ବାମନଘାଟି ଉପଖଣ୍ଡରେ ପଥର ମାଫିଆଙ୍କ ରାଜୁତି

ମୟୂରଭଞ୍ଜ ଜିଲ୍ଲାରେ ବାଲି ଓ ପଥର ମାଫିଆଙ୍କ ଦୌରାତ୍ମ୍ୟ କମୁନି। ବିନା ଲିଜ୍‌ରେ ସେମାନେ ଲୁଟି ଚାଲିଛନ୍ତି ଶହ ଶହ ଟ୍ରକ ବାଲି ଓ ପଥର । ଜିଲ୍ଲାର ବାମନଘାଟି ଉପଖଣ୍ଡରେ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ଅଧିକାଂଶ ବାଲି ଘାଟ ଓ ପଥର ଖାଦାନରେ ରାଜୁତି କରୁଛନ୍ତି ମାଫିଆ...

Stone mafia

Stone mafia Photograph: (sambad.in)

ରାଇରଙ୍ଗପୁର/ସୁଲେଇପାଟ: ମୟୂରଭଞ୍ଜ ଜିଲ୍ଲାରେ ବାଲି ଓ ପଥର ମାଫିଆଙ୍କ ଦୌରାତ୍ମ୍ୟ କମୁନି। ବିନା ଲିଜ୍‌ରେ ସେମାନେ ଲୁଟି ଚାଲିଛନ୍ତି ଶହ ଶହ ଟ୍ରକ ବାଲି ଓ ପଥର । ଜିଲ୍ଲାର ବାମନଘାଟି ଉପଖଣ୍ଡରେ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ଅଧିକାଂଶ ବାଲି ଘାଟ ଓ ପଥର ଖାଦାନରେ ରାଜୁତି କରୁଛନ୍ତି ମାଫିଆ। ଏବେ ସମାନ ରାସ୍ତା ଆପଣେଇଛନ୍ତି ଜିଲ୍ଲାରେ କିଛି ପଥର ମାଫିଆ। ବିଭାଗର ବିନା ଅନୁମତିରେ ମାସ ମାସ ଏଭଳି ବେଆଇନ କାମ ଚାଲିଛି।

ଦୈନିକ ଗୋଟିଏ ଗୋଟିଏ ପଥର ଖାଦାନରୁ ଶହ ଶହ ଟ୍ରାକ୍ଟର ପଥର କ୍ରସର ୟୁନିଟ୍‌ଗୁଡ଼ିକୁ ଯାଉଛି । ସେଠାରେ ମେଟାଲ,ଚିପ୍‌ସ ବାହାରିବା ପରେ ଜିଲ୍ଲା ନୁହେଁ ବରଂ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟକୁ ଚାଲାଣ ହେଉଛି ।

ଏହାଦ୍ବାରା ପଥର ମାଫିଆ, କ୍ରସର ମାଲିକ ଓ ସ୍ଥାନୀୟ ସରକାରୀ ଅଧିକାରୀ ମଧ୍ୟ ମାଲେମାଲ୍ ହେଉଥିବା ବେଳେ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଇବାକୁ ପଡୁଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଏସବୁ ପଥର ଖଣିକୁ ନିଲାମ କରିବା ପରିବର୍ତ୍ତେ କିଛି କରିତକର୍ମା ପଥର ମାଫିଆଙ୍କୁ ଟେମ୍ପରାରୀ ପାସ୍‌ (ଟିପି) ଦିଆଯାଉଛି । ଏହି ବେଆଇନ କାର୍ଯ୍ୟରେ ସମ୍ପୃ୍କ୍ତ ଅଛନ୍ତି  କିଛି ସରକାରୀ  କର୍ମଚାରୀ। ଯେଉଁମାନେ ମୋଟା ଅଙ୍କର ଅର୍ଥ ନେଇ ମାଫିଆମାନଙ୍କୁ ଏଭଳି ବେଆଇନ କାର୍ଯ୍ୟ କରିବାକୁ ପରୋକ୍ଷରେ ସହାୟତା କରୁଛନ୍ତି ।

ଫଳରେ ସେମାନଙ୍କୁ ଯେତିକି ଟ୍ରାକ୍ଟର ଉତ୍ତୋଳନ କରିବାକୁ ଅନୁମତି ମିଳୁଛି, ତା’ ଠାରୁ ୧୦ ରୁ ୧୫ ଗୁଣ ଅଧିକ ଲୁଟୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଅଫିସର ଓ କିଛି ଅଧିକାରୀ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଦୃଷ୍ଟି ଆଢ଼ୁଆଳରେ ରଖି ଏସବୁ ବେଆଇନ କାମ କରୁଥିବା ଅଭିଯୋଗ ହେଉଛି । ତେବେ କିଛି ପଥର ଖଣିର ଉତ୍ତୋଳନ ବନ୍ଦ ରହିଥିବାବେଳେ ପ୍ରାୟ ଅଧିକାଂଶ ପଥର ଖଣିରେ ବେଆଇନ ବ୍ଲାଷ୍ଟିଂ ସହିତ ଖନନ ‌ହେଉଛି ।

ସ୍ଥାନୀୟ ବାସିନ୍ଦା ପ୍ରତିବାଦ କଲେ ମଧ୍ୟ ପଥର ମାଫିଆଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ। ପଥର ଖଣି ଗୁଡ଼ିକରୁ ବର୍ଷକୁ ଯେତିକି ରାଜସ୍ବ ଆଦାୟ ପାଇଁ ଟାର୍ଗେଟ ଦିଆଯାଉଛି। ତା’ ଠାରୁ କମ୍ ରାଜସ୍ବ ଆଦାୟ ହେଉଛି । ବିନା ଅନୁମତିରେ ପଥର ଖଣି କେମିତି ଅବାଧରେ ଖୋଳା ଚାଲିଛି ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ।

ସୂଚନାଯୋଗ୍ୟ, ଉପଖଣ୍ଡର କୁସୁମୀ,ରାଇରଙ୍ଗପୁର, ଜାମଦା,ବିଜାତଳା, ତିରିଂ,ବହଳଦା ତହସିଲ ଅଧିନରେ ପ୍ରାୟ ୭୦ ରୁ ଅଧିକ ପଥର ଖଣି ରହିଛି। ସେଥିମଧ୍ୟରୁ ହାତ ଗଣତି କେତୋଟି ପଥର ଖଣି ଲିଜ୍‌ରେ ଚାଲିଛି। ଆଉ କିଛି ଟିପିରେ ଏବଂ ଅବଶିଷ୍ଟ ବିନା ଲିଜ୍‌ରେ ବେଧଡକ ଚାଲିଛି ।

ଅଧିକ ପଢ଼ନ୍ତୁ: ଟାଙ୍ଗିଆ ବେଣ୍ଟରେ ପିଟିପିଟି ମାରିଦେଲା ସ୍ବାମୀ

କିଛି ପଥର ମାଫିଆ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ହାତ ମିଳାଇ ବର୍ଷ ବର୍ଷ ଧରି ବେଆଇନ ବ୍ଲାଷ୍ଟିଂ କରୁଛନ୍ତି। ସେସବୁ ଖାଦାନରୁ ପଥର ଉତ୍ତୋଳନ କରି ନିକଟସ୍ଥ କ୍ରସର ୟୁନିଟ୍‌ଗୁଡ଼ିକୁ ଯୋଗାଣ କରୁଛନ୍ତି । କ୍ରସର ୟୁନିଟ୍‌ଗୁଡ଼ିକରୁ ଚିପ୍‌ସ ଓ ମେଟାଲ ବାହାରିବା ପରେ ରାତାରାତି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପଡୋଶୀ ଝାଡଖଣ୍ଡ ରାଜ୍ୟକୁ ଚାଲାଣ କରି ଦିଆଯାଉଛି।

ଏପରି ବେଆଇନ କାର୍ଯ୍ୟ କରି ମାଲେମାଲ୍‌ ହେଉଥିବା ପଥର ମାଫିଆଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ କିମ୍ବା ମାଇନିଙ୍ଗ ଅଫିସର ପକ୍ଷରୁ କୌଣସି  କାର୍ଯ୍ୟାନୁଷ୍ଠାନ ହେଉନାହିଁ । ବରଂ ପରୋକ୍ଷରେ ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ଚର୍ଚ୍ଚା ହେଉଛି। ଏ ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ଜିତେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ଫୋନ୍ କାଟି ଦେଇଥିଲେ। ତେବେ ପଥର ଚୋରିର ଚେର କେତେବାଟ ଲମ୍ବିଛି, ଏହାର ବିଧିବଦ୍ଧ ତଦନ୍ତ ହେବାରେ ଆବଶ୍ୟକତା ରହିଛି ଅଞ୍ଚଳବାସୀ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ଯୋଜନାରେ ୨୫,୦୦୦ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe