Times of India
ଭୁବନେଶ୍ବର : ଆସନ୍ତା ୨୪ରେ ହେବାକୁ ଥିବା ପୌରସଂସ୍ଥାଗୁଡ଼ିକର ସାଧାରଣ ନିର୍ବାଚନ ନିମନ୍ତେ ଗୁରୁବାର ଦିନ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ବୈଠକରେ ପୁଲିସ ଡିଜି ସୁନିଲ ବଂଶଲ, ଅତିରିକ୍ତ ପୁଲିସ ଡିଜି ଆର୍.କେ ଶର୍ମା (ଆଇନ ଶୃଙ୍ଖଳା) ଉପସ୍ଥିତ ରହି ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହ ପୌର ନିର୍ବାଚନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।
ନିର୍ବାଚନ ପାଇଁ ଏବେ ସବୁ ସହରାଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ କଡ଼ାକଡ଼ି ଭାବେ ଏହାକୁ ପାଳନ କରିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିସନ ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ନିର୍ବାଚନ କମିସନରଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଏବଂ ସ୍ବତନ୍ତ୍ର ସଚିବ ରଘୁରାମ ଆର୍. ଆୟାର ନିର୍ବାଚନ ପୂର୍ବର ପ୍ରସ୍ତୁତି ଯଥା କର୍ମଚାରୀମାନଙ୍କର ତାଲିମ, ନିର୍ବାଚନ ସାମଗ୍ରୀ ବିତରଣ, ବାଲଟ୍ ପେପର ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍ ସ୍ଥାପନ, ମତଗଣନା ଇତ୍ୟାଦି କାର୍ଯ୍ୟଗୁଡ଼ିକ କିପରି ସୁରୁଖୁରୁରେ ହୋଇପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ।
ଏଥର ପୌର ନିର୍ବାଚନରେ ଦୁଇ ପ୍ରକାରର ବାଲଟ୍ ପେପର ଇଭିଏମ୍ରେ ରହିବ। କାଉନସିଲର୍/କର୍ପୋରେଟର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲଟ୍ ପେପର ଏବଂ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲଟ୍ ପେପର ନିର୍ବାଚନରେ ବ୍ୟବହାର କରାଯିବ। ପ୍ରତି ବୁଥ୍ରେ ଦୁଇଟି ପୃଥକ ଇଭିଏମ୍ ରହିବ। ଭୋଟରମାନେ ମତଦାନ କକ୍ଷମଧ୍ୟରେ ସହଜରେ ମତଦାନ କରିବା ପାଇଁ ଇଭିଏମ୍ର କଣ୍ଟ୍ରୋଲ ୟୁନିଟ ଓ ବାଲଟ୍ ୟୁନିଟ ଉପରେ ଅଠାଥିବା ଷ୍ଟିକର ଲଗାଯିବ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ/ପ୍ରାର୍ଥିନୀମାନଙ୍କ ନାମ ବାଲଟ୍ ପେପରରେ ଓଡ଼ିଆ ବର୍ଣ୍ଣମାଳାର କ୍ରମାନୁସାରେ ରହିବ ବୋଲି କୁହାଯାଇଛି।
ସେହିପରି ପୌର ନିର୍ବାଚନ ବେଳେ ପ୍ରତ୍ୟେକ ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ୍ ପାଇଁ ୨୪ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି, ଭୋଟଗଣତି ଓ ଫଳାଫଳ ଘୋଷଣାବେଳେ ପୁଲିସ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିବା ସହ କଡ଼ା ସୁରକ୍ଷା ଯୋଗାଇଦିଆଯିବ ବୋଲି ଅତିରିକ୍ତ ପୁଲିସ ଡିଜି ଆର୍.କେ ଶର୍ମା ସୂଚନା ଦେଇଛନ୍ତି।
Follow Us