ମୂର୍ତ୍ତି ଉଚ୍ଚତା ବିବାଦ ଥମୁନି

କଟକରେ ଶାନ୍ତି କମିଟି, ପୂଜା କମିଟି କର୍ମକର୍ତ୍ତାଙ୍କ ବୈଠକ

ଦୁର୍ଗାପୂଜା: ରାଜଧାନୀରେ ସମସ୍ତ ପୂଜା ମଣ୍ଡପର ଗୋଟିଏ ଦିନରେ ଭସାଣି

NewsroomPost

୪ ଫୁଟ୍ ଉଚ୍ଚତା କଟକଣା ହଟାଇବାକୁ ସର୍ବସମ୍ମତ ପ୍ରସ୍ତାବ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଭର୍ତ୍ତୃହରି, ପ୍ରଭାତ
୧୬ ପର୍ଯ୍ୟନ୍ତ ଅପେକ୍ଷା, ୧୭ରେ ପରବର୍ତ୍ତୀ ପଦକ୍ଷେପ

କଟକ : ୪ ଫୁଟ୍ ଉଚ୍ଚ ମୂର୍ତ୍ତି କଟକଣା ଜାରି ରହିବ ବୋଲି ସରକାରଙ୍କ ଘୋଷଣା ପରେ ଏହି ପ୍ରସଙ୍ଗକୁ ନେଇ ଶନିବାର କଟକରେ ଶାନ୍ତି କମିଟି ଓ ପୂଜା କମିଟିର କର୍ମକର୍ତ୍ତାଙ୍କ ବୈଠକ ହୋଇଛି। ଓସିଏ କନଫରେନ୍ସ ହଲ୍‌ରେ କଟକ ମହାନଗର ପୂଜା କମିଟି ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତିକ୍ରମେ ଦୁଇଟି ପ୍ରସ୍ତାବ ଗୃହୀତ ହୋଇଛି। ପୂଜା ମଣ୍ଡପମାନଙ୍କୁ ସେମାନଙ୍କର ପାରଂପରିକ ଉଚ୍ଚତା ଅନୁଯାୟୀ ମୂର୍ତ୍ତି ଗଢିବାକୁ ଅନୁମତି ଦେବା ଏବଂ ସଂପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ମଣ୍ଡପରେ ଦେବୀଙ୍କ ଦର୍ଶନ ଅନୁମତି ଦେବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହି ଦୁଇଟି ପ୍ରସ୍ତାବକୁ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନ କରାଯିବ। କଟକ ସାଂସଦ ଭର୍ତ୍ତୃହରି ମହତାବ ଓ କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ କଟକ ସହରବାସୀଙ୍କ ପକ୍ଷରୁ ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିବେ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏ ‌ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯିବ। ଯଦି କୌଣସି ସକରାତ୍ମକ ଫଳ ନ ମ‌ିଳେ ତେବେ ଆସନ୍ତା ୧୭ ତାରିଖରେ ଶାନ୍ତି କମିଟି ଓ ପୂଜା କମିଟି କର୍ମକର୍ତ୍ତାଙ୍କ ବୈଠକ ବସି ପରବର୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନିଆଯିବ।

publive-image

ମୂର୍ତ୍ତି ଉଚ୍ଚତା ଓ ମଣ୍ଡପରେ ପରଦା ଟଣା ପ୍ରସଙ୍ଗକୁ ନେଇ ଆଜିର ବୈଠକରେ ସରଗରମ ଆଲୋଚନା ହୋଇଥିଲା। ଦଳମତ ନିର୍ବିଶେଷରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି, ସମସ୍ତ ପୂଜା କମିଟିର କର୍ମକର୍ତ୍ତା ଏହି ଦୁଇଟି କଟକଣାର ପୁନର୍ବିଚାର ସପକ୍ଷରେ ମତ ରଖିଥିଲେ। ବୈଠକରେ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ମୁମ୍ବାଇ ଗଣେଶ ପୂଜା ଓ କେରଳ ପ୍ରସଙ୍ଗରେ କହିବାରୁ ତାଙ୍କୁ ବିରୋଧ କରି ବୈଠକରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ବିଭିନ୍ନ ପକ୍ଷ ମଧ୍ୟରେ ଏହାକୁ ନେଇ କଥା କଟାକଟି ହୋଇଥିଲା। କିନ୍ତୁ ନେତୃବୃନ୍ଦଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡିଥିଲା ଏବଂ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

publive-image

ଆଲୋଚନା ପରେ ମହାନଗର ଶାନ୍ତି କମିଟିର କାର୍ଯ୍ୟକାରୀ ସଭାପତି ଆଡଭୋକେଟ ବିଜୟ ଦାଶ ଦୁଇଟି ସର୍ବସମ୍ମତ ପ୍ରସ୍ତାବକୁ ବୈଠକରେ ଉପସ୍ଥାପନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଭର୍ତ୍ତୃହରି ମହତାବ, ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରି ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ, ସଂପାଦକ ପ୍ରଫୁଲ୍ଲ ସାହୁ, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା, ବାମପନ୍ଥୀ ନେତା ଅମରେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକ ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମ ରାସ୍ତାରେ ବିଭିନ୍ନ ସାମାଜିକ ସଂଗଠନର ଶତାଧିକ ସଦସ୍ୟ ଓ କର୍ମକର୍ତ୍ତା ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ଢଙ୍ଗରେ ୪ ଫୁଟ ଉଚ୍ଚର ମୂର୍ତ୍ତି କଟକଣା ଓ ମଣ୍ଡପରେ ପରଦା ନିୟମର ପ୍ରତିବାଦ କରିଥିଲେ।

ଏହି ପ୍ରସଙ୍ଗରେ ଆସନ୍ତା ୧୩ ତାରିଖ ଦିନ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ସ୍ବତନ୍ତ୍ର ଭାବେ ଏ ପ୍ରସଙ୍ଗରେ ନିଜନିଜର ସ୍ଥିତି ରଖି ପାରିବେ ବୋଲି ମଧ୍ୟ ଆଜିର ବୈଠକରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe