ଥମୁନି ଦିବ୍ୟଶଙ୍କର ଝଡ଼, ତୃତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା

ବିଧାନସୌଧ ଚାରିପଟେ ଗଙ୍ଗାପାଣି ସିଞ୍ଚି ଧୂପ ଦେଲେ ବିଜେପି ବିଧାୟକ

ଥମୁନି ଦିବ୍ୟଶଙ୍କର ଝଡ଼, ତୃତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା

ବିଧାନସଭା ପରିସରରେ ଗଙ୍ଗାପାଣି ସିଞ୍ଚୁଛନ୍ତି ବିଜେପି ବିଧାୟକ

ଭୁବନେଶ୍ୱର : ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଝଡ଼ ଥମିବାର ନାଁ ଧରୁନି। ଏହି ଝଡ଼ର ପ୍ରଭାବରେ ଶୁକ୍ରବାର ଲଗାତର ତୃତୀୟ ଦିନ ପାଇଁ ଗୃହ କାର୍ଯ୍ୟ ଉଡ଼ିଯାଇଛି। ପ୍ରଥମାର୍ଦ୍ଧରେ ୨ ମିନିଟ୍ ଓ ଦ୍ବିତୀୟାର୍ଦ୍ଧରେ ୮ ମିନିଟ୍‌ରେ ଗୃହ କାର୍ଯ୍ୟ ସୀମିତ ରହିଥିଲା। ଗୃହ ଭିତରେ ପ୍ରତିବାଦର ଯଥେଷ୍ଟ ସୁଯୋଗ ମିଳୁ ନ ଥିବାରୁ ବିଧାନସଭା ପରିସରରେ ବିରୋଧୀ ତାଙ୍କ କଡ଼ା ବିରୋଧ ଜାରି ରଖିଥିଲେ। ବିଜେପି ସଭ୍ୟମାନେ ବିଧାନସୌଧର ଚାରି ପଟେ ଗଙ୍ଗାଜଳ ସିଞ୍ଚିବା ସହ ଝାଡ଼ୁ ମାରିଥିଲେ ଓ ଧୂପ ଦେଇଥିଲେ। କଂଗ୍ରେସ ସଭ୍ୟମାନେ ବିଧାନସଭା ପରିସରରେ ପ୍ଲାକାର୍ଡ ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ।

ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଯାଇଥିଲେ। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ନାରାବାଜି କରିଥିଲେ। ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଶୁଣି ନ ଥିଲେ। ବାଚସ୍ପତି କହିଥିଲେ, ‘ଗୃହ ମଧ୍ୟ ଭାଗରେ ଯେତେ ରଡ଼ି ଛାଡ଼ିଲେ ବି ତାହା ରେକର୍ଡ ହେବ ନାହିଁ। ନିଜ ନିଜ ଆସନକୁ ଫେରି ଯାହା କହିବା କଥା ସେଠାରେ କୁହନ୍ତୁ।’ କିନ୍ତୁ ବିରୋଧୀ ଶୁଣିବା ସ୍ଥିତିରେ ନ ଥିଲେ। ଫଳରେ ପ୍ରଶ୍ନକାଳ ଆରମ୍ଭ ହେବା ସ୍ଥିତି ନ ଥିଲା। ବାଚସ୍ପତି ୨ ମିନିଟ୍ ପରେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ଯାଏ ମୁଲତବୀ ରଖିଲେ। ୧୧ଟା ୩୦ରେ ସମାନ ସ୍ଥିତି ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କଲେ।

ଏହି ସମୟରେ ବିଜେପି ବିଧାୟକମାନେ ବିଧାନସୌଧର ଚାରି ପଟେ ବୁଲି ବୁଲି ବିଶୋଧନ କଲେ। ସେମାନଙ୍କର ଅଭିଯୋଗ ଥିଲା ଯେ ମମିତା ହତ୍ୟାକାଣ୍ଡରେ ଅଭିଯୁକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ପବିତ୍ର ବିଧାନସଭାକୁ ଆସି ଏହାକୁ ଅପବିତ୍ର କରିଛନ୍ତି। କିଛି ବିଧାୟକ ଗଙ୍ଗାଜଳ ଛିଞ୍ଚୁଥିଲା ବେଳେ ଆଉ କିଛି ବିଧାୟକ ଝାଡ଼ୁ ମାରୁଥିଲେ। ଜଣେ ବିଧାୟକ ଧୂପ ବୁଲାଉଥିଲେ। ବିଜେପି ବିଧାୟକମାନେ ଦଳଗତ ଭାବେ ବୁଲି ବୁଲି ବିଶୋଧନ କରୁଥିଲା ବେଳେ ସେଠାରେ ଅଭାବନୀୟ ଦୃଶ୍ୟ ସୃଷ୍ଟି ହୋଇଥିଲା। ଶାସକ ଦଳ ସଭ୍ୟମାନେ ଏହାକୁ ଦେଖି ନ ଦେଖିଲା ପରି ବାଟ ଭାଙ୍ଗି ଚାଲିଯାଇଥିଲେ।

publive-image ଗୃହ ଭିତରେ ବିରୋଧୀଙ୍କ ବ୍ୟାନର ପ୍ରଦର୍ଶନ

ବିଧାନସଭା ପରିସରରେ କଂଗ୍ରେସ ବିଧାୟକମାନେ ମଧ୍ୟ ବ୍ୟାନର୍ ଦେଖାଇ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ। ସରକାରଙ୍କ ଆଭିମୁଖ୍ୟକୁ ସେମାନେ କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କଂଗ୍ରେସ ଖୁବ ଶୀଘ୍ର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିବ। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ ପାଇଁ ଦାବି କରିଛି କଂଗ୍ରେସ। ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି ତା’ହେଲେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରହିବ।

ଅପରାହ୍ଣ ୪ଟାରେ ବି ପରିସ୍ଥିତି ଅପରିବର୍ତ୍ତିତ ରହିଲା। ବିରୋଧୀ ସଭ୍ୟମାନେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ ଜାରି ରଖିଲେ। ଚେୟାର ଉପରେ ଠିଆ ହୋଇ ବାଚସ୍ପତିଙ୍କ ପୋଡିୟମ୍ ବାଡ଼େଇଲେ। ଏହି ସମୟରେ ବିବୃତି ରଖିବାକୁ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ କହିଲେ। ନବୀନ ନିବାସରେ ଥାଇ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଗୃହ କାର୍ଯ୍ୟରେ ସାମିଲ ହୋଇ ମମିତା ମେହେର ହତ୍ୟାକାଣ୍ଡ ଓ ତାହାର ତଦନ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ଦେଇଥିଲେ। ତାଙ୍କ ବିବୃତି ସରିଲା ମାତ୍ରେ ୪ଟା ୮ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ଗଙ୍ଗା ଜଳ ସିଞ୍ଚିବା ଘଟଣାକୁ ସମାଲୋଚନା କରି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ ପ୍ରଥମେ ବିଜେପି ଲୋକସଭା ଓ ଉତ୍ତରପ୍ରଦେଶ ବିଧାନସଭାକୁ ଶୁଦ୍ଧି କରୁ। ଉତ୍ତରପ୍ରଦେଶ ଓ ଲୋକସଭାରେ ଅନେକ ନର ହତ୍ୟାକାରୀ ଥିବା ବେଳେ ଗଙ୍ଗା ନଦୀ ମଧ୍ୟ ସେଠାରୁ ପାଖ ବୋଲି ସେ କଟାକ୍ଷ କରିଥିଲେ। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀ ଏଭଳି ଆଚରଣ କରୁଥିବା ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe