୨୬ରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ବାତ୍ୟା, ୨୫ରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ

Advertisment

ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଲାଂଦେଶକୁ ରହିଛି ବିପଦ

ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଲାଂଦେଶକୁ ରହିଛି ବିପଦ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ, ବାତ୍ୟା ଚିତ୍ର ଏବେବି ଅସ୍ପଷ୍ଟ

YouTube

କେଉଁଠି ସ୍ଥଳଭାଗକୁ ଛୁଇଁବ, ୨୨ତାରିଖରେ ଜଣାପଡ଼ିବ

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ମେ' ୨୨ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ୭୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ। ଏହା କେତେ ଭୀଷଣ ହେବ, ସର୍ବୋପରି ପବନର ତୀବ୍ରତା କଣ ହେବ, କେଉଁ ସ୍ଥାନରେ କେବେ ସ୍ଥଳଭାଗ ଛୁଇଁବ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏବେ ଦିଆଯାଇପାରିବ ନାହିଁ। ଆଜି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ‘ସମ୍ବାଦ’କୁ ଏଭଳି ସୂଚନା ଦେଇ କହିଛନ୍ତି ଯେ ୨୬ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ଉତ୍ତର ବଙ୍ଗୋପସାଗରରେ ପହଞ୍ଚିଯାଇଥିବ। ଏହି ଅଞ୍ଚଳ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଲାଂଦେଶ ସଂଲଗ୍ନ ଥିବାରୁ ନିର୍ଦିଷ୍ଟ କେଉଁସ୍ଥାନରେ ଏହା ସ୍ଥଳଭାଗ ଛୁଇଁବ, ତାହା ୨୨ ତାରିଖ ପରେ ଆକଳନ କରାଯାଇପାରିବ। ତେବେ ରାଜ୍ୟମାନେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଆରମ୍ଭ କରିବା ଲାଗି ତଥା ସପ୍ତାହ ବ୍ୟାପି ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ଆଗୁଆ ସତର୍କ କରାଇବା ଉଦ୍ଦେଶ୍ୟରେ ଆଇଏମ୍‌ଡି ଏହି ପୂର୍ବାନୁମାନ କରିଛି।

ଅନ୍ୟପକ୍ଷରେ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ତୁରନ୍ତ ସ୍ଥିତି ସମୀକ୍ଷା କରିବା ସହିତ ସଂଲଗ୍ନ ଜିଲ୍ଲା ପ୍ରଶାସନ ସହିତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି। ପରିସ୍ଥିତି ଉପରେ ସରକାର ତୀକ୍ଷ୍ମ ନଜର ରଖିଥିବା ଶ୍ରୀ ଜେନା କହିଛନ୍ତି। ଆଇଏମ୍‌ଡି ସହିତ ରାଜ୍ୟ ସରକାର ନିୟମିତ ଯୋଗାଯୋଗରେ ଅଛନ୍ତି ଓ ବାତ୍ୟାର ରୂପରେଖ ଆଦୌ ସ୍ପଷ୍ଟ ହୋଇନଥିବା ପରିପ୍ରେକ୍ଷୀରେ ଏହାକୁ ନେଇ କୌଣସି ଗୁଜବ ନକରିବା ଲାଗି ସେ କହିଛନ୍ତି।

ଅନ୍ୟପକ୍ଷରେ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ଯେ ବାତ୍ୟା ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। କିଛି ସ୍ଥାନରେ ମଧ୍ୟମ ଧରଣର ଓ ଆଉ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ଆଇଏମ୍‌ଡି ଆଜି ଜାରି କରିଥିବା ତାର ବୁଲେଟିନ୍‌ରେ ୨୩ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି। ବିଶେଷକରି କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ଓ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳ ମଧ୍ୟକୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବେଶ ନ କରିବାକୁ ଏଥିରେ କୁହାଯାଇଛି।

ଆଇଏମ୍‌ଡି କହିଛି ଯେ ୨୧ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିଛି। ଏହି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ସକ୍ରିୟ ହେବା ସହ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ମୌସୁମୀ ବାୟୁର ଉପସ୍ଥିତି, ଉପଯୋଗୀ ବାୟୁମଣ୍ଡଳୀୟ ଓ ସାମୁଦ୍ରିକ ସ୍ଥିତି, ସମୁଦ୍ରପୃଷ୍ଠର ତାପମାତ୍ରା, ମଧ୍ୟ ଆଣ୍ଡାମାନ ସାଗର ଉପରେ ସ୍ଥିତ ମେଘ ଓ ବଙ୍ଗୋପସାଗରର ପୂର୍ବ ଓ ଦକ୍ଷିଣ ପୂର୍ବଉପକୂଳବର୍ତୀ ଅଞ୍ଚଳ ଉପରେ ଲଘୁଚାପ ସୃଷ୍ଟି କରିବାକୁ ଅନୁକୂଳ ପରିବେଶ ସୃଷ୍ଟି କରିବ।

ଆଇଏମ୍‌ଡି ଆହୁରି କହିଛି ଯେ ୨୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ରହିବା ସହ ୬୫କିମି ବେଗରେ ପବନର ଝଟ୍‌କା ଅନୁଭୂତ ହେବ। ୨୩ ତାରିଖ ଓ ପରବର୍ତ୍ତୀ ସମୟରେ ସେଠାରେ ପବନର ଘଣ୍ଟାପ୍ରତି ବେଗ ୫୦ରୁ ୬୦ କିମି ରହିବ ସହ ପବନର ଝଟ୍‌କା ୭୦ କିମିକୁ ବୃଦ୍ଧି ଘଟିପାରେ। ୨୪ରୁ ୨୬ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ତଥା ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପବନ ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି।

ଅନ୍ୟପଟରେ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ବଙ୍ଗୋପସାଗରରେ ୨୨ ତାରିଖ ବା ୨୩ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ୨୪ରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ଅଧିକ। ଏହାର ସୃଷ୍ଟିସ୍ଥଳ ଉତ୍ତର ଆଣ୍ଡାମାନ ସାଗର ରହିବ। ପ୍ରାୟ ୨୪ ଘଣ୍ଟା ଧରି ମିଆଁମାର ଉପକୂଳ ଦୂରରେ ଗତି କରିବା ପରେ ଦିଗ ପରିବର୍ତ୍ତନ କରି ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। କେଉଁଠାରେ ସ୍ଥଳଭାଗ ଛୁଇଁବ, କେତେ ଘନୀଭୂତ ହେବ ଏବଂ କେବେ ସ୍ଥଳଭାଗ ଛୁଇଁବ ତାହା ଅସ୍ପଷ୍ଟ ରହିଛି। ୨୨ ତାରିଖରେ ଏ ସଂକ୍ରାନ୍ତରେ ଅଧିକ ଆକଳନ କରାଯାଇପାରିବ। ସେ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ କେତୋଟି ପ୍ରମୁଖ ପାଣିପାଗ ସଂସ୍ଥା ଯେଉଁ ଚିତ୍ର ଆଙ୍କିଛନ୍ତି, ତାକୁ ଯଦି ବିଶ୍ବାସକୁ ନିଆଯାଏ, ପଶ୍ଚିମବଙ୍ଗର ଉପକୂଳ ଏବଂ ସୁନ୍ଦରବନର ସେ ସମୟର ପାଣିପାଗ ଉପାଦାନ ଓଡ଼ିଶା ଅପେକ୍ଷା ବାତ୍ୟା ପାଇଁ ଅଧିକ ଅନୁକୂଳ ରହିବ। ଏଣୁ ଯଦିବା ବାତ୍ୟା ଓଡ଼ିଶାକୁ ମୁହାଁଇବ, କିନ୍ତୁ ପଶ୍ଚିମବଙ୍ଗ ଯିବା ସମ୍ଭାବନା ଅଧିକ ବୋଲି ସଙ୍କେତ ମିଳୁଛି। ସମ୍ଭବତଃ ୨୭ ତାରିଖ ବେଳକୁ ଏହା ସ୍ଥଳଭାଗ ଛୁଇଁବ। ଯେହେତୁ ସମୁଦ୍ରରେ ଏହା କମ୍‌ ଦିନ ରହିବ, ଏଣୁ ସମ୍ଭାବ୍ୟ ବାତ୍ୟା ଅଧିକ ଭୟଙ୍କର ହେବାର ସମ୍ଭାବନା ମଧ୍ୟ କ୍ଷୀଣ। ବର୍ତମାନ ଜଣାପଡ଼ୁଛି, ସମୁଦ୍ରରେ ରହିଥିବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ। ଉତ୍ତର ବଙ୍ଗୋପସାଗର ସମୁଦ୍ର ଜଳପତ୍ତନର ତାପମାତ୍ରା ୩୦ ଡିଗ୍ରି ସେଲ୍‌ସିୟସରୁ ଅଧିକ ଥିବାରୁ ଏହା ଘନୀଭୂତ ପାଇଁ ଅଧିକ ଅନୁକୂଳ ରହୁଛି।
ଉଲ୍ଲେଖଥାଉକି ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେଲେ, ଓମାନ୍‌ ଦେଇଥିବା ନାମ ଅନୁସାରେଏହାର ନାମକରଣ 'ୟାସ୍‌' ରହିବ। 'ୟାସ୍' ଏକ ଆରବିକ୍‌ ଶବ୍ଦ। ଏହାର ଅର୍ଥ ହେଉଛି 'ନିରାଶା'।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe