ଫଇସଲା ହେଲାନି, ଚାପା ଆସନ୍ତୋଷ ଜାରି; ଅନ୍‌ଲାଇନ ପରୀକ୍ଷା ଦାବି ଜିଦ୍‌ରେ ଅଟଳ ଏନ୍‌ଆଇଟି ଛାତ୍ରଛାତ୍ରୀ

ଫଇସଲା ହେଲାନି, ଚାପା ଆସନ୍ତୋଷ ଜାରି; ଅନ୍‌ଲାଇନ ପରୀକ୍ଷା ଦାବି ଜିଦ୍‌ରେ ଅଟଳ ଏନ୍‌ଆଇଟି ଛାତ୍ରଛାତ୍ରୀ

ରାଉରକେଲା: ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ ପରୀକ୍ଷା ଆୟୋଜନ ଦାବିରେ ଅଟଳ ଅଛନ୍ତି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ଛାତ୍ରଛାତ୍ରୀ। ଅନଲାଇନ ପରୀକ୍ଷାକୁ କୌଣସିମତେ ଗ୍ରହଣ କରିବେନି ବୋଲି ଜିଦ୍‌ରେ ଅଛନ୍ତି। ଅପରପକ୍ଷରେ, ଛାତ୍ର ଅସନ୍ତୋଷ ଉଗ୍ର ହେଉଥିବାରୁ ଦୀର୍ଘ ପାଞ୍ଚ ଦିନ ପରେ ଏନ୍‌ଆଇଟି କର୍ତ୍ତୃପକ୍ଷ ସାମାନ୍ୟ ନରମିଛନ୍ତି। ପୂର୍ବରୁ ଦାବି ନେଇ ଛାତ୍ରଛାତ୍ରୀଙ୍କ ସହ କୌଣସି ପ୍ରକାର ଆଲୋଚନାକୁ ସ୍ପଷ୍ଟ ମନାକରୁଥିବା କର୍ତ୍ତୃପକ୍ଷ ଆଜି ବାଧ୍ୟ ହୋଇ ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ୧ ତାରିଖରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ କିନ୍ତୁ ସଂପୂର୍ଣ୍ଣ ଆଶ୍ବସ୍ତ ହୋଇପାରିନାହାନ୍ତି ଛାତ୍ରଛାତ୍ରୀ। ସଂପ୍ରତି ଅନୁଷ୍ଠାନର ନିର୍ଦ୍ଦେଶକ ଅନୁପସ୍ଥିତ ଥିବାରୁ ୧ ତାରିଖରେ ଯୋଗଦାନ ପରେ ନିଷ୍ପତ୍ତି ନିଆଯିବ। ତେବେ ଛାତ୍ରଛାତ୍ରୀଙ୍କ ଦାବି ପୂରଣ ହେବ ତ? ପରୋକ୍ଷ ଚେତାବନୀ ଦେଇ ଆନ୍ଦୋଳନର ସ୍ବରକୁ ଚାପି ଦିଆଯିବ ନି ତ? ଏଭଳି ଅନେକ ପ୍ରଶ୍ନ ଏବେ ଛାତ୍ରଛାତ୍ରୀ ମହଲରେ ଉଙ୍କିମାରିଲାଣି। ଆଜିର କର୍ତ୍ତୃପକ୍ଷ-ଛାତ୍ର ପ୍ରତିନିଧି ଆଲୋଚନାକୁ ନେଇ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଥିଲା। କେବଳ ଜଣେ ହିଁ ଛାତ୍ର ପ୍ରତିନିଧି ଆଲୋଚନାରେ ଭାଗ ନେବାକୁ କର୍ତ୍ତୃପକ୍ଷ ସର୍ତ୍ତ ରଖିଥିଲେ। ତେବେ ଛାତ୍ରଛାତ୍ରୀ ଖୋଲା ଆଲୋଚନା ଦାବି କରିଥିଲେ। ଦୀର୍ଘ ସମୟଧରି କାକୁତିମିନତି କରିଥିଲେ ମଧ୍ୟ କର୍ତ୍ତୃପକ୍ଷ କିଛି ଶୁଣିନଥିଲେ; ଫଳରେ ବାଧ୍ୟହୋଇ ମାତ୍ର ଜଣେ ପ୍ରତିନିଧିଙ୍କୁ ଆଲୋଚନା ପାଇଁ ପଠାଯାଇଥିଲା।

ପ୍ରକାଶଥାଉକି, ଗତ ୨୨ ତାରିଖରୁ ଅନୁଷ୍ଠାନରେ ପରୀକ୍ଷା ନେଇ ବିବାଦ ଆରମ୍ଭ ହୋଇଛି। ଆସନ୍ତା ଏପ୍ରିଲ ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ଅଫ୍‌ଲାଇନ ପରିବର୍ତ୍ତେ ଅନଲାଇନ୍‌ରେ ଆୟୋଜନ କରିବାକୁ ଦାବି କରିଥିଲେ। ପ୍ରାୟ ୮୦ ପ୍ରତିଶତ ବିଷୟବସ୍ତୁର ଶିକ୍ଷାଦାନ ଅନଲାଇନ୍‌ରେ ସମ୍ପନ୍ନ ହୋଇଥିବା, ପୂର୍ବରୁ ଅନଲାଇନ୍‌ରେ ଦାଖଲ କରିସାରିଥିବା ଆସାଇନ୍‌ମେଣ୍ଟ୍‌କୁ ପୁନର୍ବାର ଲିଖିତଭାବେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯିବା, ଇଣ୍ଟରନେଟ୍‌ର ଅସୁବିଧା, ଛାତ୍ରାବାସରେ ଖାଦ୍ୟପେୟର ଅସୁବିଧା, ବାହାରୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପୁନର୍ବାର କୋଭିଡ୍‌ ଟେଷ୍ଟ୍‌ କରାନଯିବା, ପରିଚୟ ପତ୍ର ପ୍ରଦାନ କରାଯାଇନଥିବାରୁ ଲାଇବ୍ରେରୀରେ ପଢ଼ିବାରୁ ବଞ୍ଚିତ ହେବା ଆଦି ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଅନଲାଇନ୍‌ ପରୀକ୍ଷା ପାଇଁ ଦାବି କରୁଛନ୍ତି। ଏମିତିକି ଖୋଲା ଆଲୋଚନା ଦାବିରେ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଛାତ୍ରଛାତ୍ରୀ ଭୁବନେଶ୍ବର ବେହେରା ଅଡିଟୋରିୟମ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe