ରାଜ୍ୟର ରାଜସ୍ୱ ଆଦାୟ ବଢ଼ିଲା

Advertisment

ଅକ୍ଟୋବର ସୁଦ୍ଧା ୨୫୫୭୧.୪୨ କୋଟି ଟଙ୍କା ଆଦାୟ

ଅକ୍ଟୋବର ସୁଦ୍ଧା ୨୫୫୭୧.୪୨ କୋଟି ଟଙ୍କା ଆଦାୟ

୧୦୫ ପଇସା ତଳକୁ ଖସିଲା ଟଙ୍କା

The Sunday Guardian

ପୂର୍ବବର୍ଷ ତୁଳନାରେ ୨.୨୭ ପ୍ରତିଶତ ବଢ଼ିଛି
ବଜେଟ ଅର୍ଥ ବିନିଯୋଗ ୫୧ ହଜାର କୋଟି ଟପିଛି
ଆର୍ଥିକ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ
ଜୀବିକା ଓ ଭିତ୍ତିଭୂମି କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ବ ଦେବାକୁ ନିର୍ଦେଶ
ଡିସେମ୍ବର ସୁଦ୍ଧା ଆଗାମୀ ବଜେଟ ପାଇଁ ତଥ୍ୟ ଦେବାକୁ ପରାମର୍ଶ

ଭୁବନେଶ୍ୱର : କରୋନା ମହାମାରୀ ଏବଂ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ସତ୍ତ୍ବେ ରାଜ୍ୟର ରାଜସ୍ବ ଆଦାୟ ସ୍ଥିତିରେ ଏବେ ସୁଧାର ଆସିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୭ ମାସ ଅର୍ଥାତ୍ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟର ଟିକସ ଓ ଅଣଟିକସ ରାଜସ୍ବ ଆୟ ୨୫୫୭୧.୪୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷର ପ୍ରଥମ ୭ ମାସରେ ଏହି ଆୟ ପରିମାଣ ୨୫୦୦୨.୮୪ କୋଟି ଟଙ୍କା ରହିଥିଲା। ଅର୍ଥାତ୍ ଗତ ଆର୍ଥିକ ବର୍ଷର ପ୍ରଥମ ୭ ମାସ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଟିକସ ଓ ଅଣଟିକସ ରାଜସ୍ବ ଆୟ ୨.୨୭ ପ୍ରତିଶତ ବୃଦ୍ଧି ଘଟିଛି। ଅଣ ଟିକସ ରାଜସ୍ବ ଆୟ ଏହି ସମୟ ମଧ୍ୟରେ ୨୩.୪୧ ପ୍ରତିଶତ ବୃଦ୍ଧି ଘଟି ୯୨୯୬.୬୦ କୋଟି ଟଙ୍କାରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ରାଜ୍ୟ ସରକାରଙ୍କ ଅଣ ଟିକସ ରାଜସ୍ବ ଆୟ ୭୫୩୩.୨୬ କୋଟି ଟଙ୍କା ରହିଥିଲା। କେବଳ ରାଜସ୍ବ ଆଦାୟ କ୍ଷେତ୍ରରେ ନୁହେଁ, ଅର୍ଥ ବିନିଯୋଗରେ ମଧ୍ୟ ଯଥେଷ୍ଟ ଅଗ୍ରଗତି ଘଟିଛି। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସତ୍ତ୍ବେ ରାଜ୍ୟର ବଜେଟ ଅର୍ଥ ବିନିଯୋଗ ଅକ୍ଟୋବର ସୁଦ୍ଧା ୫୧ ହଜାର କୋଟି ଟଙ୍କା ଟପିଛି। ଏଥିରୁ ସର୍ବାଧିକ ୨୬ ହଜାର କୋଟି ଟଙ୍କା ସାମାଜିକ କ୍ଷେତ୍ରରେ ବିନିଯୋଗ ହୋଇଛି। ସରକାରଙ୍କ ଉତ୍ତମ ଆର୍ଥିକ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଆଜି ଅନୁ‌ଷ୍ଠିତ ସଚିବସ୍ତରୀୟ ବୈଠକରୁ ଜଣାଯାଇଛି।

ଲୋକସେବା ଭବନ ପରିସରରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅକ୍ଟୋବର ସୁଦ୍ଧା ବିଭିନ୍ନ ବିଭାଗ ହାସଲ କରିଥିବା ଆର୍ଥିକ ଅଗ୍ରଗତିର ସମୀକ୍ଷା କରାଯାଇଛି। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଏ ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ‌ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଏହି ବୈଠକରେ ରାଜ୍ୟରେ ଜୀବିକା ଓ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପଗୁଡ଼ିକର ତ୍ବରିତ ନିର୍ମାଣ ଉପରେ ସର୍ବାଧିକ ଗୁରୁତ୍ବ ଦେବା ପାଇଁ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜଳ ସଂପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଗୁଡ଼ିକୁ ସ୍ବତନ୍ତ୍ର ଭାବେ ଚିହ୍ନଟ ହୋଇଥିବା ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏଥିସହିତ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତି ପାଇଁ ଆବଶ୍ୟକ ତଥ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ପ୍ରଦାନ କରିବା ପାଇଁ ମଧ୍ୟ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କୋଭିଡ୍‌ ନିୟମ ପାଳନ କିଭଳି ହେଉଛି ତା’ର ସମୀକ୍ଷା କରିବା ପାଇଁ ମୁଖ୍ୟ ସଚିବ କୋଭିଡ୍‌ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଚଳିତମାସରେ ଜିଲ୍ଲା ଗସ୍ତ ସମୟରେ ଶୀତ ମୁକାବିଲା ପାଇଁ ପ୍ରସ୍ତୁତି, ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେଉଥିବା ଚିକିତ୍ସା ସୁବିଧା ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଜୀବିକା କାର୍ଯ୍ୟକ୍ରମ ଆଦିର ସମୀକ୍ଷା ପାଇଁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି।

ସେହିଭଳି ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓମ୍ବାଡସି) ଏବଂ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଅଧୀନରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଏହିସବୁ ପ୍ରକଳ୍ପକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯାଇ ଲୋକଙ୍କ ସେବା ନିମନ୍ତେ ଉତ୍ସର୍ଗ କରାଯାଇଛି ବୋଲି ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଛନ୍ତି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉନ୍ନୟନ କମିସନର ରାଜ କୁମାର ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗ୍ରାମ୍ୟ ଉନ୍ନୟନ) ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ସ୍ବତନ୍ତ୍ର ଶାସନ ସଚିବ ମାନେ ନିଜ ନିଜ ବିଭାଗର ସମ୍ମିଳନୀ କକ୍ଷରୁ ଓସ୍‌ୱାନ ପ୍ଲାଟଫର୍ମ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe