ସୁରତରୁ ୪ଟି ବସରେ ଓଡ଼ିଶା ବାହାରିଲେ ଗଞ୍ଜାମ ଶ୍ରମିକ, ୧୪ ଦିନ ଲାଗି ସରକାରୀ କ୍ବାରେଣ୍ଟାଇନରେ ରହିବେ

ଏଣେ ପଞ୍ଜୀକରଣ ପାଇଁ ଆବେଦନ କଲେ ପରିବାର

ସୁରତରୁ ୪ଟି ବସରେ ଓଡ଼ିଶା ବାହାରିଲେ ଗଞ୍ଜାମ ଶ୍ରମିକ, ୧୪ ଦିନ ଲାଗି ସରକାରୀ କ୍ବାରେଣ୍ଟାଇନରେ ରହିବେ
ଶେରଗଡ଼: ଲକ୍‌ଡାଉନ୍ କଟକଣା ପରେ ବିଭିନ୍ନ କାରଖାନା ବନ୍ଦ ହୋଇଯାଇଥିବା ଯୋଗୁଁ ଗୁଜରାଟର ସୁରତ ସହରରେ ରହୁଥିବା ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଶ୍ରମିକ ବେରୋଜଗାର ହୋଇଯାଇଛନ୍ତି। ଏଥିପାଇଁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର କିଛି ଶ୍ରମିକ ନିଜ ଖର୍ଚ୍ଚରେ ୪ଟି ବସ୍‌ରେ ସୁରତରୁ ଭିଟାମାଟିକୁ ଫେରୁଥିବା ଜଣାପଡ଼ିଛି।

ସୁରତରୁ ଫେରିବା ପରେ ସରକାରୀ ଆଇନ ଅନୁଯାୟୀ ସମସ୍ତଙ୍କୁ ୧୪ ଦିନ ଲାଗି ସରକାରୀ କ୍ବାରେଣ୍ଟାଇନରେ ରଖାଯିବ। ଏହା ପରେ ମେଡିକାଲ୍ ଟିମ୍ ସେମାନଙ୍କର ଥର୍ମାଲ୍ ସ୍କ୍ରିନିଂ ଓ ସ୍ବାସ୍ଥ୍ୟ ପରୀକ୍ଷା କରିବ। ପରବର୍ତ୍ତୀ ସମୟରେ କାହାର କୋଡିଡ୍ ଟେଷ୍ଟ୍ କରାଯିବ ତାହା ମେଡିକାଲ୍ ଟିମ୍ ନିଷ୍ପତ୍ତି ନେବ ବୋଲି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୁତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଏହି ଶ୍ରମିକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ଗ୍ରାମର ୪୦ରୁ ୪୫ଜଣ ଅଛନ୍ତି। ସୁରତ୍ ହାଉସିଂ ଓ ଗଣେଶନଗର ଇଲାକାରୁ ୪ଟି ବସ୍‌‌ରେ ଶ୍ରମିକମାନେ ମାସ୍କ୍ ଓ ଗ୍ଲୋବ୍ସ୍ ପିନ୍ଧି ବସ୍‌ରେ ଆସୁଛନ୍ତି। ଏଥିପାଇଁ ଜଣକ ପିଛା ୩୫୦୦ ଟଙ୍କା ଚାନ୍ଦା ଆଦାୟ କରାଯାଇଛି। ସୁରତରୁ ଆଜି ସନ୍ଧ୍ୟାରେ ଏହି ୪ଟି ବସ୍ ବାହାରିଛି।  ପ୍ରବାସୀ ଓଡ଼ିଆ ସମାଜର ସହଯୋଗରେ ସମସ୍ତଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇଛି। ଅନୁମତିପତ୍ର ଆଣି ସେମାନେ ବାହାରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଶ୍ରମିକଙ୍କ ପରିବାରବର୍ଗ ପଞ୍ଜୀକରଣ ପାଇଁ ପଞ୍ଚାୟତ ଅଫିସରେ ଆବେଦନ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe