ବାଲେଶ୍ବରର ସବୁ ବ୍ଲକ୍‌ରେ ଫକୀରମୋହନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ: ମନ୍ତ୍ରୀ

Advertisment
ଆଜି ଜନ୍ମଦିନ: ଆଧୁନିକ ଓଡ଼ିଆ ଗଳ୍ପର ଜନକ ବ୍ୟାସକବି ଫକୀରମୋହନ ସେନାପତି

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ସମସ୍ତ ୧୨ଟି ବ୍ଳକ୍‌ରେ ବ୍ୟାସକବି ତଥା କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ। ଜନମାନସରେ ଏହି ମହାପୁରୁଷଙ୍କୁ ଉଜ୍ଜୀବିତ କରି ରଖିବାପାଇଁ ସରକାରୀ ସ୍ତରରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ବାଲେଶ୍ବର ମାଟିରେ ଜନ୍ମିତ ଓଡ଼ିଆ ଆଧୁନିକ ଗଳ୍ପର ଜନକ ଭାବେ ସୁପରିଚିତ ଫକୀରମୋହନ ଓଡ଼ିଶାର ଘରେଘରେ ପରିଚିତ। ବ୍ରିଟିଶ୍‌ ଉପନିବେଶ ସମୟରେ ଯେତେବେଳେ ଭାଷା ସଙ୍କଟ ଦେଖାଦେଇଥିଲା, ସେତେବେଳେ ସେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ କାଳଜୟୀ ରଚନା କରିଥିଲେ। ତାଙ୍କର ଅବଦାନ ଅବିସ୍ମରଣୀୟ। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବରଠାରେ ତାଙ୍କ ନାମରେ ଫକୀରମୋହନ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଇଛି। ଏଠାରେ ସ୍ଥାପିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ତାଙ୍କ ନାମରେ ନାମିତ କରାଯାଇଛି। ଏଥିସହତ, ବାଲେଶ୍ବର ଜିଲ୍ଲାର ସମସ୍ତ ୧୨ଟି ବ୍ଲକରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହିକ୍ରମରେ ଜିଲ୍ଲାର ରେମୁଣାବ୍ଲକ୍‌ସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ତଥା ଜଳେଶ୍ବର, ଖଇରା ଓ ସିମୁଳିଆ ବ୍ଲକ୍‌ରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଆଗାମୀଦିନରେ ଅବଶିଷ୍ଟ ବ୍ଳକ୍‌ରେ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଫକୀରମୋହନ ସେନାପତିଙ୍କ ଜନ୍ମସ୍ଥାନ ମଲ୍ଲିକାଶପୁରର ଶାନ୍ତି କାନନଠାରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ସଂପ୍ରତି ରାଜ୍ୟ ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ତାଙ୍କ ଜନ୍ମସ୍ଥାନ ଶାନ୍ତିକାନନ ସନ୍ନିକଟ ସଂସ୍କୃତି ଭବନଠାରେ ସଂସ୍କୃତି ଓ କଳାପ୍ରେମୀ ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ଏକ ଆର୍ଟ ଗ୍ୟାଲେରୀ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଫକୀରମୋହନଙ୍କ ଜନ୍ମସ୍ଥାନରେ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିବାକୁ ସରକାରଙ୍କ ଯୋଜନା ରହିଛି। ଏତଦ୍‌ବ୍ୟତୀତ, ତାଙ୍କର ଅମର ଲେଖାଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତିୟସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ ଏକାଡେମୀ ଓ ଅନୁଷ୍ଠାନଗୁଡିକର ସହାୟତାରେ କର୍ମଶାଳା, ଆଲୋଚନାଚକ୍ର ଓ ସଂପାନ ଆଦି ଆୟୋଜନ କରାଯିବା ପାଇଁ ଯୋଜନା କରାଯାଇଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe