ଟିପିରିସିଂହାରେ ବିଚିତ୍ର ପରମ୍ପରା: ଖଟରେ ଶୋଉନାହାନ୍ତି ଗାଁଲୋକ

Advertisment
ଟିପିରିସିଂହାରେ ବିଚିତ୍ର ପରମ୍ପରା: ଖଟରେ ଶୋଉନାହାନ୍ତି ଗାଁଲୋକ

ଦେବଗଡ଼ : ଦଉଡ଼ି ଖଟରେ ଶୋଇଲେ ଗ୍ରାମଦେବୀ ରୋଷ ହେବେ ସେଥିପାଇଁ କାହିଁ କେଉଁଦିନରୁ ଖଟରେ ଶୁଅନ୍ତିନି ଗ୍ରାମବାସୀ। ଆଜିର ଏହି ଅତ୍ୟାଧୁନିକ ଯୁଗରେ ମଧ୍ୟ ଏଭଳି ଏକ ପ୍ରଥାକୁ ବଞ୍ଚାଇ ରଖିଛନ୍ତି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ଟିପିରିସିଂହା ଗ୍ରାମବାସୀ। ଯେଉଁଠି ଖଟ ପରିବର୍ତ୍ତେ ତଳେ ଖଜୁରୀପାଲରେ ତିଆରି ହୋଇଥିବା ପଟିଆ, ମସିଣା ଏବଂ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ସେମାନେ ପଟାରେ ଶୋଉଛନ୍ତି।

ଟିପିରିସିଂହା ଏକ ଆଦିବାସୀ ବହୁଳ ଗ୍ରାମ। ଏଠାରେ ପ୍ରାୟ ୩ଶହରୁ ଅଧିକ ଲୋକ ବସବାସ କରନ୍ତି। ଲୋକଙ୍କ କହିବା ଅନୁସାରେ, ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବରିହାଣୀ। ଖଟରେ ଶୋଇଲେ ଗ୍ରାମଦେବୀ ରୋଷ କରନ୍ତି। ଖଟ ଆପେ ଆପେ ଓଲଟି ଯିବାସହ ସର୍ପାଘାତ ଭୟ ବି ରହିଛି। ଯେଉଁଥିପାଇଁ ଗାଁରେ କାହାରି ଘରେ ଦଉଡ଼ିଆ ଖଟ ନାହିଁ। ଛୋଟ ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମେ ବରିହାଣୀ ବୁଢ଼ୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ ଏବଂ ଖଟରେ ନ ଶୋଇବାର ଯେଉଁ ପରମ୍ପରା ରହିଛି ତାହା ଏଭଳି ଜାରି ରହିଥିବ ବୋଲି କହିଛନ୍ତି।

publive-image

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଗ୍ରାମର ବିଭିନ୍ନ ଲୋକ ବିଭିନ୍ନ ସରକାରୀ ପଦପଦବିରେ ଚାକିରି କରୁଥିଲେ ମଧ୍ୟ ସେମାନେ ବି ଗାଁରୁ ଏହି ବିଶ୍ୱାସ ବା ଅନ୍ଧବିଶ୍ୱାସକୁ ହଟାଇ ପାରିନାହାନ୍ତି।

କେବକ ସେତିକି ନୁହେଁ, ଗ୍ରାମରେ ପ୍ରବାହିତ ହେଉଥିବା ଏକ ଛୋଟ ନାଳରେ ଗୋଟିଏ ପାର୍ଶ୍ବରେ ବରିହାଣୀ ଦର୍‌ହ (ବଡ଼ପୋଖରୀ ସଦୃଶ) ରହିଛି। ଯେଉଁ ପାଣିରୁ କେବେବି ଗ୍ରାମବାସୀ ବ୍ୟବହାର କରିବା ତ ଦୂରର କଥା ଗୋରୁ କି ପଶୁପକ୍ଷୀ କେହି ସେହି ପାଣିକୁ ପିଅନ୍ତି ନାହିଁ। ଏହି ଦର୍‌ହର ପାଣି କେବେ ଶୁଖେ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଭଳି ବିଶ୍ବାସ ଓ ପରମ୍ପରାର ନିଦର୍ଶନ ଥିବା ଟିପିରିସିଂହାରେ ଗ୍ରାମଦେବୀଙ୍କୁ ନେଇ ଅନେକ ଲୋକକଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe