ମୟୂରଭଞ୍ଜରେ ବିଚିତ୍ର ବ୍ୟବସ୍ଥା: ଜଣେ ମଲେ ଆଉ ଜଣଙ୍କୁ ଭତ୍ତା

Advertisment

୨୦୧୬ ମସିହାରୁ ଜିଲ୍ଲାକୁ ଆସିନି ଟାର୍ଗେଟ୍‌, ଅପେକ୍ଷାରେ ୧୦ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ

୨୦୧୬ ମସିହାରୁ ଜିଲ୍ଲାକୁ ଆସିନି ଟାର୍ଗେଟ୍‌, ଅପେକ୍ଷାରେ ୧୦ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ

ମୟୂରଭଞ୍ଜରେ ବିଚିତ୍ର ବ୍ୟବସ୍ଥା: ଜଣେ ମଲେ ଆଉ ଜଣଙ୍କୁ ଭତ୍ତା

ଭତ୍ତାରୁ ବଞ୍ଚିତ ବୃଦ୍ଧ ଦମ୍ପତି

ବାରିପଦା : ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିଛନ୍ତି ସରକାର। ମାତ୍ର, ଭତ୍ତା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଏକ ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି। ଭତ୍ତା ପାଉଥିବା କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ତାଙ୍କ ସ୍ଥାନରେ ପ୍ରଶାସନ ନୂଆ ହିତାଧିକାରୀଙ୍କ ନାମ ଯୋଡ଼ୁଛି। ପରୋକ୍ଷରେ କହିବାକୁ ଗଲେ ଭତ୍ତା‌ ପାଉଥିବା ଲୋକଟିର ମୃତ୍ୟୁକୁ ଅପେକ୍ଷା କରୁଛି ପ୍ରଶାସନ। ଅଧିକ ଟାର୍ଗେଟ୍‌ ଆସୁନଥିବାରୁ ଆଦିବାସୀବହୁଳ ଏହି ଜିଲ୍ଲାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳିବା ସମ୍ଭବ ହୋଇପାରୁନଥିବାବେଳେ ଏବେ ଜିଲ୍ଲା ପ୍ରଶାସନ ଏହିଭଳି ଏକ ପନ୍ଥା ଆପଣାଉଛି। ଯାହାକୁ ନେଇ ହିତାଧିକାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମୟୂରଭଞ୍ଜ ଜିଲ୍ଲାରେ ଏବେ ୩ ଲକ୍ଷ ୨୦ ହଜାର ୮୭୨ ହିତାଧିକାରୀଙ୍କୁ ଭତ୍ତା ମିଳୁଛି। ସେଥିମଧ୍ୟରୁ ୨ ଲକ୍ଷ ୧ ହଜାର ୧୩୨ ଜଣ ମଧୁବାବୁ ପେନସନ୍‌ ଯୋଜନା ଓ ୧ ଲକ୍ଷ ୧୯ ହଜାର ୭୪୦ ଜଣ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ହୋଇଛନ୍ତି। ୬୦ରୁ ଅଧିକ ଏବଂ ୮୦ ବର୍ଷରୁ କମ୍ ହିତାଧିକାରୀଙ୍କୁ ମାସକୁ ୫୦୦ ଟଙ୍କା ଓ ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମାସକୁ ୭୦୦ ଟଙ୍କା ଲେଖା ମିଳୁଛି। ଜିଲ୍ଲାରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୬୦ ବର୍ଷରୁ ଅଧିକ ୧ ଲକ୍ଷ ୯୧ ହଜାର ୫୩୫ ଜଣ ଓ ୮୦ ବର୍ଷରୁ ଅଧିକ ୯ ହଜାର ୫୯୭ ଜଣ ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି। ଇନ୍ଦିରାଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୬୦ରୁ ୮୦ ବର୍ଷ ମଧ୍ୟରେ ୬୧ ହଜାର ୨୭୨ ଓ ୮୦ ବର୍ଷରୁ ଅଧିକ ୯ ହଜାର ୩୮୮ ଜଣ ହିତାଧିକାରୀ ମାସିକ ଭତ୍ତା ପାଉଛନ୍ତି। ଏହାବାଦ୍ ବିଧବା ମହିଳା ଓ ଡାକ୍ତରଙ୍କ ରିପୋର୍ଟ ଆଧାରରେ ଚିହ୍ନଟ ଭିନ୍ନକ୍ଷମଙ୍କୁ ବି ଭତ୍ତା ମିଳୁଛି। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଖରେ ଭତ୍ତା ଅପେକ୍ଷାରେ ୫ ହଜାର ୫୬୦ ଜଣ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ରହିଛି। ତାଲିକା ବାହାରେ ମଧ୍ୟ ୫ ହଜାର ୨୨୫ ଜଣ ଯୋଗ୍ୟ ହିତାଧିକାରୀ ରହିଛନ୍ତି। ତାଲିକାଭୁକ୍ତ ହିତାଧିକାରୀଙ୍କୁ କେବେ ଭତ୍ତା ମିଳିବ, ସେ ସଂକ୍ରାନ୍ତରେ ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଉନି। କେବଳ ଏତିକି କୁହାଯାଉଛି, ଭତ୍ତା ପାଉଥିବା ହିତାଧିକାରୀଙ୍କ ମଧ୍ୟରୁ ଯଦି କାହାର ମୃତ୍ୟୁ ହୁଏ; ତା’ହେଲେ ତାଲିକାର ଉପରଆଡ଼ୁ ଥିବା ନାମ ଯୋଡ଼ାଯିବ।

ସରକାର ମୟୂରଭଞ୍ଜ ଜିଲ୍ଲାକୁ ଶେଷଥର ପାଇଁ ୨୦୧୬ ମସିହାରେ ଟାର୍ଗେଟ୍‌ ଦେଇଥିବା ବେଳେ ଭତ୍ତା ପାଉନଥିବା ହିତାଧିକାରୀଙ୍କ ଅବସ୍ଥା କେମିତି ଅଛି, ସେ କଥା ବିଚାର କରୁନାହାନ୍ତି। ଶ୍ୟାମାଖୁଣ୍ଟା ବ୍ଲକ୍‌ ଗୋବିନ୍ଦପୁର ଗାଁର ସମଦ ସିଂ ଓ ତାଙ୍କ ପତ୍ନୀ ମୁଗୁଡି ସିଂଙ୍କ ବୟସ ୮୦ ପାଖାପାଖି ହେଲାଣି। ହେଲେ, ଏମାନଙ୍କ ଭାଗ୍ୟରେ ଭତ୍ତା ଜୁଟୁନି। କେହି ହିତାଧିକାରୀଙ୍କ ମୃତ୍ୟୁ ହେଲେ ହିଁ ଏମାନଙ୍କ ନାଁ ଯୋଡ଼ାହେବ। ତେବେ ଦାରିଦ୍ର୍ୟ କଷାଘାତରେ ନିଜର ମୃତ୍ୟୁକୁ ଅପେକ୍ଷା କରିଥିବା ଏହି ଦମ୍ପତି ଅନ୍ୟର ମୃତ୍ୟୁ ପାଇଁ କେମିତି ଚିନ୍ତା କରିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। କେବଳ ସମଦ କି ମୁଗୁଡି ନୁହନ୍ତି, ଜିଲ୍ଲାରେ ହଜାର ହଜାର ଯୋଗ୍ୟ ହିତାଧିକାରୀ ଏବେ ବୟସର ସାୟାହ୍ନରେ ଥିବାରୁ ସରକାର ସେମାନଙ୍କ ପ୍ରତି ସଦୟ ହୋଇ ମୟୂରଭଞ୍ଜ ଜିଲ୍ଲାକୁ ଆବଶ୍ୟକ ମୁତାବକ ଟାର୍ଗେଟ୍‌ ଦେବାର ବ୍ୟବସ୍ଥା କରିବା ଜରୁରି ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe