Status of women in Nabarangpur at risk Photograph: (sambad.in)
ନବରଙ୍ଗପୁର: ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ୍) ପରେ ଜିଲ୍ଲାରେ ଗମ୍ଭୀର ସ୍ଥିତିରେ ମହିଳାମାନେ ଥିବା ସ୍ପଷ୍ଟ ହୋଇଛି। ଯଦିଓ ସରକାର ବେଟି ବଚାଅ ବେଟି ପଢ଼ାଅ ଯୋଜନା ଆରମ୍ଭ କରିଛନ୍ତି। ତେବେ ଜିଲ୍ଲାର ଏହି ସ୍ଥତିକୁ ସୁଧାରିବା ଦିଗରେ କେତେ ଦୂର ଏହା ସହାୟତା ପ୍ରଦାନ କରିବ ତାହା ସମୟ ହିଁ କହିବ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପ୍ରତ୍ୟେକ ୫ବର୍ଷରେ ଥରେ କରାଯାଉଛି। ଗତ ୨୦୨୦-୨୧ରେ କରାଯାଇଥିବା ସର୍ଭେ ଅନୁଯାୟୀ ଏକହଜାର ପୁରୁଷରେ ୧୦୬୦ମହିଳା ରହିଛନ୍ତି। ପୁଅ ଏକହଜାର ଜନ୍ମରେ ୧୦୪୪ଝିଅ ଜନ୍ମ ହେଉଛନ୍ତି।
ଆହୁରି ପଢ଼ନ୍ତୁ:Divya Shish Diwas: ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ଦିବ୍ୟାଶିଷ ଦିବସ ପାଳିତ
ବାଲ୍ୟବିବାହ ହାର ୩୯.୪ ପ୍ରତିଶତ। ସର୍ଭେ ସମୟରେ ୧୫ରୁ୧୯ବର୍ଷ ବୟସ ମଧ୍ୟରେ ଗର୍ଭବତୀ ଥିବା ମା’ ୮.୩ପ୍ରତିଶତ। ମାସିକ ଋତୁସ୍ରାବ ସମୟରେ ପରିମଳ ପରିଚ୍ଛନ୍ନତା ପଦ୍ଧତି ୬୦.୧ପ୍ରତିଶତ ଅପଣାଉଛନ୍ତି। ୧୫ବର୍ଷରୁ ୪୯ବର୍ଷ ମଧ୍ୟରେ ଗର୍ଭଧାରଣ କରି ରକ୍ତହୀନତାର ଶୀକାର ଥିବା ମହିଳା ୬୯.୭ପ୍ରତିଶତ।
୧୫ବର୍ଷରୁ ୧୯ବର୍ଷ ମଧ୍ୟରେ ଥିବା କିଶୋରୀ ଓ ମହିଳା ୭୦.୮ପ୍ରତିଶତ ରକ୍ତହୀନତାରେ ଶୀକାର। ୧୫ବର୍ଷରୁ ଉର୍ଦ୍ଧ୍ବ ମହିଳା ମାନେ ୬୧.୨ ପ୍ରତିଶତ ଯେ କୌଣସି ରକମର ତମାଖୁ ବ୍ୟବହାର କରୁଥିବା ସର୍ଭେ ସମୟରେ ଜଣାପଡିଛି। ସବୁଠାରୁ ସାଂଘାତିକ ବିଷୟ ହେଉଛି ୧୫ବର୍ଷରୁ ଉର୍ଦ୍ଧ୍ବ ୩୬.୨ ପ୍ରତିଶତ ମହିଳା ମଦ୍ୟପାନ କରୁଛନ୍ତି।
ବାଲ୍ୟବିବାହ ବଢୁଛି
ଏହି ସ୍ଥିତରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଏବେ ୧୦୦ଦିନିଆ ବାଲ୍ୟବିବାହ ରୋକିବା କାର୍ଯ୍ୟକ୍ରମ ଶୋଭା ଓ ଆଭା ସହ ମିଶି ଆରମ୍ଭ କରିଛନ୍ତି। ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଅଧିନରେ ୯୯ଟି ସେକ୍ଟରର ୨୩୩୦ଟି ଅଙ୍ଗନୱାଡୀ କେନ୍ଦ୍ରରେ ଏବେ ୧୩,୪୬୪ଜଣ ଗର୍ଭବତୀ ମା’ ରହିଛନ୍ତି। ଏଥିରୁ ରକ୍ତହୀନତା ଓ କମ ବୟସର ଗର୍ଭବତୀ ୭,୪୬୦ ରହିଛନ୍ତି। ଏମାନଙ୍କୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପୃଷ୍ଟକର ଖାଦ୍ୟ ଦିଆଯାଉଛି। ଏହି ସ୍ଥିତିରେ ଅଧିକାଂଶ ଗର୍ଭବତୀ ପ୍ରସବ ବେଳେ ରକ୍ତହୀନତାରୁ ମୃତ୍ୟୁ ମୁଖରେ ପଡୁଥିବା ନଜିର ରହିଛି।
ଜିଲ୍ଲାର ୧୦ଟି ବ୍ଲକର ୧୮୯ଟି ପଂଚାୟତର ୮୮୭ଟି ରାଜସ୍ବ ୧୫୦୦ପଢ଼ା ଗାଁ, ୨ଟି ପୌରାଂଚଳରେ ଗତ ୨୦୨୧ ଜନଗଣନା ଅନୁଯାୟୀ ୧୨,୨୦,୯୪୬ଜଣ ବସବାସ କରୁଛନ୍ତି। ଏଥିରୁ ପୁରୁଷ ୬,୦୪,୮୧୨ (୪୯.୫୯%), ମହିଳା ୬,୧୬,୧୩୪(୫୦.୪୬%)। ସାକ୍ଷର ମହିଳା ୧,୮୩,୩୫୯(୩୮.୯୯%) ରହିଥିବା ବେଳେ ନିରକ୍ଷର ୪.୩୨,୭୩୯(୫୭.୬୫%) ବୋଲି ଜିଲ୍ଲାର ସରକାରୀ ସାମାଜିକ ଗଣମାଧ୍ୟମ ମୁଖପତ୍ରରେ ଉଲ୍ଲେଖ ।
ଏହି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ବାରମ୍ବାର ସ୍ବତନ୍ତ୍ର ସମୀକ୍ଷା କରିବା ସହ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାସମାଜ କଲ୍ୟାଣ ବିଭାଗକୁ ସୂଚନା ଦେଇଛନ୍ତି। ଏନଏଫଏଚଏସ୍ର ସର୍ଭେ ରିପୋର୍ଟ , ବାଲ୍ୟବିବାହ ଓ ମହିଳାଙ୍କ ସ୍ଥିତିକୁ କିଭଳି ସୁଧାରି ହେବ ସେ ଦିଗରେ ପ୍ରୟାସ କରି ଗାଁରୁ ଆରମ୍ଭ କରି ସ୍କୁଲ, କଲେଜରେ ବି ସଚେତନତା ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ଜିଲ୍ଲାସମାଜ କଲ୍ୟାଣୀ ଅଧିକାରୀ ଦ୍ରୈପଦୀ କହଁର।
ଆହୁରି ପଢ଼ନ୍ତୁ:Delhi Pollution: ସାବଧାନ ଦିଲ୍ଲୀବାସୀ ! ଆହୁରି କଲବଲ କରିବ ବାୟୁ ପ୍ରଦୂଷଣ... ଏମିତି କହିଲେ ପରିବେଶ ମନ୍ତ୍ରୀ
ଜିଲ୍ଲା ସ୍ଥିତିର ଗମ୍ଭୀରତାକୁ ଦେଖିକି ଶୋଭା ଅନୁଷ୍ଠାନ ପକ୍ଷରୁ ବାଲ୍ୟ ବିବାହ ରୋକିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ସହ ସାକ୍ଷରତା, ନିଶା ନିବାରଣ, ନିରାପଦମାତୃତ୍ୟ ଆଦିର ସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଛନ୍ତି ସମ୍ପାଦକ ସଞିତ ପଟ୍ଟନାୟକ।
Follow Us