ଯାଜପୁର ପ୍ରଶାସନର କର୍ତ୍ତୃତ୍ବ ବାହାରେ ଜିଲ୍ଲା‌ର ୧୨ ରାସ୍ତା: ନିମ୍ନମାନର କାମ କରି ଛୁ ମାରୁଛି ନିର୍ମାଣ ସଂସ୍ଥା, ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା

Advertisment
ଯାଜପୁର ପ୍ରଶାସନର କର୍ତ୍ତୃତ୍ବ ବାହାରେ ଜିଲ୍ଲା‌ର ୧୨ ରାସ୍ତା: ନିମ୍ନମାନର କାମ କରି ଛୁ ମାରୁଛି ନିର୍ମାଣ ସଂସ୍ଥା, ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା

ଯାଜପୁର(ଅନିଲ କୁମାର ପଣ୍ଡା): ପ‌ଡ଼ୋଶୀ ଜିଲ୍ଲା ଅଧୀନରେ ଥିବା୧୨ ଟି ରାସ୍ତା ଉପରେ ଯାଜପୁରର ଜନସାଧାରଣ ଉପରେ ନିର୍ଭରଶୀଳ। କିନ୍ତୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଯାଜପୁର ଜିଲ୍ଲା ହାତରେ ନାହିଁ। ଏହାର ମରାମତି ପାଇଁ କେନ୍ଦୁଝର କିମ୍ବା କଟକ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ିବ। ଏପରି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଭିତରେ ଦୀର୍ଘ ବର୍ଷ ହେଲା ଚାଲିଛି ସଡ଼କ ସେବା। ନା ଅଛି ପ୍ରଶାସନର କର୍ତ୍ତୃତ୍ବ ନା ଅଛି ନଜର। ଫଳରେ ନିର୍ମାଣ ସଂସ୍ଥା ନିମ୍ନମାନର କାମ କରି ଛୁଁ ମାରୁଛି ଓ ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା।

ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ୨୭ ବର୍ଷ‌ ହେଲା ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ଏଯାବତ୍ ଉକ୍ତ ଜିଲ୍ଲା‌ରେ ଥିବା ୧୨ ଟି ରାସ୍ତା ଅନ୍ୟ ଜିଲ୍ଲାର ଅଧିନରେ ରହିଛି। ଶହେ କିମିରୁ ଅଧିକ ଦୂରତା ବିଶିଷ୍ଟ ଏହି ରାସ୍ତା ଏବେ କେନ୍ଦୁଝର ଓ କଟକ ଜିଲ୍ଲା ଆର ଆଣ୍ଡ ବି ବିଭାଗ ଅଧିନରେ ରହିଛି। ଉଦାହରଣ ଦେଖିଲେ ଡୁବୁରୀ ଠାରୁ ବ୍ରାହ୍ମଣୀପାଳ ଯାଏ ୨୦ କିମି ରାସ୍ତା କେନ୍ଦୁଝର ପୂର୍ତ୍ତ ବିଭାଗ ଅଧିନରେ ରହିଥିଲା। ଏହାକୁ ଯାଜପୁର ଜିଲ୍ଲା ପାଣିକୋଇଲି ଆରଆଣ୍ଡ ବି ବିଭାଗକୁ ହସ୍ତାନ୍ତର କରିବାକୁ ସ୍ଥାନୀୟ ଲୋକ ସ୍ଥାନୀୟ ବିଧାୟକ ସରକାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ବିଡ଼ମ୍ବନା ଆଜି ପର୍ଯ୍ୟନ୍ତ ଏହି ରାସ୍ତା ଯାଜପୁର ଅଧୀନକୁ ନଆସି କେନ୍ଦୁଝର ଜିଲ୍ଲା ଘଟଗାଁ ଆର ଆଣ୍ଡ ବି ଡିଭିଜନକୁ ହସ୍ତାନ୍ତର କରାଯାଇଛି। ଉକ୍ତ ଡିଭିଜନ ପକ୍ଷରୁ ରାସ୍ତା ଉପରେ ଆଦୌ ଗୁରୁତ୍ବ ଦିଆଯାଉନଥିବା ସହ ଖରାପ ରାସ୍ତା ଯୋଗୁ ଦୁର୍ଘଟଣା ବଢ଼ିବା ସହ ଏହାର ଅବସ୍ଥା ସଂଗୀନ ହୋଇଥିବା ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରି ଆସୁଛନ୍ତି।

ଏହି ଗୋଟିଏ ରାସ୍ତା ବ୍ୟତୀତ ଅବଶିଷ୍ଟ ୧୧ ଟି ରାସ୍ତା କଟକ ଜିଲ୍ଲା ଚାରବାଟିଆ ଆରଣ୍ଡ ବି ଡିଭିଜନ ଅଧିନ‌ରେ ରହିଛି, ଯାହାକି ବଡଚଣା ଓ ବରୀ ବ୍ଲକ‌ରେ ରହିଛି। ବଡଚଣା ଠାରୁ ଦର୍ପଣୀ, ଛତିଆ ଚମ୍ପାପୁରରୁ କଳକଳା,ରତ୍ନଗିରି-କୃଷ୍ଣଦାସପୁର,ବୈରୀ- ଚଣ୍ଡିଖୋଲ, ବଡଚଣା-ବାଲିଚନ୍ଦ୍ରପୁର,ବନ୍ଦାଳ-ଏଣ୍ଡରପଡା,ଦର୍ପଣୀ-ସିହା , ଦରଘା- ବ୍ରାହ୍ମଣୀ ବ୍ରିଜ ଠାରୁ ଦଳଦୀବସନ୍ତ, ଜନକ-ହଳଧରପୁର , ରତ୍ନଗିରି –କମ୍ପଗଡ ରାସ୍ତା ରହିଛି, ଯାହକି ମରାମତି ପାଇଁ ପ୍ରତିବର୍ଷ ବିଭିନ୍ନ ଆଳରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇକାର୍ଯ୍ୟ ହେଉଛି। କିନ୍ତୁ ଏହାର କାର୍ଯ୍ୟ ଉପରେ ଦୃଷ୍ଟି ଦିଆଯାଉନଥିବାରୁ ଏବଂ ଜିଲ୍ଲା ଆର ଆଣ୍ଡ ବି ବିଭାଗର ଉକ୍ତ ରାସ୍ତା ଉପରେ କର୍ତ୍ତୃତ୍ବ ନଥିବାରୁ ନିଜ ଜିଲ୍ଲା ଭିତରେ ନିମ୍ନ ମାନର କାମ କରି ଠିକାଦାର ଲକ୍ଷାଧିକ ଟଙ୍କା ଲୁଟି ନେଉଥିବା ଅଭିଯୋଗ ହେଉଛି। ତେବେ ଏନେଇ ପୁରା ଜିଲ୍ଲାବାସୀ ସ୍ବର ଉତ୍ତୋଳନ କରିବାର ସମୟ ଆସିଥିବା ବେଳେ ଏହି ୧୨ଟି ରାସ୍ତାକୁ ଯାଜପୁର ଜିଲ୍ଲା ପୂର୍ବ ବିଭାଗକୁ ହସ୍ତାନ୍ତର କରାଗଲେ ଏହାର ରକ୍ଷଣାବେକ୍ଷଣ ସହ ରାସ୍ତା ନିର୍ମାଣର ମାନ ଉପରେ ଜିଲ୍ଲା ପ୍ରଶାସନ ଉତ୍ତର ଦାୟୀ ରହିବ ପାରିବ ବୋଲି ଦାବି କରିଛନ୍ତି। ଖରାପ ରାସ୍ତା ସଂପର୍କରେ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିବାକୁ ମଧ୍ୟ ସାହସ ଜୁଟାଇପାରୁନାହାନ୍ତି। ଅନେକ ସମୟରେ ବିଭିନ୍ନ ଲୋକ ଯାଜପୁର ପୂର୍ତ୍ତ ବିଭାଗକୁ ରାସ୍ତା ସମସ୍ୟା ନେଇ ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ଏହି ରାସ୍ତା ସେମାନଙ୍କ ଅଧିନରେ ରହୁନଥିବା କହି ଜନ ଅସନ୍ତୋଷରୁ ମୁକ୍ତି ପାଇଯାଉଛନ୍ତି। ତେବେ ଏନେଇ ପାଣିକୋଇଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe