ମହାଶିବରାତ୍ରୀରେ ମହାନ୍‌ କାମ : ମା’ଙ୍କୁ କାନ୍ଧରେ ବସାଇ ଶିବ ଦର୍ଶନ

ମହାଶିବରାତ୍ରୀରେ ମହାନ୍‌ କାମ : ମା’ଙ୍କୁ କାନ୍ଧରେ ବସାଇ ଶିବ ଦର୍ଶନ

ଖଇରା : ନିଜର ବୟସ ଆସି ୫୦ବର୍ଷ ହେଲାଣି। ମା’ଙ୍କ ବୟସ ୮୫ ବର୍ଷ। ମା’ଙ୍କୁ କାନ୍ଧରେ ବସାଇ ସେ ୫ କିଲୋମିଟର ଚାଲିଚାଲି ମନ୍ଦିରରେ ପହଞ୍ଚିଲେ। ମା’ ଶିବଙ୍କ ଦର୍ଶନ କଲେ। ବୃଦ୍ଧାମା’ଙ୍କ ଠାକୁର ଦର୍ଶନ ଇଚ୍ଛାକୁ ଏହିଭଳି ପୂରଣ କରିଛନ୍ତି ବାଲେଶ୍ବର ଖଇରା ବ୍ଲକ୍‌ ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗାଁର ନିରଞ୍ଜନ ଜେନା।

ପିଲାବେଳେ ଅନେକଥର ମାଆ କାନି ଧରି ଶିବଦର୍ଶନ ପାଇଁ ଗଣ୍ଡିବେଡ଼ ଲଙ୍କେଶ୍ବର ମନ୍ଦିରକୁ ଆସିଛନ୍ତି ନିରଞ୍ଜନ। ଆଜି ଶିବରାତ୍ରିରେ ଶିବ ଦର୍ଶନ ପାଇଁ ମାଆଙ୍କର ଇଛା ପୂରଣ ପାଇଁ ସେ କେମିତି ପଛଘୁଞ୍ଚା ଦେଇଥାନ୍ତେ? ଠାକୁର ଦର୍ଶନ ପାଇଁ ମାଆ ଇଚ୍ଛା ପ୍ରକଟ କରିବା ପରେ ନିରଞ୍ଜନ ଆଉ କାଳବିଳମ୍ବ କରି ନଥିଲେ। ମାଆଙ୍କୁ କାନ୍ଧରେ ବସାଇ ୫ କିଲୋମିଟର ଚାଲି ଚାଲି ମନ୍ଦିରରେ ପହଞ୍ଚିଥିଲେ। ଆଉ ଦେଖିବା ଲୋକ ପୂରା ଆଶ୍ଚର୍ଯ୍ୟ। ହେବା ସ୍ବାଭାବିକ ବି! କାରଣ ଏ ସ୍ବାର୍ଥପର ଯୁଗରେ ମାଆ ପାଇଁ କାହାର ସମୟ ଅଛି? ପରିଣତ ବୟସରେ ମାଆବାପା ପୁଅ-ବୋହୂଙ୍କ ଅବହେଳାର ଶିକାର ହେଉଥିବା ଘଟଣା ବି ନିୟମିତ ଘଟିଚାଲିଛି। ଯାହାକୁ, ସଭ୍ୟ ସମାଜକୁ ବିଚଳିତ କରୁଛି। ଏହିଭଳି ଏକ ସ୍ଥିତିରେ ବୃଦ୍ଧା ମା’ ପ୍ରତି ପୁଅର ଭଲପାଇବାର ଏହି ନିଆରା ଦୃଶ୍ୟ ଅନ୍ୟମାନଙ୍କୁ ଭାବପ୍ରବଣ କରି ଦେଇଥିଲା। ସମସ୍ତେ, ନିରଞ୍ଜନଙ୍କୁ ପ୍ରଶଂସା କରିବାକୁ ବି ଭୁଲି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe