ବିଧାନସଭା ରାସ୍ତାରେ ସ୍ଥାପନ ହେବ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତି, ପୁରାତନ ବିଧାନସୌଧର ବିକାଶ ହେବ

Advertisment
ବିଧାନସଭା ରାସ୍ତାରେ ସ୍ଥାପନ ହେବ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତି, ପୁରାତନ ବିଧାନସୌଧର ବିକାଶ ହେବ

Wikimedia Commons

ଭୁବନେଶ୍ବର : ରାଜ୍ୟ ବିଧାନସଭାକୁ ଲାଗିଥିବା ରାସ୍ତାରେ ରାଜ୍ୟର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀମାନଙ୍କର ପ୍ରତିମୂର୍ତି ନିର୍ମାଣ କରାଯିବ। ପ୍ରତିମୂର୍ତି ପାର୍ଶ୍ବରେ ସେମାନଙ୍କ ଜୀବନୀ ଓ ସଂଗ୍ରାମର କାହାଣୀର ବିବରଣୀ ରହିବ। ସର୍ବୋଚ୍ଚ ଉଚ୍ଚତାର ଫ୍ଲାଗ୍ ପୋଷ୍ଟ ଓ ସୁଦୃଶ୍ୟ ୱାଚ୍ ଟାୱାର ମଧ୍ୟ ନିର୍ମାଣ କରାଯିବ। ମାତ୍ର ବିମାନବନ୍ଦର କର୍ତୃପକ୍ଷଙ୍କ ପରାମର୍ଶ ଅନୁଯାୟୀ ଉଚ୍ଚତା ସ୍ଥିର କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କୁହାଯାଇଛି।

ପୁରାତନ ବିଧାନସୌଧ ସର୍ଦ୍ଦାର ପଟେଲ ହଲ୍‌ର ଗୌରବମୟ ଐତିହ୍ୟର ସୁରକ୍ଷା ଓ ବିକାଶ ପାଇଁ ବାଚସ୍ପତି ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ସର୍ଦ୍ଦାର ପଟେଲ ହଲ୍‌ର ସୌନ୍ଦର୍ଯ୍ୟକରଣ ସହ ଗୃହର ଆବଶ୍ୟକ ମରାମତି କରିବାକୁ ନିଷ୍ପତ୍ତି ହୋଇଛି। ଏହାର ଚାରିପଟେ ଏକ ସୁନ୍ଦର ପାର୍କ ନିର୍ମାଣ କରାଯିବ। ୧୯୩୬ ମସିହାରୁ ୧୯୪୬ ମସିହା ପର୍ଯ୍ୟନ୍ତ ଥିବା ବିଧାନସଭାର ସଭ୍ୟମାନଙ୍କର ତୈଳ ଚିତ୍ର ସର୍ଦ୍ଦାର ପଟେଲ ‌ହଲ୍‌ରେ ସ୍ଥାନ ପାଇବ। ଶ୍ରାବ୍ୟ ବ୍ୟବସ୍ଥା ଜରିଆରେ ତତ୍କାଳୀନ ନେତା ଓ ବିଧାୟକଙ୍କ ଜୀବନୀ, କାର୍ଯ୍ୟକଳାପ ଓ ରାଜ୍ୟର ପ୍ରଗତିରେ ସେମାନଙ୍କର ଭୂମିକା ସଂପର୍କରେ ଲୋକମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରାଯିବ। ଏ ସଂକ୍ରାନ୍ତୀୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସଂସ୍କୃତି ବିଭାଗକୁ ଦାୟିତ୍ବ ପ୍ରଦାନ କରାଯାଇଛି। ଏହାସହ ଭବିଷ୍ୟତ ଗବେଷଣା ପାଇଁ ତତ୍କାଳୀନ ଓଡ଼ିଶା-ବିହାର ବିଧାନସଭ‌ାର ସମସ୍ତ ବିସ୍ତୃତ ବିବରଣୀ ସଂଗ୍ରହ ପାଇଁ ବାଚସ୍ପତି ନି‌ର୍ଦେଶ ଦେଇଛନ୍ତି।

ସେହିପରି ବିଧାନସଭାର ୩ଟି ପ୍ରବେଶ ଦ୍ବାରର ମଧ୍ୟ ଆଧୁନିକୀକରଣ ହେବ। ବିଧାନସଭା ଭିତରେ ୪ଟି ଏଲଇଡି ଭିଡିଓ ୱାଲ ପ୍ରତିଷ୍ଠା କରାଯିବ। ଏହାଦ୍ବାରା ଭିଡିଓ କନଫରେନ୍‌ସିଂ ଜରିଆରେ ଗୃହର ଆଲୋଚନା ବିଧାନସଭା ସଦସ୍ୟମାନଙ୍କୁ ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇପାରିବ। ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ଜରିଆରେ ଏହି ସମସ୍ତ କାର୍ଯ୍ୟ ଆସନ୍ତା ମାର୍ଚ ଶେଷ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦିଆଯାଇଛି। ବୈଠକରେ ପୂର୍ତ ବିଭାଗର ଶାସନ ସଚିବ କ୍ରିଷନ୍ କୁମାର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ପୂର୍ତ ବିଭାଗ ମୁଖ୍ୟଯନ୍ତ୍ରୀ ଦୁର୍ଗା ପ୍ରସନ୍ନ ମିଶ୍ର ଓ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe