ଅଚଳ ପଡ଼ିଛି ୩ହଜାର ଷ୍ଟ୍ରିଟ୍ ଲାଇଟ୍ଏ : ଏବେ ବି ଘନ ଅନ୍ଧାରରେ ସହର, ରାତି ଗଡ଼ିଲେ ଲାଗୁଛି ଡର, ରଥଯାତ୍ରା ପୂର୍ବରୁ ସରିବା ନେଇ ଅନିଶ୍ଚିତତା

ଅଚଳ ପଡ଼ିଛି ୩ହଜାର ଷ୍ଟ୍ରିଟ୍ ଲାଇଟ୍ଏ : ଏବେ ବି ଘନ ଅନ୍ଧାରରେ ସହର, ରାତି ଗଡ଼ିଲେ ଲାଗୁଛି ଡର, ରଥଯାତ୍ରା ପୂର୍ବରୁ ସରିବା ନେଇ ଅନିଶ୍ଚିତତା

ପୁରୀ : ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟା ‘ଫନି’ ପୁରୀ ପୌରପାଳିକାର ସୌନ୍ଦର୍ଯ୍ୟକୁ ନଷ୍ଟଭ୍ରଷ୍ଟ କରି ଦେଇଛି। ‘ଫନି’ ପ୍ରହାରରେ ପାର୍କ ଠାରୁ ଆରମ୍ଭ କରି ସମସ୍ତ ସୌନ୍ଦର୍ଯ୍ୟ ଛାରଖାର ‌ହୋଇଯାଇଛି। ସହରର ୩ ହଜାରରୁ ଅଧିକ ଷ୍ଟ୍ରିଟ୍ ଲାଇଟ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଏସବୁକୁ ଅଧାରୁ ମୋଡ଼ି ଭାଙ୍ଗି ଦେଇଛି। ଲାଇଟ୍ ସବୁକୁ ଉଡ଼ାଇ ନେଇ କୁଆଡ଼େ ଫିଙ୍ଗି ଦେଇଛି। ବଡ଼ ବଡ଼ ହାଇମାଷ୍ଟ ଲାଇଟ୍ ବି ମାଟିରେ ଲୋଟିଛି। ଆଜି ସୁଦ୍ଧା ଏହାର ମରାମତି କାର୍ଯ୍ୟ ବିଶେଷ ଆଗେଇ ନଥିବାରୁ ସଞ୍ଜ ନଇଁଲେ ଘନ ଅନ୍ଧକାର ଭିତରେ ବୁଡ଼ି ରହୁଛି ସହର। କାଁ ଭାଁ ସ୍ଥାନରେ ସୋଲାର ଲାଇଟ୍‌କୁ ଛାଡ଼ିଦେଲେ ବାକି ସବୁ ଜାଗା ଅନ୍ଧକାର ଭିତରେ ବୁଡ଼ି ରହୁଛି। ଯେଉଁଥିପାଇଁ ଅସାମାଜିକ କାର୍ଯ୍ୟକଳାପ ବି ଦିନକୁ ଦିନ ବଢ଼ିଚାଲିଛି। ଯାହା ସହରବାସୀଙ୍କ ମନରେ ଭୟ ସଂଚାର କରିଛି।

ମାସକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଲକ୍ଷାଧିକ ସଂଖ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଏଠାକୁ ଆସିବେ। ଯଦି ରଥଯାତ୍ରା ପୂର୍ବରୁ ଏହିଲାଇଟ୍‌ ମରାମତି କାମ ନ ସରେ ପର୍ଯ୍ୟଟକମାନେ ଅଘଟଣର ଶିକାର ହେବା ଆଶଙ୍କା ଦେଖାଦେଇଛି। ପୌର ନିର୍ବାହୀ ଅଧିକାରୀଙ୍କ ସୂଚନା ମୁତାବକ, ପୁରୀ ସହରକୁ ଆଲୋକିତ କରିବା ପାଇଁ ୭୪୫୦ଟି ଷ୍ଟ୍ରିଟ୍ ଲାଇଟ୍ ଲାଗିଥିଲା। କ୍ଷୟକ୍ଷତି ଆକଳନ ସମୟରେ ବାତ୍ୟାରେ ଏଥିରୁ ୩୨୩୩ଟି ଷ୍ଟ୍ରିଟ୍ ଲାଇଟ୍ କ୍ଷତିଗ୍ରସ୍ତ ହୋଇଛି। ଯାହାର ମରାମତି ବ୍ୟୟସାପେକ୍ଷ। ରଥଯାତ୍ରା ସମନ୍ବୟ ବୈଠକରେ ବି ଏ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ସୂଚନା ଦେଇ କହିଥିଲେ, ଯେହେତୁ ବାତ୍ୟାରେ ବହୁ ସଂଖ୍ୟାରେ ଷ୍ଟ୍ରିଟ୍ ଲାଇଟ୍ କ୍ଷତିଗ୍ରସ୍ତ ହୋଇଛି, ଏହାର ମରାମତି ସମୟସାପେକ୍ଷ। ଏଥିପାଇଁ ବହୁ ସଂଖ୍ୟାରେ ବିଦ୍ୟୁତ୍ କର୍ମଚାରୀ ବି ଆବଶ୍ୟକ। ତଥାପି ଏ ଭିତରେ ଧୀରେ ଧୀରେ ଷ୍ଟ୍ରିଟ୍ ଲାଇଟ୍ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଅଚଳ ଷ୍ଟ୍ରିଟ୍ ଲାଇଟ୍ ଏତେ ଶୀଘ୍ର ମରାମତି କରି ଜଳାଇବା ସମ୍ଭବ ନୁହେଁ। ତଥାପି ଯଥାସମ୍ଭବ ଏହି ମରାମତି କାର୍ଯ୍ୟ ସାରିବାକୁ ଯୋଜନା ରହିଛି ବୋଲି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। କିନ୍ତୁ କ୍ଷେତ୍ର ଅନୁଧ୍ୟାନ କଲେ ଆଜି ସୁଦ୍ଧା ସେଭଳି ଷ୍ଟ୍ରିଟ୍ ଲାଇଟ୍ ମରାମତି କାର୍ଯ୍ୟରେ ଅଗ୍ରଗତି ଦେଖିବାକୁ ମିଳିନି। ଯେଉଁଥିପାଇଁ ଏବେ ବି ଘନ ଅନ୍ଧକାର ଭିତରେ ରହିଛି ସହର। ବିଶେଷ କରି ବଡ଼ଦାଣ୍ଡ, ବେଳାଭୂମି ରାସ୍ତା, ଭିଆଇପି ରୋଡ୍, ତାଳବଣିଆ ଆଦି ସ୍ଥାନରେ ସର୍ବାଧିକ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ଏସବୁ ମରାମତି କାର୍ଯ୍ୟ ଆଗେଇ ନଥିବାରୁ ରଥଯାତ୍ରା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଚୋରି, ରାହାଜାନି ଭଳି ଅଘଟଣର ଶିକାର ହେବା ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe