କେନ୍ଦୁଝରରେ ରାଜ୍ୟର ପ୍ରଥମେ ‘ମିଲେଟ୍‌ ଶକ୍ତି କାଫେ’

Advertisment
ସବୁ ଜିଲ୍ଲାରେ ହେବ ମିଲେଟ୍ ମିସନ

The Hans India

କେନ୍ଦୁଝର : ଓଡ଼ିଶାରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ପ୍ରଥମ କେନ୍ଦ୍ର ‘ମିଲେଟ ଶକ୍ତି କାଫେ’ କେନ୍ଦୁଝରରେ ଆରମ୍ଭ ହୋଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟଅତିଥି ଭାବେ ମହିଳା, ଶିଶୁ କଲ୍ୟାଣ ଓ ମିସନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ସମ୍ମାନିତ ଅତିଥିଭାବେ ମିସନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲାପାଳ ଆଶିଷ ଠାକ୍‌ରେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ, ରାଜ୍ୟ ମିଲେଟ ମିସନ, ମିସନ ଶକ୍ତି ଏବଂ ଜିଲ୍ଲା ପ୍ରଶାସନର ଏହା ଏକ ପ୍ରଶଂସନୀୟ ପଦକ୍ଷେପ। ପ୍ରତ୍ୟେକ ବୟସର ଲୋକଙ୍କ ପୁଷ୍ଟି ସ୍ଥିତିରେ ଉନ୍ନତି ଆଣିବା, ମାଣ୍ଡିଆକୁ ଖାଦ୍ୟଭାବେ ବ୍ୟବହାର କରିବା, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର ଯୋଗାଇଦେବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଫଳପ୍ରଦ ହେବ। ଜିଲ୍ଲାପାଳଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଥିବା ସେ କହିଥିଲେ।

ମିସନ ଶକ୍ତି ବିଭାଗ ସଚିବ ଶ୍ରୀମତୀ କାର୍ତ୍ତିକେୟନ କହିଲେ, କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟର ପ୍ରଥମ ‘ମିଲେଟ ଶକ୍ତି କାଫେ’ ସ୍ଥାପନ ହେବା ଏକ ଐତିହାସିକ ଘଟଣା। ମିଲେଟ ମିସନରେ ମିସନ ଶକ୍ତିକୁ ସାମିଲ କରାଇ ‘ମିଲେଟ ଶକ୍ତି କାଫେ’ ପରିଚାଳନା କରିବା ଏକ ପ୍ରଶଂସନୀୟ ପଦକ୍ଷେପ। ମାଣ୍ଡିଆ ଚାଷ ବିଲୁପ୍ତ ହେବାକୁ ଯାଉଥିବା ସମୟରେ ଏହାର ପୁନରୁଦ୍ଧାର, ମାଣ୍ଡିଆଜାତ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ଏବଂ କାଫେ ପରିଚାଳନାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ଦ୍ବାରା ଏହା ସେମାନଙ୍କ ଆର୍ଥିକ ବିକାଶ ଦିଗରେ ନୂଆ ଦିଶା ଦେଖାଇବ ବୋଲି ସେ କହିଥିଲେ।

ଜିଲ୍ଲାପାଳ ଆଶିଷ ଠାକ୍‌ରେ ‘ମିଲେଟ ଶକ୍ତି କାଫେ’ ସ୍ଥାପନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। କେନ୍ଦୁଝର ଜିଲ୍ଲାରେ ଓଡ଼ିଶା ମିଲେଟ ମିସନ କାର୍ଯ୍ୟକାରୀ ହେବା ପରେ ଏହାର କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ୪ ହଜାର ଚାଷୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ୧୮୭୬ ଏକର ଜମିରେ ମାଣ୍ଡିଆ ଚାଷ କରାଯାଉଛି। ୨୦୨୦ ମସିହା ଜୁଲାଇ ୨ ତାରିଖରୁ ଜିଲ୍ଲାର ସମସ୍ତ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କୁ ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯାଉଛି। ମହାମାରୀ କରୋନା ସମୟରେ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ଘରକୁ ମାଣ୍ଡିଆ ମିକ୍ସ ପଠାଯାଇଛି। ‘ମିଲେଟ ଶକ୍ତି କାଫେ’ ମାଧ୍ୟମରେ ଲୋକଙ୍କ ମାଣ୍ଡିଆଜାତ ଖାଦ୍ୟଶସ୍ୟ ଅଭ୍ୟାସ ଉପରେ ସଚେତନତା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ କହିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ସଂଜୀବ ବାରିକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାରିଜଣ ଚାଷୀ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ, ମାଣ୍ଡିଆରୁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତି କ୍ଷେତ୍ରରେ ଜଣେ ସୁପକାର ଏବଂ କରୋନା ମହାମାରୀ ସମୟରେ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପାଖରେ ମାଣ୍ଡିଆ ମିକ୍ସ ପହଞ୍ଚାଇବା ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦୁଇ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜିଲ୍ଲାପାଳ ଶ୍ରୀ ଠାକ୍‌ରେ ଏବଂ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ‘ମିଲେଟ ଶକ୍ତି କାଫେ ଏବଂ ମାଣ୍ଡିଆ ଜାତୀୟ ଖାଦ୍ୟ ଅଭ୍ୟାସ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe