ଝାରସୁଗୁଡ଼ା: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ ରବିବାର ଅପରାହ୍ନ ପ୍ରାୟ ୨ଟାରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା। ଏହିସମୟରେ ସମ୍ବଲପୁର ପାର୍ଶ୍ବରୁ ଝାରସୁଗୁଡ଼ା ଜିଲ୍ଲାର ପ୍ରବେଶ ଦ୍ବାର କୁହାଯାଉଥିବା ଖେରୁଆଲ ବ୍ରିଜ୍ ନିକଟରେ ଦେଖା ଦେଇଥିବା ‘ପାଉଁଶ ଝଡ଼’ ବିଜୁ ଏକ୍ସପ୍ରେସ୍ ୱେ’ରେ ଯାଉଥିବା ଲୋକଙ୍କୁ ଆତଙ୍କିତ କରିଦେଇଥିଲା। ପ୍ରାୟ ୧୫ ମିନିଟ୍ ଯାନବାହନ ଏବଂ ପଥଚାରୀମାନେ ବି ନିଜ ନିଜ ସ୍ଥାନରେ ଅଟକି ରହିଥିଲେ।
ହସ୍ତଗତ ସୂଚନା ଅନୁସାରେ, ରାସ୍ତା କଡ଼ରେ ଡମ୍ପିଂ ହେଉଥିବା ପାଉଁଶ ପବନରେ ପ୍ରବଳ ମାତ୍ରାରେ ଉଡ଼ିବା ଫଳରେ ସମଗ୍ର ରାସ୍ତା ଅନ୍ଧକାରମୟ ହୋଇ ଯାଇଥିଲା। କେବଳ ସେତିକି ନୁହେଁ, ହାତ ପାଆନ୍ତାରେ କଳାହାଣ୍ଡିଆ ମେଘ ଥିବାର ଭ୍ରମ ବି ସୃଷ୍ଟି କରିଥିଲା।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗତ କିଛିଦିନ ହେବ ବିଜୁ ଏକ୍ସପ୍ରେସ୍ ୱେ’ କଡ଼ରେ ବେଧଡ଼କ ପାଉଁଶ ଡମ୍ପିଂ ଜାରିରହିଛି। ସୁନ୍ଦରଗଡ଼ ଜିଲ୍ଲାର ଭସ୍ମାରୁ ନେଇ ଝାରସୁଗୁଡ଼ାର ତାଳପଟିଆ, ଝାରସୁଗୁଡ଼ା ଜିଲ୍ଲାର ଖେରୁଆଲରୁ ନେଇ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଯାଏ ରାସ୍ତାର ଉଭୟ ପାର୍ଶ୍ବରେ ଖୋଲାଖୋଲି ଟନ୍ ଟନ୍ ପାଉଁଶ ଢାଳି ଦିଆଯାଉଛି। ଭସ୍ମା ଟୋଲ୍ଗେଟ୍ ନିକଟରେ ଗାଡ଼ି ଅଟକୁଥିବା ବେଳେ ସାମାନ୍ୟ ପବନରେ ଲୋକଙ୍କ ଶରୀର ପାଉଁଶମୟ ହୋଇଯାଉଛି। ଅନ୍ୟପକ୍ଷରେ, ପାଉଁଶ ପରିଚାଳନା ନେଇ ଏସ୍ବିସିବିର ସ୍ବତନ୍ତ୍ର ଗାଇଡ୍ଲାଇନ୍ ଥିବା ସତ୍ତ୍ବେ ଆଞ୍ଚଳିକ ଅଧିକାରୀ ନିରବଦ୍ରଷ୍ଟା ସାଜୁଛନ୍ତି।
ବିଜୁ ଏକ୍ସପ୍ରେସ୍ ୱେ’ରେ ପାଉଁଶ ଝଡ଼: ୧୫ ମିନିଟ୍ ପାଇଁ ଅଟକିଗଲା ଜୀବନଯାତ୍ରା
Advertisment
Follow Us