଦେବାକୁ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ

ଦିଲ୍ଲୀ ଅଗ୍ନିକାଣ୍ଡ ପରେ ଓଡ଼ିଶା ଅଗ୍ନିଶମ ବିଭାଗ ସଜାଗ: ରାଜ୍ୟରେ ହେବ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଅଡିଟ୍‌

Firetech Global

କଟକ : ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟଣା ପରେ ପୁଣି ଥରେ ସତର୍କ ହୋଇଛି ଓଡ଼ିଶା ଅଗ୍ନିଶମ ବିଭାଗ। ରାଜ୍ୟରେ କିଭଳି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାକୁ ହ୍ରାସ କରା ଯାଇପାରିବ ସେଥିପାଇଁ ଅଗ୍ନି ନିରାପତ୍ତା ପାଇଁ ଥିବା ସମସ୍ତ ନିୟମର କଡାକଡି ପାଳନ କରିବାକୁ ଓଡ଼ିଶା ଅଗ୍ନିଶମ ଡିଜି ଏସ.କେ. ଉପାଧ୍ୟାୟ ଆଜି ରାଜ୍ୟର ସମସ୍ତ ସହକାରୀ ଅଗ୍ନିଶମ ଅଧିକାରୀ, ଅତିରିକ୍ତ ଅଗ୍ନିଶମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନି ନିରାପତ୍ତ‌ା ପାଇଁ ଯାହା ବି ନିୟମାବଳୀ ରହିଛି ତାହାର ପରିପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଅଞ୍ଚଳରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଅଡିଟ୍ କରି ସେ ସଂପର୍କିତ ରିପୋର୍ଟ ଆସନ୍ତା ୨୧ ତାରିଖ ସୁଦ୍ଧା ଦାଖଲ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ଶିକ୍ଷାନୁଷ୍ଠାନ, ମେଡିକାଲ, ନର୍ସିଂହୋମ, ସରକାରୀ ଅଫିସ, ହୋଟେଲ, ଲଜିଂ, ଗେଷ୍ଟ୍ ହାଉସ, ସିନେମା ହଲମାନଙ୍କରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି କି ନ‌ାହିଁ, ତାହାର ଯାଞ୍ଚ କରାଯିବ। ୧୨ମିଟର ଅଥବା ତାଠୁ ଅଧିକ ଉଚ୍ଚତାର କୋଠା ଓ ୧ ହଜାର ବର୍ଗ ମିଟରରୁ ଅଧିକ ନିର୍ମାଣ ଅଞ୍ଚଳ ଥିବ‌ା ସିନେମା, ମଲ୍‌ଟି ପ୍ଲେକ୍ସ, ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ତିନି ମହଲା ବିଶିଷ୍ଟ କୋଠା, ବ୍ୟବସାୟିକ ପ୍ରତିଷ୍ଠାନ ଓ ୫୦୦ ବର୍ଗ ମିଟରରୁ ଅଧିକ ଆକାର ଥିବା ସମ୍ମିଳନୀ କକ୍ଷ, ଅଡିଟୋରିୟମ, କୋଚିଂ ସେଣ୍ଟର, ହ‌ଷ୍ଟେଲରେ ଅଗ୍ନି ନିରାପତ୍ତା ଯାଞ୍ଚ୍ କରାଯିବ। ପ୍ରତି କୋଠା ଓ ପ୍ରତିଷ୍ଠାନରେ ଏହାର ନିୟମିତ ଯାଞ୍ଚ୍ କରିବା ଓ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନକଲ କାନ୍ଥରେ ଲଗାଇବାକୁ କୁହାଯାଇଛି।

ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅଧିକ ଚଳପ୍ରଚଳ ଥିବା ସରକାରୀ କୋଠା ମାନଙ୍କ‌‌ରେ ମଧ୍ୟ ଅଗ୍ନି ନିରାପତ୍ତ‌ା ବ୍ୟବସ୍ଥା ଠିକ୍ ଅଛି କି ନାହିଁ, ତାର ଯାଞ୍ଚ କରି ଆସନ୍ତା ୨୧ ତ‌ାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ଦମକଳ କେନ୍ଦ୍ର ଗୁଡିକର ଅଧିକାରୀମାନଙ୍କୁ ମଧ୍ୟ ବିଭିନ୍ନ ମାର୍କେଟ, ବଜାର କମିଟି ସହିତ ସମନ୍ବୟ ରକ୍ଷ‌ା କରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି କି ନାହିଁ ତ‌‌ାର ତଦାରଖ କରିବାକୁ କୁହାଯାଇଛି। ବାହାରେ ଖୋଲା‌ ତାର ଟାଣିବାକୁ ବାରଣ କରାଯାଇଛି। ଅଗ୍ନିକ‌ାଣ୍ଡଜନିତ ଦୁର୍ଘଟଣା ଘଟିଲେ ୧୧୨ ନମ୍ବରରେ ‌‌ଡାଏଲ୍‌ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe