ବନ୍ଦ ହେଉନି ନକଲି ମୋତି କାରବାର: ଚିଲିକାରେ ଠକଙ୍କ କବଳରେ ପର୍ଯ୍ୟଟକ, ବେପାରୀଙ୍କ ଉପରେ ଲଗାମ ନାହିଁ

ବନ୍ଦ ହେଉନି ନକଲି ମୋତି କାରବାର: ଚିଲିକାରେ ଠକଙ୍କ କବଳରେ ପର୍ଯ୍ୟଟକ, ବେପାରୀଙ୍କ ଉପରେ ଲଗାମ ନାହିଁ

ବ୍ରହ୍ମଗିରି: ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ନୀଳମ୍ବୁ ଚିଲିକାକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ଚିଲିକା ବୁଲିବା ବେଳେ ପର୍ଯ୍ୟଟକ ନୂଆ ମୁହାଣ ବୁଲିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ଚିଲିକା କୂଳରେ ଥିବା ସାତପଡ଼ା, ଗବକୁଣ୍ଡ, ସିପକୁଦା, ମିର୍ଜାପୁର, ଗଙ୍ଗାଧରପୁର ଆଦି ଜେଟିଗୁଡିକରୁ ପର୍ଯ୍ୟଟକ ଏହିସବୁ ସ୍ଥାନକୁ ବୁଲିବାକୁ ଯାଇଥାନ୍ତି। ଡଲ୍‌ଫିନ, ନାଲି କଙ୍କଡ଼ା ଦ୍ବୀପ ସହିତ ସମୁଦ୍ର ଓ ଚିଲିକାର ମିଳନସ୍ଥଳୀ ନୂଆ ମୁହାଣ ଦେଖିବାକୁ ପର୍ଯ୍ୟଟକ ଯାଇଥାନ୍ତି। କିନ୍ତୁ ଏହି ନୂଆ ମୁହାଣ ଅଞ୍ଚଳରେ ପର୍ଯ୍ୟଟକଙ୍କୁ ଶୋଷଣ କରିବାକୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ନକଲି ମୋତି ବେପାରୀ ଜଗି ରହିଥାଏ। ପର୍ଯ୍ୟଟନ ଋତୁ ଆସିଲେ ଏହି ବେପାରୀମାନେ ଅଧିକ ସକ୍ରିୟ ହୋଇଉଠନ୍ତି।

ମୁହାଣର ବାଲୁକା ସ୍ତୁପ ଉପରେ ଏହି ବେପାରୀମାନେ ପର୍ଯ୍ୟଟକଙ୍କୁ ଅପେକ୍ଷା କରି ରହିଥାନ୍ତି। ଶାମୂକା ପେଟରୁ ମୋତି ବାହାରୁଥିବା କହି ଏହାକୁ ୫ରୁ ୫୦ ହଜାର ଟଙ୍କା ମଧ୍ୟରେ ବିକ୍ରି କରିଥାନ୍ତି ଏହି ବେପାରୀ। ପ୍ରତି ଦିନ ନକଲି ମୋତି କାରବାର ୩ରୁ୪ ଲକ୍ଷ ଟଙ୍କାର ହେଉଥିବା ଜଣାପଡ଼ିଛି। ଗତ ୫ ବର୍ଷର ରେକର୍ଡକୁ ଦେଖିଲେ ଜଣାପଡ଼େ ଚିଲିକାରେ ନକଲି ମୋତି ବେପାର ଅଭିଯୋଗ ୭୦ଟି ଆସିଛି। ସେଥିମଧ୍ୟରେ ୪ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। କିଛି ବର୍ଷ ପୂର୍ବରୁ ବ୍ରହ୍ମଗିରି ଥାନାରେ ଜଣେ ଦକ୍ଷିଣ ଆଫ୍ରିକାର ପର୍ଯ୍ୟଟକ ଏନେଇ ଅଭିଯୋଗ କରିବା ପରେ ପୁଲିସ ଚଢାଉ କରି ଜଣେ ନକଲି ମୋତି ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପରେ ସଂପୃକ୍ତ ପର୍ଯ୍ୟଟକଙ୍କୁ ୪୫ ହଜାର ଟଙ୍କା ଫେରସ୍ତ ଦେଇଥିଲା। ନକଲି ମୋତି ବେପାରକୁ ରୋକିବାକୁ ସ୍ଥାନୀୟ ପୁଲିସ ମୁତୟନ କରିଥିବା ବେଳେ ସେମାନଙ୍କ ପାଲଟା ଆକ୍ରମଣରେ କିଛି କର୍ମଚାରୀ ଲହୁଲୁହାଣ ହୋଇଥିଲେ। ତିନି ବର୍ଷ ପୂର୍ବେ ନକଲି ମୋତି ବେପାରିଙ୍କୁ ଧରିବାକୁ ପୁଲିସର ଏକ ଟିମ ଚିଲିକାରେ ଫାଙ୍କା ଗୁଳି ଫୁଟାଇ ୪ଜଣଙ୍କୁ କାବୁ କରିଥିଲା। ବ୍ରହ୍ମଗିରି ଥାନା ପାଖରେ ପର୍ଯ୍ୟଟକ ଗାଡ଼ିଗୁଡ଼ିକରୁ ଅନେକ ଥର ନକଲି ମୋତି ପୁଲିସ ଜବତ କରିଛି। ତଥାପି ବର୍ଷ ବର୍ଷ ଧରି ଏହି ବେପାର ଅବାଧରେ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe