‘ଷ୍ଟାର୍ଟଅପ୍ ଷ୍ଟୋରି’ରେ ଯୁବ ଓଡ଼ିଆ ଉଦ୍ୟୋଗୀ ଅରବିନ୍ଦ ପାଣିଙ୍କ ସଫଳତାର କାହାଣୀ

‘ଷ୍ଟାର୍ଟଅପ୍ ଷ୍ଟୋରି’ରେ ଯୁବ ଓଡ଼ିଆ ଉଦ୍ୟୋଗୀ ଅରବିନ୍ଦ ପାଣିଙ୍କ ସଫଳତାର କାହାଣୀ

ଭୁବନେଶ୍ୱର : ପ୍ରତିଭାବାନ ଯୁବ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶା ଲାଇଭ୍ ପକ୍ଷରୁ ପ୍ରସାରିତ ହେଉଛି ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’। ଏହି କାର୍ଯ୍ୟକ୍ରମର ତୃତୀୟ ଅଧ୍ୟାୟର ଅତିଥି ଥିଲେ ବେଙ୍ଗାଲୁରୁଠାରେ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ କମ୍ପାନି ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍‌’ର ସିଇଓ ଅରବିନ୍ଦ ପାଣି। ଜୁନ୍ ୧ରେ ଓଡ଼ିଶା ଲାଇଭ୍‌ର ଫେସବୁକ୍ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ପ୍ରସାରିତ ହୋଇଛି।

ଯୁବ ଓଡ଼ିଆ ଉଦ୍ୟୋଗୀ ଅରବିନ୍ଦ ପାଣି ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ଉଦ୍ୟୋଗୀ ଜୀବନ, ବିଶେଷକରି ଷ୍ଟାର୍ଟଅପ୍ ଯାତ୍ରା ପଛର ସଂଘର୍ଷ ଓ ସଫଳତାର କାହାଣୀକୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।

ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ୍ ମିଡିଆର ବ୍ୟାପକ ବିକାଶ ହୋଇପାରିଛି। ଆଜି ଇଣ୍ଟରନେଟ୍‌ରେ ଏବଂ ମୋବାଇଲ୍ ଫୋନ୍ ମାଧ୍ୟମରେ ଭାରତୀୟ ଭାଷାର ବ୍ୟବହାର ଏକ ନୂଆ ଉଚ୍ଚତାକୁ ଯାଇଛି। ଅରବିନ୍ଦଙ୍କ ଷ୍ଟାର୍ଟଅପ୍ ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍‌’ ଏ କ୍ଷେତ୍ରରେ ଦେଶର ଏକ ଆଗଧାଡ଼ିର କମ୍ପାନି ଭାବେ ଠିଆ ହୋଇଛି।

‘ଷ୍ଟାର୍ଟଅପ୍ ଷ୍ଟୋରି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ମାସ ୧ ତାରିଖରେ ଓଡ଼ିଶା ଲାଇଭ୍‌ରେ ପ୍ରସାରିତ ହେଉଛି ଜଣେ ଜଣେ ସଫଳ ଯୁବ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସହ ବିଶେଷ ସାକ୍ଷାତକାର। ଏହା ପଛର ଅନ୍ୟ ଏକ ଆକର୍ଷଣ ହେଉଛନ୍ତି ଆଧୁନିକ ଶିଳ୍ପ ଜଗତରେ ଯୁବପିଢ଼ିଙ୍କ ପ୍ରେରଣା ସୁବ୍ରତ ବାଗ୍‌ଚୀ। ପ୍ରତିଥର ସେ ଜଣେ ନୂଆ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କୁ ଖୋଜି ବାହାର କରିବା ସହିତ ଭିଡିଓ ସାକ୍ଷାତକାର ବେଳେ ସେମାନଙ୍କ ଜୀବନ କାହାଣୀକୁ ସୁନ୍ଦର ଭାବେ ଆବିଷ୍କାର କରିବାକୁ ପ୍ରୟାସ କରୁଛନ୍ତି।

ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ। ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍ ଓଡ଼ିଶା’। ଏହା ସହିତ ନଲେଜ୍ ପାର୍ଟନର ଭାବେ ‘ମୋ କଲେଜ’ ଅଭିଯାନ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା।

ସେହିପରି ‘ସମ୍ବାଦ’ ଏହାର ପ୍ରିଣ୍ଟ୍ ପାର୍ଟନର୍ ଥିବା ବେଳେ ରେଡିଓ ପାର୍ଟନର ରହିଛି ରେଡିଓ ଚକ୍‌ଲେଟ୍। ରେଡିଓ ନମସ୍କାର, ରେଡିଓ ସୁରଭି ଓ ରେଡିଓ ବୁଲ୍‌ବୁଲ୍ ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି। ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶା ଲାଇଭ୍ ନ୍ୟୁଜ୍ ପୋର୍ଟାଲ ଏବଂ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହୋଇ ଏକ ବୃହତ୍ତର ଦର୍ଶକ ଓ ପାଠକଙ୍କ ପାଖରେ ପହଞ୍ଚିପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe