ଷ୍ଟ୍ରଙ୍ଗରୁମ୍‌ରୁ ବାଲଟ୍ ବକ୍ସ ଚୋରି! ପ୍ରଶାସନକୁ ହଟହଟା କଲା ଗୁଜବ

Advertisment
ଷ୍ଟ୍ରଙ୍ଗରୁମ୍‌ରୁ ବାଲଟ୍ ବକ୍ସ ଚୋରି! ପ୍ରଶାସନକୁ ହଟହଟା କଲା ଗୁଜବ

ବାଲିଅନ୍ତା: ଷ୍ଟ୍ରଙ୍ଗରୁମ୍‌ରୁ ବାଲଟ ବକ୍ସ ଚୋରି ହୋଇଯାଇଛି। ବାହାରେ କେଉଁଠି ବାଲଟ୍‌ ବଦଳାଇ ପୁଣି ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ। ଆଜି ଏଭଳି ଏକ ଗୁଜବ ଖେଳିଯିବା ପରେ ବାଲିଅନ୍ତା ବ୍ଲକ୍‌ ପରିସର ଲୋକାରଣ୍ୟ ହୋଇଯାଇଥିଲା। ସବୁ ଦଳର ପ୍ରାର୍ଥୀ ଓ ସମର୍ଥକମାନେ ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ। ଶାସକ ଦଳ ଇଙ୍ଗିତରେ ଏଭଳି ହୀନ ଷଡ଼୍‌ଯନ୍ତ୍ର କରାଯାଇଛି ଓ ବାଲଟ୍‌ ଟାମ୍ପରିଂ କରିବାକୁ ସୁଚିନ୍ତିତ ଯୋଜନା କରାଯାଇଛି ବୋଲି ଅଭିଯୋଗ ହେଲା। ବ୍ଲକ୍ ପ୍ରଶାସନ ଓ ପୁଲିସ ଅଧିକାରୀମାନେ ଯେତେ ବୁଝାଇଲେ ବି କେହି ବୁଝିବାକୁ ନାରାଜ ଥିଲେ। ଶେଷରେ ପ୍ରାର୍ଥୀମାନଙ୍କ ପ୍ରତିନିଧି ଦଳ ସମ୍ମୁଖରେ ଯାଞ୍ଚ ହେବା ପାଇଁ କଥା ଛିଡ଼ିଲା। ଯାଞ୍ଚ ବି ହେଲା। ଯାଞ୍ଚ ପରେ ଏହା ଏକ ଗୁଜବ ବୋଲି ଜଣାପଡ଼ିଥିଲା ଓ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଆଜି ଦିନ ତମାମ୍ ଏହି ଘଟଣା ବାଲିଅନ୍ତାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ, ଆଜି ସକାଳ ୮ଟା ୪୬ ମିନିଟ୍‌ରୁ ଷ୍ଟ୍ରଙ୍ଗରୁମ୍‌ର ସିସି କ୍ୟାମେରା ହଠାତ୍ ଅଚଳ ହୋଇଯାଇଥିଲା। ପ୍ରାୟ ୧୧ଟା ପର୍ଯ୍ୟନ୍ତ ସିସି କ୍ୟାମେରା ସେମିତି ଅଚଳ ହୋଇ ରହିଲା। କେହି ମରାମତି କରିବା ନାଁ ଧରିଲେ ନାହିଁ। ଏହି କଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ବାଲଟ ବକ୍ସ ଚୋରି ହୋଇଛି ବୋଲି ହଠାତ୍ କେହି ପ୍ରଚାର କରିଦେଲା। କଥାଟି ବିଜୁଳି ବେଗରେ ଖେଳିଗଲା। ଚାହୁଁ ଚାହୁଁ ବହୁ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କୁ ଧରି ବ୍ଲକ୍ ପରିସରରେ ଭିଡ଼ ଜମାଇଥିଲେ ଓ ପ୍ରବଳ ହୋ-ହଲ୍ଲା କରିଥିଲେ।

ଖବର ପାଇ ଥାନା ଅଧିକାରୀ, ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ନାରାୟଣ ଚନ୍ଦ୍ର ନାୟକ ଓ ଅତିରିକ୍ତ ତହସିଲଦାର ସଂଯୁକ୍ତା ସ୍ବାଇଁ ପ୍ରମୁଖ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ିନଥିଲା। ଶେଷରେ ଏକ ପ୍ରତିନିଧି ଦଳ ଷ୍ଟ୍ରଙ୍ଗରୁମ୍‌ ଯାଇ ତାଲା ସିଲ୍‌ ଠିକ୍‌ ଥିବା ଦେଖିବା ପରେ ବୁଝିଥିଲେ।

ଆସନ୍ତାକାଲି ବାଲିଅନ୍ତା ପଞ୍ଚାୟତ ସମିତି ପରିସରରେ ଭୋଟ୍‌ ଗଣତି ଆରମ୍ଭ ହେବ। ଖୋର୍ଦ୍ଧା ଜିଲ୍ଲା ପରିଷଦର ୧୬, ୧୭ ଓ ୧୮ ନମ୍ବର ଜୋନ୍‌ର ଭୋଟ୍‌ ଗଣତି ଯଥାକ୍ରମେ ୨୬, ୨୭ ଓ ୨୮ ତାରିଖରେ ହେବ। ଆସନ୍ତାକାଲି ୧୬ ନମ୍ବର ଜୋନ୍‌ରୁ ଗଣତି ଆରମ୍ଭ ହେବ। ସକାଳ ୮ଟା ସମୟରୁ ଭୋଟ୍‌ ଗଣତି ଆରମ୍ଭ ହେବ। ଶୃଙ୍ଖଳା ରକ୍ଷା ପାଇଁ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe