ରୋକିହେଉନି ଶିଶୁ ଚାଲାଣ, ୫ ବର୍ଷରେ ଚାଲାଣ ସଂଖ୍ୟା ୧୩୦

ରୋକିହେଉନି ଶିଶୁ ଚାଲାଣ, ୫ ବର୍ଷରେ ଚାଲାଣ ସଂଖ୍ୟା ୧୩୦

iPleaders

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ରୋକିହେଉନି ମାନବ ଚାଲାଣ। ଚାଲାଣର ମଧ୍ୟସ୍ଥି ସାଜୁଛନ୍ତି ଉପାନ୍ତ ବ୍ଲକର କାର୍ଯ୍ୟ କରୁଥିବା କିଛି କରିତକର୍ମା ଦଲାଲ। ନିରୀହ ଆଦିବାସୀଙ୍କ ପରିବାରକୁ ମାସକୁ ମୋଟା ଅଙ୍କର ରୋଜଗାର ଲୋଭ ଦେଖାଇ ୧୪ ବର୍ଷରୁ କମ୍‌ ପୁଅ ଝିଅକୁ  ଗୁଜୁରାଟ, ଦିଲ୍ଲୀ, ମୁମ୍ବାଇ, ଆନ୍ଧ୍ରପ୍ରଦେଶ ଓ ଜମ୍ମୁକାଶ୍ମୀର ଆଦି ରାଜ୍ୟକୁ ଚାଲାଣ କରୁଛନ୍ତି। ଚାଲାଣ କରିବାର ମୁଖ୍ୟ ମାଧ୍ୟମ ସାଜିଛି ଟ୍ରେନ୍‌। କିଛି ନାବାଳକ ଓ ନାବାଳିକାଙ୍କୁ ମାଲିକଙ୍କ ସହ ଭିତିରି ସଲାସୁତୁରା କରି ମୋଟା ଅଙ୍କର ନେଇ ବିକ୍ରି ମଧ୍ୟ କରି ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। କିନ୍ତୁ ଏହାର ଟେର୍‌ ପାଉ ନାହାନ୍ତି ବିଭାଗୀୟ ଅଧିକାରୀ।  ଜିଲ୍ଲା ଶ୍ରମ ବିଭାଗ ହେଉ ଅବା ଜିଲ୍ଲା ପ୍ରଶାସନ ଯେମିତି ଚୁପ୍‌ ବସିଛନ୍ତି।

ସରକାରୀ ଭାବେ ସୁନ୍ଦରଗଡ଼ର ଯେତିକି ନାବାଳକ ଓ ନାବାଳିକା ରାଜ୍ୟର ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲାଣ ହୋଇଥିବା କୁହା ଯାଉଛି, ବାସ୍ତବ କ୍ଷେତ୍ରରେ କିନ୍ତୁ ବହୁତ ଅଧିକ। ଜିଲ୍ଲା ଶିଶୁ ସୁରକ୍ଷା ସଂସ୍ଥା ପକ୍ଷରୁ  ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୫ ବର୍ଷରେ ମୋଟ ୧୩୦ ନାବାଳକ ଓ ନାବାଳିକା ରାଜ୍ୟ ବାହାରକୁ ଚାଲାଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନାବାଳିକା ସଂଖ୍ୟା ହେଉଛନ୍ତି ୬୯।  ଜିଲ୍ଲାର କୁଆରମୁଣ୍ଡା, ନୂଆଗାଁ, ରାଜଗାଙ୍ଗପୁର, ଲାଠିକଟା, ରାଉରକେଲା ମହାନଗର ନିଗମ, ବଣାଇ, ଲହୁଣିପଡା, ଲେଫ୍ରିପଡା, ବାଲିଶଙ୍କରା, ହେମଗିରି, କୁତ୍ରା,  ସବ୍‌ଡେଗା, କୋଇଡା,  ବୀରମିତ୍ରପୁର ଆଦି ଅଞ୍ଚଳରୁ ନାବାଳକ ଓ ନାବାଳିକାମାନେ ଦଲାଲଙ୍କ ଜରିଆରେ ରାଜ୍ୟ ବାହାରକୁ ଚାଲାଣ ହେଉଛନ୍ତି।

ଗତ ୨୦୧୭-୧୮ରେ ନୂଆଗାଁ, ରାଜଗାଙ୍ଗପୁର, କୁଆରକୁଣ୍ଡା, ଲାଠିକଟା ଓ ରାଉରକେଲା ମହାନଗର ନିଗମ ଏରିଆରୁ ୭ ଜଣ ୧୪ ବର୍ଷରୁ କମ୍‌ ପୁଅ ଝିଅଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଛି। ୨୦୧୮-୧୯ରେ  ନୂଆଗାଁରେ ୫,  ରାଜଗାଙ୍ଗପୁରରେ ୪,  କୁଆରମୁଣ୍ଡାରୁ ୪,  ଲାଠିକଟାରୁ ୩, ବଣାଇ ଅଞ୍ଚଳରୁ ସର୍ବାଧିକ ୧୮, ରାଉରକେଲା ମହାନଗରରୁ ୧୫ ଜଣଙ୍କୁ ଚାଲାଣ କରାଯାଇଛି। ୨୦୧୯-୨୦​୨୦ରେ ନୂଆଗାଁ, ରାଜଗାଙ୍ଗପୁର, କୁଆରମୁଣ୍ଡା, ଲାଠିକଟା, ବଣାଇ, ଲହୁଣିପଡା, ରାଉରକେଲା ମହାନଗର ନିଗମ, ଲେଫ୍ରିପଡା, ବାଲିଶଙ୍କରା, ହେମଗିରି, କୁତ୍ରା, ବିଶ୍ରା, ସବ୍‌ଡେଗା ଓ ବୀରମତ୍ରପୁର ଅଞ୍ଚଳରୁ ମୋଟ ୩୪  ଜଣଙ୍କୁ ଚାଲାଣ କରାଯାଇଛି। ୨୦୨୦-୨୧ରେ ରାଜଗାଙ୍ଗପୁର ଓ କୋଇଡାରୁ  ମାତ୍ର ୨ ଜଣଙ୍କୁ ଚାଲାଣ କରାଯାଇଛି। ୨୦୨୧-୨୨ ନୂଆଗାଁ, ରାଜଗାଙ୍ଗପୁର, କୁଆରମୁଣ୍ଡା, ଲାଠିକଟା, ବଣାଇ, ଲହୁଣିପଡା, ରାଉରକେଲା ମହାନଗର ନିଗମ,  ଲେଫ୍ରିପଡା, ବାଲିଶଙ୍କରା ଓ ହେମଗିରି ଅଞ୍ଚଳରୁ  ୨୩ ଜଣଙ୍କୁ ରାଜ୍ୟ ବାହାକୁ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe