ସୁରତରୁ ୪ଟି ବସ୍‌ରେ ଫେରୁଛନ୍ତି ୨୨୮ ଶ୍ରମିକ

Advertisment

ନିଜ ଖର୍ଚ୍ଚରେ ଆସୁଛନ୍ତି, ମୁଣ୍ଡପିଛା ୩୫୦୦ ଚାନ୍ଦା, ସମସ୍ତଙ୍କୁ ସଂଗରୋଧରେ ରଖାଯିବ: ଜିଲ୍ଲାପାଳ

ନିଜ ଖର୍ଚ୍ଚରେ ଆସୁଛନ୍ତି, ମୁଣ୍ଡପିଛା ୩୫୦୦ ଚାନ୍ଦା, ସମସ୍ତଙ୍କୁ ସଂଗରୋଧରେ ରଖାଯିବ: ଜିଲ୍ଲାପାଳ

ନାକେଦମ୍ କଲେଣି ସୁରତ ଫେରନ୍ତା: ସଙ୍ଗରୋଧ କେନ୍ଦ୍ରରେ ‌ଗୋଷ୍ଠୀ ସଂଘର୍ଷ, ତିନି ଜଣଙ୍କ ମୁଣ୍ଡ ଫାଟିଲା, ସରପଞ୍ଚଙ୍କ ଏତଲା

ବ୍ରହ୍ମପୁର/ଶେରଗଡ଼ : ରାଜ୍ୟ ବାହାରେ ଅଟକି ରହିଥିବା ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବାବେଳେ ଗଞ୍ଜାମ ଜିଲ୍ଲାର ୨୨୮ ଶ୍ରମିକ ଆଜି ନିଜ ଉଦ୍ୟମରେ ବସ୍‌ରେ ସୁରତରୁ ବାହାରିଥିବା ଜଣାପଡ଼ିଛି। ଏଥିପାଇଁ ସେମାନେ ସୁରତ ଜିଲ୍ଲା ପ୍ରଶାସନର ଅନୁମତି ନେଇଥିବାବେଳେ ଶ୍ରମିକଙ୍କ ପରିବାରବର୍ଗ ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରିଥିବା ଜଣାପଡ଼ିଛି। ଏ ସଂପର୍କରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅବଗତ ଅଛି ଏବଂ ସମସ୍ତେ ପହଞ୍ଚିବା ପରେ ସୀମା‌ରେ ସ୍କ୍ରିନିଂ କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ସମସ୍ତଙ୍କୁ ୧୪ ଦିନିଆ ସଙ୍ଗରୋଧରେ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଲକ୍‌ଡାଉନ୍ ଉଠିବା ପୂର୍ବରୁ ପ୍ରଥମ ଥର ପାଇଁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଆଇନସମ୍ମତ ଭାବେ ଘରକୁ ଫେରୁଥିବାରୁ ଏହାକୁ ନେଇ ଅନ୍ୟ ଅଟକ ଶ୍ରମିକଙ୍କ ମଧ୍ୟରେ ଆଶାର ସଞ୍ଚାର ‌ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ବେଳେ ସୁରତ୍‌ର ପାଣ୍ଡେସରା ଅଞ୍ଚଳରୁ ୩ଟି ଏବଂ ସାଏନ୍‌ ଅଞ୍ଚଳରୁ ଗୋଟିଏ ବସ୍‌ ଗଞ୍ଜାମ ଅଭିମୁଖେ ଛାଡ଼ିଛି। ପ୍ରତି ବସ୍‌ରେ ୫୭ଜଣ ଲେଖାଏଁ ଯାତ୍ରୀ ରହିଛନ୍ତି। ସୁରତ୍‌ରୁ ୪ଟି ବସ୍‌ ଯୋଗେ ସମୁଦାୟ ୨୨୮ ଜଣ ଓଡ଼ିଶାର ଗଞ୍ଜାମ ବାହାରିଥିବା ସଂକ୍ରାନ୍ତରେ ସୁରତ୍‌ ଜିଲ୍ଲାପାଳ ଗଞ୍ଜାମ ପ୍ରଶାସନକୁ ଆଜି ରାତିରେ ଅବଗତ କରାଇଛନ୍ତି। ଏହି ବସ୍‌ ୨୯ତାରିଖ ଭୋର୍‌ରୁ ଗଞ୍ଜାମ ସୀମାରେ ପହଞ୍ଚିବ।

ଲକ୍‌ଡାଉନ୍ କଟକଣା ପରେ ବିଭିନ୍ନ କାରଖାନା ବନ୍ଦ ହୋଇଯାଇଥିବା ଯୋଗୁଁ ଗୁଜରାଟର ସୁରତ ସହରରେ ରହୁଥିବା ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଶ୍ରମିକ ବେରୋଜଗାର ହୋଇ ଯାଇଛନ୍ତି। ସେଠାରେ ସେମାନଙ୍କୁ ଠିକ୍ ଭାବେ ଖାଇବାକୁ ମଧ୍ୟ ମିଳୁ ନାହିଁ। ଏଥିପାଇଁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର କିଛି ଶ୍ରମିକ ନିଜ ଖର୍ଚ୍ଚରେ ୪ଟି ବସ୍‌ରେ ସୁରତରୁ ଭିଟାମାଟିକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଜଣ ପିଛା ୩୫୦୦ ଟଙ୍କା ଚାନ୍ଦା ଦେଇଥିଲେ। ଏମାନଙ୍କ ମଧ୍ୟରେ ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ଗ୍ରାମର ୪୦ରୁ ୪୫ଜଣ ଅଛନ୍ତି। ସୁରତ୍ ହାଉସିଂ ଓ ଗଣେଶନଗର ଇଲାକାରୁ ୪ଟି ବସ୍‌‌ରେ ଶ୍ରମିକମାନେ ମାସ୍କ ଓ ଗ୍ଲୋବ୍ସ୍ ପିନ୍ଧି ଆଜି ସନ୍ଧ୍ୟାରେ ବାହାରିଛନ୍ତି। ଏଥିପାଇଁ ସେମାନେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନିକଟରୁ ଅନୁମତିପତ୍ର ଆଣିଥିବାବେଳେ ପ୍ରବାସୀ ଓଡ଼ିଆ ସମାଜର ସହଯୋଗରେ ସମସ୍ତଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇଛି। ଅନ୍ୟପକ୍ଷରେ ଏହି ଶ୍ରମିକଙ୍କ ପରିବାରବର୍ଗ ପଞ୍ଜୀକରଣ ପାଇଁ ପଞ୍ଚାୟତ ଅଫିସରେ ଆବେଦନ କରିଥିବା ଜଣାପଡ଼ିଛି।

ଆଜି ପ୍ରଥମ ପର୍ଯ୍ୟାୟରେ ଏହି ଓଡ଼ିଆ ଲୋକଙ୍କ ଫେରନ୍ତା ଯାତ୍ରା ସୁରତ ପ୍ରବାସୀ ଓଡ଼ିଆ ପରିବାର, ପାଣ୍ଡେସରା ପକ୍ଷରୁ ସୁରତ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ସଂଯୋଜନା କରା ଯାଇଥିବା ସଂଗଠନର ସମ୍ପାଦକ ଜଗଦୀଶ ସେଠୀ ସୂଚନା ଦେଇଛନ୍ତି। ପ୍ରବାସୀ ଓଡ଼ିଆ ପରିବାରର ସଭାପତି ମହେନ୍ଦ୍ର ରାଉତ ଓ ସମ୍ପାଦକ ଶ୍ରୀ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବସ୍‌ ଗୁଡ଼ିକ ସୁରତ ଛାଡ଼ିଥିଲା।

ଏ ସଂକ୍ରାନ୍ତରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ୪ଟି ବସ୍‌ରେ ସୁରତ୍‌ରୁ ଗଞ୍ଜାମକୁ କିଛି ଲୋକ ଫେରୁଥିବା ସଂକ୍ରାନ୍ତରେ ସୂଚନା ରହିଛି। ତେବେ କେତେଜଣ ଫେରୁଛନ୍ତି ତାହାର ବିବରଣୀ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ନାହିଁ। ସେମାନେ ଗଞ୍ଜାମ ସୀମାରେ ପହଞ୍ଚିବା ପରେ ସମସ୍ତଙ୍କ ସ୍କ୍ରିନିଂ କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ସମ୍ପୃକ୍ତ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରେ ରଖାଯିବ। ସେମାନେ ୧୪ ଦିନିଆ ସଙ୍ଗରୋଧରେ ରହିବେ। ତେବେ ଲକ୍‌ଡାଉନ୍‌ ପୂର୍ବରୁ ସେମାନେ କିଭଳି ଫେରୁଛନ୍ତି ପ୍ରଶ୍ନରେ ଜିଲ୍ଲାପାଳ କହିଛନ୍ତି, ଗୁଜରାଟ ସରକାର ସେମାନଙ୍କୁ ଅନୁମତି ଦେଇଛନ୍ତି। ଆମେ ସେମାନଙ୍କୁ ତ ମନା କରିପାରିବା ନାହିଁ। ସେମାନଙ୍କ ପଞ୍ଜୀକରଣ ବିଷୟରେ ଜିଲ୍ଲାପାଳ କହିଛନ୍ତି, ଫେରୁଥିବା ଲୋକଙ୍କ ମଧ୍ୟରୁ କିଛି ପଞ୍ଚାୟତରେ ଓ ଅନ୍‌ଲାଇନ୍‌ ମାଧ୍ୟମରେ ପଞ୍ଜୀକରଣ କରିଥିବା ବେଳେ କିଛି ଜଣ ପଞ୍ଜୀକରଣ କରିନାହାନ୍ତି। ଏଠାରେ ପହଞ୍ଚିବା ପରେ ସମସ୍ତଙ୍କ ପଞ୍ଜୀକରଣ ସୁନିଶ୍ଚିତ କରି ସଙ୍ଗରୋଧକୁ ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe