ଲୁଟେରାଙ୍କ ସହ ଲଢ଼ି ଚୋରି ସୁନା ଉଦ୍ଧାର କଲେ ସିଆରପିଏଫ୍ ଯବାନ, ଖସିଗଲା ଚୋର

ଲୁଟେରାଙ୍କ ସହ ଲଢ଼ି ଚୋରି ସୁନା ଉଦ୍ଧାର କଲେ ସିଆରପିଏଫ୍ ଯବାନ, ଖସିଗଲା ଚୋର

ରାୟଗଡ଼ା: ପ୍ରାତଃ ଭ୍ରମଣ ସମୟରେ ମହିଳାଙ୍କ ବେକରୁ ସୁନା ହାର ଲୁଟି ଫେରାର ହୋଇ ଯାଉଥିବା ଲୁଟେରାଙ୍କ ସହ ଲଢ଼ିଛନ୍ତି ସିଆରପିଏଫ୍ ଯବାନ। କୌଶଳକ୍ରମେ ଲୁଟେରା ଯବାନଙ୍କ କବଳରୁ ଖସି ଯାଇଥିଲେ ମଧ୍ୟ ଚୋରି ହୋଇଥିବା ୨ ତୋଳା ସୁନା ହାର ଉଦ୍ଧାର ହୋଇଛି। ଲୁଟେରାଙ୍କ ସହ ସାହସିକତାର ସହ  ଲଢ଼ିଥିବା ଯବାନ ହେଉଛନ୍ତି ସିଆରପିଏଫ୍ ଚତୁର୍ଥ ବାଟାଲିୟନର୍ ହାବିଲଦାର୍ ନାମଦେବ ଗୋଲେ।

ରାୟଗଡ଼ା ଇନ୍ଦିରା ନଗର ଷ‌ଷ୍ଠ ଲାଇନରେ ରହୁଛନ୍ତି ସରୋଜିନୀ ବିଷୋୟୀ। ସବୁ ଦିନ ଭଳି ସରୋଜିନୀ ଆଜି ପ୍ରାତଃ ଭ୍ରମଣରେ ଯିବା ପାଇଁ ଘରୁ ବାହାରିଥିଲେ। ଏହି ସମୟରେ ହିରୋହୋଣ୍ଡା ହଙ୍କ୍ ବାଇକରେ ଦୁଇ ଲୁଟେରା ଷଷ୍ଠ ଲାଇନରେ ଚକ୍କର୍ କାଟୁଥିଲେ। ସରୋଜିନୀ ବେକରେ ସୁନା ହାର ପିନ୍ଧିଥିବା ଦେଖିବା ପରେ ଲୁ‌ଟେରାମାନେ ସରୋଜିନୀ ଯାଉଥିବା ରାସ୍ତାରେ ଅପେକ୍ଷା କରିଥିଲେ। ଘରଠୁ କିଛି ଦୂର ଯିବା ପରେ ଲୁଟେରା ସରୋଜିନୀଙ୍କ ପାଖକୁ ଆସି ବେକରୁ ସୁନା ହାରକୁ ଛିଣ୍ଡାଇ ନେଇଥିଲେ। ସୁନା ହାର ଚୋରି ପରେ ଦୁଇ ଲୁଟେରା ବାଇକରେ ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ସିଆରପିଏଫ୍ ଯବାନ ନାମଦେବ ଘଟଣା ସଂପର୍କରେ ଜାଣି ଦୌଡ଼ି ଲୁଟେରାଙ୍କୁ କାବୁ କରିଥିଲେ। ବାଇକ୍ ଚଳାଉଥିବା ଲୁଟେରା ଖସି ଯାଇଥିବା ବେଳେ ସୁନା ହାର ଧରି ବାଇକ୍ ପଛରେ ବସିଥିବା ଲୁଟେରାକୁ ଯବାନ କାବୁ କରି ନେଇଥିଲେ। କିଛି ସମୟ ଯବାନ-ଲୁଟେରା ମଧ୍ୟରେ ଲଢ଼େଇ ହେବା ପରେ ଚୋରି ହାରକୁ ଲୁଟେରା ନିକଟରୁ ଉଦ୍ଧାର କରିଥିଲେ ନାମଦେବ। ଲୁଟେରାଙ୍କୁ ମଧ୍ୟ ଯବାନ ନାମଦେବ ଧରିଥିବା ବେଳେ କୌଶଳକ୍ରମେ ସାର୍ଟକୁ ଚିରି ଦୌଡ଼ି ପଳାଇଥିଲା ଲୁଟେରା। ଖବର ପାଇ ସ୍ଥାନୀୟ ଲୋକ ଦୌଡ଼ି ଆସିଥିଲେ ମଧ୍ୟ ଖସି ଯାଇଥିବା ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଚୋରି ହାର ପାଇବା ପରେ ସରୋଜିନୀ ଯବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଯବାନ ନାମଦେବଙ୍କ ସାହସିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe