ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ ପ୍ରସଙ୍ଗ : ଜାନୁଆରିରେ ପରବର୍ତ୍ତୀ ଶୁଣାଣି

Advertisment
ନ୍ୟାୟପାଳିକାର ଜାଗ୍ରତ ପ୍ରହରୀ

କଟକ : ରାଜ୍ୟରେ କାର୍ଯ୍ୟରତ ଥିବା ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ କରିବା ନେଇ ହାଇକୋର୍ଟରେ ଦାୟର ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ତୃତୀୟ ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ‌ଶୁଣାଣି ସମୟରେ ଜବାବ ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୮ ମସିହା ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୯ହଜାର ୮୬୧ଜଣ ଆଇନଜୀବୀ କାର୍ଯ୍ୟରତ ଥିବାବେଳେ ସେମାନଙ୍କୁ ବୃତ୍ତି ଯୋଜନାରେ ସାମିଲ କରିବାକୁ ପ୍ରାର୍ଥନା କରି ଶ୍ରୀ ମହାପାତ୍ର ଏହି ମାମଲା ରୁଜୁ କରିଥିଲେ। ଆଇନଜୀବୀମାନେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ଆଇନଜୀବୀଙ୍କୁ ବୃତ୍ତି ପ୍ରଦାନ କରାଯାଉଥିବା ବେଳେ ମାଡ୍ରାସ ହାଇକୋର୍ଟ ଆଇନଜୀବୀଙ୍କୁ ବୃତ୍ତି ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିବା ସହିତ ଏ ନେଇ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ସରକାର ଆଇନଜୀବୀଙ୍କୁ ବୃତ୍ତି ପ୍ରଦାନ କରିବା ସହ ରାସନ କାର୍ଡ ଯୋଗାଇଦେବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆଇନ ଛାତ୍ରାଛତ୍ରୀଙ୍କ ପାଇଁ ସବୁ ଜିଲ୍ଲାରେ ହଷ୍ଟେଲ ନିର୍ମାଣ ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe