ବିଜୁଳି ସଂଯୋଗ ହେଲାନି, ରିଲିଫ୍ ପହଞ୍ଚିଲାନି; ବିରିଡ଼ି ବ୍ଲକ୍‌ରେ ୭ ଘଣ୍ଟା ରାସ୍ତାରୋକ

ବିଡ଼ିଓ ଓ ତହସିଲଦାରଙ୍କୁ ଚଲାଇ ଚଳାଇ କ୍ଷୟକ୍ଷତି ଦେଖାଇଲେ

ବିଜୁଳି ସଂଯୋଗ ହେଲାନି, ରିଲିଫ୍ ପହଞ୍ଚିଲାନି; ବିରିଡ଼ି ବ୍ଲକ୍‌ରେ ୭ ଘଣ୍ଟା ରାସ୍ତାରୋକ

ଜଗତସିଂହପୁର/ବିରିଡ଼ି : ସାମୁଦ୍ରିକ ବାତ୍ୟା ’ଫନି’ ପ୍ରଭାବ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସେବା ଓ ରିଲିଫ୍ ଦିଆ ନ ଯିବା ପ୍ରତିବାଦ‌ରେ ଆଜି ବିରିଡ଼ିରେ ତୀବ୍ର ଅସନ୍ତୋଷ ପ୍ରକ‌ାଶ ପାଇଛି। ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଲୋକମାନଙ୍କ ନିକଟରେ ଏପର୍ଯ୍ୟନ୍ତ କୌଣସି ରିଲିଫ ପହଞ୍ଚି ପାରିନଥିବା ବେଳେ କଟିଥିବା ବିଜୁଳି ଯୋଗାଣକୁ ଏଯାବତ୍‌ ସଜଡ଼ା ଯାଇପାରି ନାହିଁ। ଏହାର ପ୍ରତିବାଦରେ ଆଜି ବିରିଡ଼ି ବ୍ଲକ୍‌ର ବିଭିନ୍ନ ଛକରେ ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ଦୀର୍ଘ ୭ଘଣ୍ଟା ଧରି ଜଗତସିଂହପୁର-କଟକ ରାସ୍ତା ଅବରୋଧ କରିବାରୁ ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍‌ ରହିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବରିଷ୍ଠ ଅଧିକାରୀମାନେ ବୁଝାଶୁଝା କରିଥିଲେ ବି ତାହାର ବିଶେଷ ପ୍ରଭାବ ପଡ଼ି ନାହିଁ। ଘଟଣାସ୍ଥଳକୁ ଯାଇଥିବା ବିଡିଓ ଓ ତହସିଲଦାରଙ୍କୁ ଗ୍ରାମବାସୀମାନେ ଚଲାଉ ଚଲାଇ କ୍ଷୟକ୍ଷତି ଦେଖାଇଛନ୍ତି।

ବିରିଡ଼ିର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଏଯାବତ୍‌ ରିଲିଫ୍ ମିଳି ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେମାନେ ବାରମ୍ବାର ଅଭିଯୋଗ କରିବା ପରେ ବି କିଛି ସୁଫଳ ନ ମିଳିବାରୁ ଆଜି ପୂର୍ବାହ୍ନ ୧୦ଟା ବେଳେ ବିଭିନ୍ନ ସ୍ଥାନରେ ଗ୍ରାମାବାସୀମାନେ ରାସ୍ତାରୋକ କରିଥିଲେ। ତା’ଛଡ଼ା, ବାତ୍ୟାରେ ବିରିଡ଼ି ବ୍ଲକ୍ ସାଂଘାତିକ ଭାବେ ପ୍ରଭାବିତ ହୋଇଥିଲେ ବି ଏଠାରେ ଆଂଶିକ ’ତି ହୋଇଛି ବୋଲି ଜିଲ୍ଲାପାଳ ଘୋଷଣା କରିଥିବାରୁ ଲୋକେ ତା’ ପ୍ରତିବାଦରେ ଆଜି ଜଗତସିଂହପୁର-କଟକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ବିରିଡ଼ ବ୍ଲକ୍‌ର ମହାତୋଳ, ଦୋଗସିଆ, ପଣ୍ଡିଆ, ଅଣଖିଆ ଓ ବାଲିଆଷ୍ଟୋର ଛକରେ ରାସ୍ତାରୋକ କରାଯାଇଥିଲା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ଫଳରେ ଉଭୟପଟରେ ଯାତ୍ରୀମାନେ ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହୋଇଥିଲେ। ଦିନ ୧୦ଟାରୁ ମହାତୋଳ ଛକରେ ଆରମ୍ଭ ହୋଇଥିବା ରାସ୍ତାରୋକରେ ଶତାଧିକ ମହିଳା ସାମିଲ ହୋଇ ଟାୟାର ଜଳି ପ୍ରତିବାଦ କରିଥିଲେ। ଜିଲ୍ଲାକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘୋଷଣା କରିବା ସହ ତୁରନ୍ତ ରିଲିଫ, ପଲିଥିନ ଓ ଘରଭଙ୍ଗା ସହାୟତା ପ୍ରଦାନ କରିବା ପାଇଁ ଲୋକେ ଦାବି କରିଥିଲେ। ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାନ ମହାନ୍ତି, ବିଡିଓ ଗିରିଜା ପ୍ରସାଦ ବାରିକ, ତହସିଲଦାର ସାଗରିକା ପ୍ରିୟଦର୍ଶିନୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ ବି ସେମାନେ ରାସ୍ତାରୋକରୁ ହଟି ନଥିଲେ। ବିଫଳ ହୋଇ ଉପ-ଜିଲ୍ଲାପାଳ ଶ୍ରୀ ମହାନ୍ତି ବାଧ୍ୟହୋଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଉପସ୍ଥିତ ଲୋକେ ବିଡିଓ ଶ୍ରୀ ବାରିକ ଓ ତହସିଲଦାରଙ୍କୁ ଚଲାଇ ଚଲାଇ ନିଜ ନିଜ ଭଙ୍ଗା ଘର ଦେଖାଇଥିଲେ। ପରେ ଆଇଆଇସି ପାରଓ ଟୁଡ଼ୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ରାସ୍ତାରୋକ ହଟାଇଥିଲେ।

ସୂଚନାଯୋଗ୍ୟ, ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ବାତ୍ୟାର ସଫଳ ମୁକାବିଲା କରୁଥିବା ନେଇ ପ୍ରେସ୍ ବିଜ୍ଞପ୍ତିରେ ବାହାସ୍ଫୋଟ ମାରୁଛନ୍ତି। ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। କେବଳ ବିରିଡ଼ି ନୁହେଁ, ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ଏବେ ସ୍ଥିତି ସଙ୍ଗୀନ। ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟ ବର୍ତ୍ତମାନ ସୁଦ୍ଧା ଅନ୍ଧାରରେ ରହିଛି। ସବୁଠି ରିଲିଫ୍ ଓ ଘରଭଙ୍ଗା ସହାୟତା ତୁରନ୍ତ ଯୋଗାଇବା ପାଇଁ ଦାବି ହେଉଛି। ସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଲୋକଙ୍କ ଅସନ୍ତୋଷକୁ ସାମ୍ନା କରିବା କଷ୍ଟକର ହୋଇ ପଡ଼ିବ ବୋଲି ଚର୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe