ବର୍ଷ ବର୍ଷର ଅନ୍ଧବିଶ୍ବାସ ବଦଳାଇବାକୁ ପଦକ୍ଷେପ: ଏଣିକି ବସ୍‌ରେ ପ୍ରଥମେ ଚଢ଼ିବେ ମହିଳା ଯାତ୍ରୀ

Advertisment

ଯାତ୍ରୀବାହୀ ବସରେ ପ୍ରଥମ ମହିଳା ଯାତ୍ରୀ ଚଢ଼ିଲେ ଦୁର୍ଘଟଣା ଓ ଗାଡ଼ି ଖରାପ ହେବା ଭଳି ରହିଥିବା ଅନ୍ଧବିଶ୍ବାସକୁ ଦୂର କରିବା ଲାଗି ପଦକ୍ଷେପ ନିଆଯାଇଛି। ଏଥିପାଇଁ ରାଜ୍ୟ ସରକାର ପରିବହନ...

ଯାତ୍ରୀବାହୀ ବସରେ ପ୍ରଥମ ମହିଳା ଯାତ୍ରୀ ଚଢ଼ିଲେ ଦୁର୍ଘଟଣା ଓ ଗାଡ଼ି ଖରାପ ହେବା ଭଳି ରହିଥିବା ଅନ୍ଧବିଶ୍ବାସକୁ ଦୂର କରିବା ଲାଗି ପଦକ୍ଷେପ ନିଆଯାଇଛି। ଏଥିପାଇଁ ରାଜ୍ୟ ସରକାର ପରିବହନ...

cxxcxc

Photograph: ( The New Indian Express)

କଟକ: ଯାତ୍ରୀବାହୀ ବସରେ ପ୍ରଥମ ମହିଳା ଯାତ୍ରୀ ଚଢ଼ିଲେ ଦୁର୍ଘଟଣା ଓ ଗାଡ଼ି ଖରାପ ହେବା ଭଳି ରହିଥିବା ଅନ୍ଧବିଶ୍ବାସକୁ ଦୂର କରିବା ଲାଗି ପଦକ୍ଷେପ ନିଆଯାଇଛି। ଏଥିପାଇଁ ରାଜ୍ୟ ସରକାର ପରିବହନ ବିଭାଗକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି କ୍ରମରେ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ କଟକ ନେତାଜୀ ବସ୍ ଟର୍ମିନାଲରେ ହଠାତ୍‌ ପହଞ୍ଚି ଆଜି ଯାଞ୍ଚ କରିଥିଲେ। ବସ୍‌ରେ ପ୍ରଥମେ ମହିଳା ଯାତ୍ରୀ ଚଢ଼ିବାର ବ୍ୟବସ୍ଥା କରିଥିଲେ। ଏହି ଯାଞ୍ଚ ଆଗାମୀ ଦିନରେ ରାଜ୍ୟର ସମସ୍ତ ବସ୍‌ଷ୍ଟାଣ୍ଡରେ କରାଯିବାକୁ ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ରାଜ୍ୟର ସବୁ ବସ୍‌ଷ୍ଟାଣ୍ଡ୍‌ରେ ଯାଞ୍ଚ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ଯାତ୍ରୀବାହୀ ବସ୍ ଚାଳକ ଓ କର୍ମଚାରୀମାନେ ସାଧାରଣତଃ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ୍‌ରେ ଚଢ଼ାଇ ଦେଉନଥିଲେ। ଏଭଳି କାର୍ଯ୍ୟ ଦ୍ବାରା ଏକ ପ୍ରକାର ମହିଳାଙ୍କୁ ଅସମ୍ମାନ କରାଯାଉଥିଲା। ତେଣୁ ଏଭଳି କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧାରରେ ମଙ୍ଗଳବାର କଟକ ନେତାଜୀ ବସ୍ ଟର୍ମିନାଲରେ ମାରାଥନ୍ ଯାଞ୍ଚ କରାଯାଇଛି। ଏଣିକି ରାଜ୍ୟର ସମସ୍ତ ବସ୍‌ଷ୍ଟାଣ୍ଡରେ ଏଭଳି ଯାଞ୍ଚ ସହିତ ବସ୍ କର୍ମଚାରୀଙ୍କୁ ସଚେତନ କରାଯିବ। ଏଭଳି କୁସଂସ୍କାରକୁ କିଭଳି ରୋକାଯାଇପାରିବ ସେ ନେଇ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ମଙ୍ଗଳବାର ସକାଳୁ ଏସ୍‌ଟିଏ ସଚିବ ଚିନ୍ମୟୀ ବିଶ୍ୱାଳ, ଉପପରିବହନ ଆୟୁକ୍ତ ବିରଞ୍ଚି ନାରାୟଣ ଅଧିକାରୀ ପ୍ରମୁଖ ଏକ ସ୍ୱତନ୍ତ୍ର ଟିମ୍ ସହିତ କଟକ ନେତାଜୀ ବସ୍ ଟର୍ମିନାଲରେ ପହଞ୍ଚି ଯାଞ୍ଚ କରିଥିଲେ। ଯାତ୍ରୀଙ୍କୁ ନେବାକୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ରୁଟ୍‌ର ୨୦ରୁ ଅଧିକ ବସ୍ ଉପରେ ନଜର ରଖିଥିଲେ। ପ୍ରଥମେ ଆସୁଥିବା ମହିଳା ଯାତ୍ରୀଙ୍କ ପ୍ରତି ବସ୍ କର୍ମଚାରୀମାନେ କିଭଳି ବ୍ୟବହାର ଦେଖାଉଛନ୍ତି, ଏହାକୁ ଦୂରରେ ରହି ପରିବହନ ବିଭାଗର ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ଏହାସହିତ ଟର୍ମିନାଲ୍‌ରେ ଥିବା ଅନେକ ମହିଳା ଯାତ୍ରୀଙ୍କଠାରୁ ଏଭଳି କୁସଂସ୍କାର ସମ୍ପର୍କରେ ପଚାରି ବୁଝିଥିଲେ।

ଏସ୍‌ଟିଏ ସଚିବ ଶ୍ରୀମତୀ ବିଶ୍ବାଳ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶରେ ଟିମ୍ ଆଜି ନେତାଜୀ ବସ୍ ଟର୍ମିନାଲରେ ଯାଞ୍ଚ କରିଛି। ମୋଟର ଯାନ ଆଇନ ଅନୁଯାୟୀ, ଯାତ୍ରୀଙ୍କ ମଧ୍ୟରେ ପାତରଅନ୍ତର କରାଯିବା ଦଣ୍ଡନୀୟ ଅପରାଧ। ଏଥିପାଇଁ ଜରିମାନା, ପରମିଟ୍ ରଦ୍ଦ ଭଳି ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଥିବା ଶ୍ରୀମତୀ ବିଶ୍ବାଳ କହିଛନ୍ତି। ଅନ୍ୟପଟେ ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି ଯେ ନାରୀଙ୍କୁ ଦେବୀ ରୂପରେ ବନ୍ଦନା କରାଯାଏ। ମହିଳାଙ୍କ ସମ୍ମାନକୁ ସୁନଶ୍ଚିତ କରିବା କେବଳ ଏସ୍‌ଟିଏର ନୁହେଁ ସମାଜର ସମସ୍ତଙ୍କ ଦାୟିତ୍ୱ। ଯାତ୍ରୀ ପରିବହନରେ କୌଣସି ଅନ୍ଧବିଶ୍ୱାସ କିମ୍ବା କୁସଂସ୍କାରର ବଶବର୍ତ୍ତୀ ହୋଇ କେହି ବି ମହିଳାଙ୍କୁ ଅସମ୍ମାନିତ କରିବା ଉଚିତ ନୁହେଁ। ଯଦି ଏଭଳି କୌଣସି ବେଆଇନ ଘଟଣା ଏସ୍‌ଟିଏ ନଜରକୁ ଆସେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ତେବେ କେବଳ ଯାଞ୍ଚ ନୁହେଁ, ସଚେତନତା ସୃଷ୍ଟି ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସାମାଜିକ ସଂଗଠନ, ବସ୍ ମାଲିକ ସଂଘର ସହଯୋଗ ଲୋଡ଼ାଯାଇଥିବା ଶ୍ରୀ ଠାକୁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe