ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆଜି ବି ଆନ୍ଦୋଳନ ଜାରି ରଖିଛନ୍ତି। ଏହାଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ଓପିଡି ବନ୍ଦ ହୋଇଥିବା ଜଣାଯାଇଛି। ଏଣେ ମେଡିକାଲ ପରିସରରେ ଡାକ୍ତରୀ ଛାତ୍ର ଓ ପବ୍ଲିକ ମଧ୍ୟରେ ଠେଲାପେଲା ଓ ଉତ୍ତେଜନା ପରିଲକ୍ଷିତ ହୋଇଛି। ଡାକ୍ତରୀ ଛାତ୍ରମାନେ ମେଡିକାଲ ପରିସରକୁ ଆମ୍ବୁଲାନସକୁ ମଧ୍ୟ ଛାଡ଼ିଲେ ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚ ବୁଝାସୁଝା କରୁଥିଲେ ବି ଆନ୍ଦୋଳନରତ ଡାକ୍ତରମାନେ ଜିଦ୍ ରେ ଅଟଳ ରହିଛନ୍ତି। ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତକୁ ଗିରଫ କରିବା ସହ କଠୋର ଦଣ୍ଡ ଲାଗି ଦାବି ହୋଇଛି। ଏହାଛଡ଼ା ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ଆନ୍ଦୋଳନରତ ଡାକ୍ତରମାନେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ୍ ଡାକ୍ତରଖାନାର ଡା. ବିଶ୍ବରଂଜନ ସାହୁଙ୍କୁ ଆକ୍ରମଣ ହୋଇଥିଲା। ସ୍ଥାନୀୟ ବ୍ରାହ୍ମଣପଡ଼ା ନିବାସୀ ଡା. ସାହୁଙ୍କୁ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରି ଫେରାର୍ ମାରିଥିଲେ। ଆକ୍ରମଣରେ ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ପ୍ରକାଶ ଯେ, ଡା. ବିଶ୍ୱରଞ୍ଜନ ସାହୁ ହାଉସ ସର୍ଜନ ଭାବେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାମ କରୁଛନ୍ତି। ଗୁରବାର ଦିନ ସେ ଆଉଟଡୋର କାମ ସାରି ଡା. ବିଷ୍ଣୁ କଲ୍ୟାଣ ମିର୍ଦ୍ଧାଙ୍କ ସହ ମେଡିକାଲସ୍ଥିତ କ୍ୱାର୍ଟରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ( ଓଡି ୦୫-ପି ୯୬୮୪)ରେ ତାଙ୍କୁ ପିଛା କରି ଶାନ୍ତିପଡ଼ା ଗ୍ରିଡ ପାଖରେ ସେମାନଙ୍କୁ ଅଟକାଇଥିଲେ। ଡାକ୍ତରମାନେ ଅଟକିବା ପରେ ଦୁର୍ବୃତ୍ତମାନେ ତୁ କାହିଁକି ମୋ ସ୍ତ୍ରୀର ଗୁପ୍ତାଙ୍ଗକୁ ଛୁଇଁଲୁ ବୋଲି କହିବା ସହ ଡା. ସାହୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଡାକ୍ତର ଜଣକ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇବାକୁ ଚେଷ୍ଟା କଲାବେଳେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ସାଙ୍ଗରେ ଥିବା ଡାକ୍ତର ଆହତ ଡା. ସାହୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମେଡିକାଲ କଲେଜ ପକ୍ଷରୁ ଏନେଇ ଟାଉନ ଥାନାରେ ଏତଲା ଦିଆଯାଇଛି।
Follow Us