ଛତିଶଗଡ଼ରେ ଓଡ଼ିଆ ସଂସ୍କୃତିର ପ୍ରଚାର, ପ୍ରସାର: ପଡ଼ିଗାଁରେ ସ୍ଥାପନ ହେଲା ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତି

ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଆ ଶିକ୍ଷକ ନିଯୁକ୍ତି

ଛତିଶଗଡ଼ରେ ଓଡ଼ିଆ ସଂସ୍କୃତିର ପ୍ରଚାର, ପ୍ରସାର: ପଡ଼ିଗାଁରେ ସ୍ଥାପନ ହେଲା ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତି

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତ ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରହିଛି। ପ୍ରଥମେ ୨୦୧୫ମସିହା‌ରେ ସତ୍ୟମ ଆଶ୍ରମ ଓଡ଼ିଆ ତପଭୂମି ଡୁମରପାଲିଠାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି  ସ୍ଥାପନ କରାଯାଇଥିଲା। ଏହାର ୬ ବର୍ଷ ପରେ ବୁଧବାର ଦିନ ମହାନଦୀ ଅବବାହିକାରେ ଥିବା ପୁସେର ବ୍ଲକ୍‌ର ପଡ଼ିଗାଁର ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି  ସ୍ଥାପନ କରାଯାଇଛି।

‘ସମ୍ବାଦ’, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରିଥିଲେ। ସେହିପରି ଉତ୍କଳ ସମ୍ମିଳନୀ ସୌଜନ୍ୟରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଉତ୍କଳ ସ୍ୱାଭିମାନ ମଞ୍ଚ ପୁରୀ ସୌଜନ୍ୟରୁ ନେତାଜୀଙ୍କ ପ୍ରତିମୂର୍ତ୍ତି ଓ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି।

ଉତ୍କଳ ସମ୍ମିଳନୀ ଛତିଶଗଡ଼ ପ୍ରତିନିଧି କ୍ଷମାସାଗର ଭୋଇଙ୍କ ପ୍ରୟାସରେ ଏହା କରାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଶ୍ରୀ ଭୋଇଙ୍କ ସହ ପଡ଼ିଗାଁର ଗ୍ରାମ ମୁଖ୍ୟ ଜୟଶଙ୍କର ଭୋଇ ଓ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସ, ପ୍ରଧାନୀ ବୃଦାବନ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର, ଅର୍ଜୁନ ଚରଣ ଗୁରୁ, ବାସୁଦେବ ସାହୁ ଅତିଥି ଭାବେ ଯୋଗଦେଇଥିଲେ।

୨୦୧୫ ମସିହାରେ ଓଡ଼ିଆ ତାପଭୂମି, ଡୁମରପାଲିଠାରେ ପ୍ରଥମ କରି ମଧୁବାବୁ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଆଜି ପ୍ରଥମକରି ଛତିଶଗଡ଼ରେ ସୁଭାଷ ବୋଷ ଓ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ସହିତ ଗୋପବନ୍ଧୁ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଆଜିର ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଏହାସହିତ ପୁରୀରୁ ଝିନି ମିଶ୍ର ଓ ପ୍ରସନ୍ନ କୁମାର ମିଶ୍ରଙ୍କ ଦ୍ଵାରା ପ୍ରକାଶିତ ‘ଶ୍ରୀକ୍ଷେତ୍ର କଲୋନିରୁ ଶ୍ରୀମନ୍ଦିର’ ପୁସ୍ତକ  ଉପସ୍ଥିତ ଓଡ଼ିଆପ୍ରେମୀଙ୍କୁ ବଣ୍ଟା ଯାଇଥିଲା।

ଏନେଇ ଶ୍ରୀ ଭୋଇ କୁହନ୍ତି ଯେ ୧୮୮୨ ମସିହାରୁ ଏହି ବିଦ୍ୟାଳୟ ସରକାରୀ ବାଳିକା ଓଡ଼ିଆ ବିଦ୍ୟାଳୟ ରୂପେ ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ  ହିନ୍ଦୀ ବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ଏଠାରେ ଏବେ ଓଡ଼ିଆ ପାଠପଢ଼ିବା ପାଇଁ ଆଗ୍ରହ ଥିବାରୁ ଉତ୍କଳ ସମ୍ମିଳନୀ ପକ୍ଷରୁ ଜଣେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଶିକ୍ଷକଙ୍କ ପାରିଶ୍ରମିକ ମଧ୍ୟ ଉତ୍କଳ ସମ୍ମିଳନୀ ବହନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe