ତମାଖୁ ନିୟନ୍ତ୍ରଣ ଆଇନ କଠୋର ହେଉ

Advertisment
ତମାଖୁ ନିୟନ୍ତ୍ରଣ ଆଇନ କଠୋର ହେଉ

ଭୁବନେଶ୍ବର : ଦେଶରେ ତମାଖୁ ଜନିତ ରୋଗ ଯୋଗୁଁ ବାର୍ଷିକ ୧.୩ ନିୟୁତରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିକୁ ବିଚାରକୁ ନେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍‍) ଓ ତମାଖୁ ମୁକ୍ତ ଓଡ଼ିଶା ପାଇଁ ମିଳିତ ମଞ୍ଚ ପକ୍ଷରୁ ସାଂସଦମାନଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ସାଂସଦମାନେ ଯୋଗଦେଇ ମତ ରଖିଛନ୍ତି ଯେ, ଶିଶୁ ଏବଂ ଯୁବକମାନଙ୍କୁ ତମାଖୁ ଜନିତ ରୋଗ ଏବଂ କର୍କଟ ରୋଗରୁ ରକ୍ଷା କରିବା ପାଇଁ ‘କୋଟ୍‌ପା’ ଆଇନ୍‌ରେ ଆବଶ୍ୟକୀୟ ସଂଶୋଧନ କରିବା ସହ ଏହାକୁ ଆହୁରି କଠୋର କରିବା ଦରକାର।

ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମୁନ୍ନା ଖାନ, ସୁଜିତ କୁମାର, ସୁଲତା ଦେଓ, ନିରଞ୍ଜନ ବିଶି, ମମତା ମହାନ୍ତ, ଠାକୁର ଯୁଗଲ ଲୋକଚାନ୍ଦ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଥିଲେ । ସାଂସଦମାନେ କହିଥିଲେ, ଧୂମପାନ କେବଳ ଧୂମପାନକାରୀଙ୍କୁ କ୍ଷତି ପହଞ୍ଚାଏ ନାହିଁ, ଧୂମପାନ କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କର ମଧ୍ୟ କ୍ଷତି କରିଥାଏ ତମାଖୁରୁ ମିଳୁଥିବା ରାଜସ୍ୱ ତୁଳନାରେ ତମାଖୁ ଜନିତ ରୋଗରେ ଅଧିକ ଅର୍ଥ ବ୍ୟୟ ହୋଇଥାଏ। ତମାଖୁ ପରିବେଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ। କୋଟପାକୁ ମଜବୁତ କରିବା ହେଉଛି ନୂତନ ପିଢିକୁ ତମାଖୁ ସେବନର ଜାଲରେ ପଡ଼ିବାରୁ ରକ୍ଷା କରିବା। ତମାଖୁ ପରିବେଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ। ଆମ ପରବର୍ତ୍ତୀ ପିଢିକୁ ବଞ୍ଚାଇବାକୁ ପଡ଼ିବ ।

ଏହି ଅଧିବେଶନରେ ଅଂଶଗ୍ରହଣ କରିଥିବା ସାଂସଦମାନେ ଏହି ସଂଶୋଧନ ବିଲ୍ ସପକ୍ଷରେ ସେମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ନିଶ୍ଚିତ କରିଛନ୍ତି। ବିଶେଷକରି ଶିଶୁ ତଥା ଯୁବକମାନଙ୍କ ମଧ୍ୟରେ ତମାଖୁ ସେବନକୁ ରୋକିବା ଦିଗରେ କାର୍ଯ୍ୟ କରି ଜନସ୍ୱାସ୍ଥ୍ୟର ଉନ୍ନତିର ଜରୁରି ଆବଶ୍ୟକତା ଉପରେ ସେମାନେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ। ପିକକ୍‌ର ସମ୍ପାଦକ ରଂଜନ କୁମାର ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ, ତମାଖୁ ନିୟନ୍ତ୍ରଣ ଆଇନକୁ ମଜବୁତ କରିବା ପାଇଁ ସାଂସଦମାନଙ୍କର ସମର୍ଥନ ଓ ପ୍ରତିବଦ୍ଧତା ଅତ୍ୟନ୍ତ ଉତ୍ସାହଜନକ। ବରିଷ୍ଠ କର୍କଟରୋଗ ବିଶେଷଜ୍ଞ ଡାକ୍ତର କୃପାସିନ୍ଧୁ ପଣ୍ଡା ତମାଖୁ ସେବନର ସ୍ୱାସ୍ଥ୍ୟଗତ କ୍ଷତି ବିଷୟରେ କହିଥିଲେ। ପିକକ୍‌ର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡା ତମାଖୁର ଭୟାବହତା ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe