ଶକ୍ତି ସମ୍ପର୍କିତ ଗୃହ କମିଟି ବୈଠକରେ ବାଚସ୍ପତିଙ୍କ ତାଗିଦ୍: ଗ୍ରାମାଞ୍ଚଳରେ ବିଦ୍ୟୁତ କାଟ୍‌ ବନ୍ଦ କର

ଉପଭୋକ୍ତା ଆଶ୍ବସ୍ତ: ବଢ଼ିବନି ବିଜୁଳି ଦର, ବିଲ୍‌ ପଇଠରେ ବିଳମ୍ବ ହେଲେ ଜରିମାନା ନାହିଁ

New Indian Express

ଭୁବନେଶ୍ବର : ରାଜ୍ୟର ଗ୍ରାମାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ବହୁ ସମୟ ଧରି ବିଦ୍ୟୁତ କାଟ୍ ହେଉଥିବାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ବ୍ୟବସ୍ଥାରେ ଉନ୍ନତିକରଣ କରିବାକୁ ଟାଟା କମ୍ପାନିର ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଦିନ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଶକ୍ତି ସମ୍ପର୍କିତ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି ଶ୍ରୀ ପାତ୍ର ଅଧ୍ୟକ୍ଷତା କରି ରାଜ୍ୟରେ ସାମଗ୍ରିକ ଭାବେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଉପରେ ସବିଶେଷ ଆଲୋଚନା କରିଛନ୍ତି। ଏହାସହ ବିଦ୍ୟୁତ ହିତାଧିକାରୀମାନଙ୍କୁ ଉନ୍ନତମାନର ସେବା ଯୋଗାଇବାକୁ ଶ୍ରୀ ପାତ୍ର ଟାଟା କମ୍ପାନିର ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଉଥିବା ଦେୟ ସିଧାସଳଖ କାର୍ଯ୍ୟାଳୟରେ ଜମା କରିବା ବ୍ୟବସ୍ଥା ଗ୍ରହଣ କରିବାକୁ ବାଚସ୍ପତି କହିଥିଲେ। ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ୪ଟି ବଣ୍ଟନ ସଂସ୍ଥାକୁ ଏ ସଂକ୍ରାନ୍ତରେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ। ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ଉନ୍ନତି ପାଇଁ ଉଚ୍ଚ କ୍ଷମତାସଂପନ୍ନ ଟ୍ରାନ୍ସଫର୍ମର ବସାଇବା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଥିବା ଶ୍ରୀ ଧଳ ଗୃହ କମିଟିକୁ କହିଥିଲେ।

ମାର୍ଚ୍ଚ ୨୦୨୫ ସୁଦ୍ଧା ସାରା ଦେଶରେ ବିଦ୍ୟୁତ ଦେୟକୁ ସୁନିୟନ୍ତ୍ରିତ କରିବା ପାଇଁ ସ୍ମାର୍ଟ ମିଟର ପ୍ରଚଳନ ହେଉଥିବା ପରିପ୍ରେକ୍ଷୀରେ ଆମ ରାଜ୍ୟରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହାକୁ ସଂପନ୍ନ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଥିଲେ। ଯେଉଁ ପଡ଼ା କିମ୍ବା ଗୃହଗୁଡ଼ିକରେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ ତାହାକୁ ତ୍ବରାନ୍ବିତ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଲୋ-ଭୋଲଟେଜ୍ ସମସ୍ୟା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହା ଉପରେ ସବିଶେଷ ଆକଳନ ହୋଇଥିବା ବୈଠକରେ କୁହାଯାଇଥିଲା। ବ୍ୟାପକ ସର୍ଭେ ପରେ ଏହି ସମସ୍ୟା ଦୂର କରିବା ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କର୍ତ୍ତୃପକ୍ଷ କହିଥିଲେ। ଏଥିପାଇଁ ୧୧୦୭କୋଟି ଟଙ୍କାର ପ୍ରାବଧାନ ଥିବାବେଳେ ଏହା ପର୍ଯ୍ୟାପ୍ତ ନୁହେଁ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ବର୍ଦ୍ଧିତ ଅର୍ଥ ବ୍ୟବସ୍ଥା କରାଯିବ ବୋଲି ଶକ୍ତି ବିଭାଗ ପ୍ରମୁଖ ସଚିବ କହିଥିଲେ। ସେହିପରି ବିତରକ କାର୍ଯ୍ୟରତ ଶ୍ରମିକମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଦେବା ପାଇଁ ବାଚସ୍ପତି ଟାଟା କମ୍ପାନି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି କମ୍ପାନି କର୍ତ୍ତୃପକ୍ଷ କହିଛନ୍ତି। ଏହି ବୈଠକରେ ବିଧାୟକ ଶ୍ରୀକାନ୍ତ ସାହୁ , ବିଧାନସଭା ସଚିବ ଦାଶରଥୀ ଶତପଥୀ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe