ରାସ୍ତା ପାଇଁ ସଂଘର୍ଷ: ୨ଥର ଭୋଟ୍‌ ବର୍ଜନ କରିଥିଲେ, ଏଥର ବି!

ରାସ୍ତା ପାଇଁ ସଂଘର୍ଷ: ୨ଥର ଭୋଟ୍‌ ବର୍ଜନ କରିଥିଲେ, ଏଥର ବି!

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦୁଣ୍ଡା ଗ୍ରାମବାସୀ ରାସ୍ତା ପାଇଁ ସଂଘର୍ଷ କରୁଛନ୍ତି। ଏଥିନେଇ ଗତ ୨୦୨୨ ମସିହା ପଞ୍ଚାୟତ ନିର୍ବାଚନ ବେଳେ ୨ ଥର ଭୋଟ ବର୍ଜନ କରିସାରିଛନ୍ତି। ତା’ପରେ ବି କୌଣସି ପଦକ୍ଷେପ ନିଆ ନଯିବାରୁ ପୁଣିଥରେ ଭୋଟ୍‌ ବର୍ଜନ ପାଇଁ ଗ୍ରାମବାସୀ ସଜବାଜ ହେଉଛନ୍ତି। ଜୁନାଗଡ଼ ବ୍ଲକ୍‌ ଦୁନ୍ଦେଲମାଲ ପଞ୍ଚାୟତର ଦୁଣ୍ଡା ଗାଁ ହେଉଛି ଏକ ବଣପାହାଡ଼ଘେରା ଦୁର୍ଗମ ଅଞ୍ଚଳ। ଉପର ଦୁଣ୍ଡା ଓ ତଳ ଦୁଣ୍ଡା ଗାଁରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ୫୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି।

ଗାଁରୁ ଦୁନ୍ଦେଲମାଲ ପଞ୍ଚାୟତ ଅଫିସ୍‌ ୧୬ କିମି ଦୂର ଓ ଜୁନାଗଡ଼ ବ୍ଲକ୍‌ ଅଫିସ୍‌ ୨୬ କିମି ଦୂର। ରାସ୍ତା ନ ଥିବାରୁ ଲୋକେ ପାହାଡ଼ ଚଢ଼ି ବିପଦସଂକୁଳ ଅବସ୍ଥାରେ ଯିବାଆସିବା କରିଥାନ୍ତି। ଜରୁରୀକାଳୀନ ସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ରୋଗୀ, ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ଥୁଆମୂଳ ରାମପୁର ଅଞ୍ଚଳର କିଆପଦର ଦେଇ ୩୭ କିମି ଭବାନୀପାଟଣା ଡାକ୍ତରଖାନାକୁ ନେଇଥାନ୍ତି। ଗାଁରେ ୨ ନଳକୂଅ ଓ ଗୋଟିଏ ସୌରଶକ୍ତିଚାଳିତ ପମ୍ପ ରହିଛି। ତନ୍ମଧ୍ୟରୁ ଗୋଟିଏ ନଳକୂଅ ଓ ସୌରଶକ୍ତିଚାଳିତ ପମ୍ପ ଖରାପ ହୋଇଛି। ଫଳରେ ଗ୍ରାମବାସୀ ନାଳର ଦୂଷିତ ପାଣି ପିଉଛନ୍ତି। ଦୂଷିତ ପାନୀୟ ଜଳ କାରଣରୁ ଗାଁର ଲୋକେ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି। କେବଳ ୨୦୨୨ ମସିହାରେ କିଡ୍‌ନି ରୋଗରେ ଆକ୍ରାନ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ଗାଁର ୩୦ରୁ ଅଧିକ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ ଅଛନ୍ତି। ଏହି ଗ୍ରାମବାସୀଙ୍କ ପାଇଁ ମୋବାଇଲ ନେଟ୍‌ୱର୍କ ସାତ ସପନ ହୋଇଛି।

ଏହି ଅଞ୍ଚଳ ପାଇଁ ତଳଦୁଣ୍ଡାରେ ବୁଥ୍ ଥିବାବେଳେ ୧୪୩ ଜଣ ପୁରୁଷ ଓ ୧୭୧ ଜଣ ମହିଳା ମିଶି ୩୧୪ ଜଣ ଭୋଟର ଅଛନ୍ତି। ପ୍ରତି ନିର୍ବାଚନ ଆସିଲେ ନେତାମାନେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଇ ଭୋଟ ନିଅନ୍ତି। ଭୋଟ୍‌ ସରିଲେ ପ୍ରତିଶ୍ରୁତି ଭୁଲି ଯାଆନ୍ତି। ୨୦୨୨ ମସିହାରେ ଦୁଣ୍ଡା ଗ୍ରାମକୁ ନିର୍ବାଚନ ସମୟରେ ପୋଲିଂ ପାର୍ଟି ଯାଇଥିଲେ। ହେଲେ ଗ୍ରାମବାସୀ ଭୋଟ୍‌ ବର୍ଜନ କରିଥିଲେ। ଫଳରେ ପୋଲିଂ ପାର୍ଟି ଫେରି ଯାଇଥିଲେ। ପରେ ପୁଣି ଲୋକଙ୍କୁ ମନାଇ ଭୋଟ୍‌ ଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହି ଭୋଟ୍‌ ଦେଇନଥିଲେ। ରାସ୍ତା ନିର୍ମାଣ ଓ ପାନୀୟ ଜଳର ସୁବିଧା ନ ହେଲେ ଗ୍ରାମବାସୀମାନେ ଭୋଟ୍‌ ବର୍ଜନ କରିବେ ବୋଲି ବିଧାୟକ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନହେବାରୁ ପୁଣି ଥରେ ଭୋଟ୍‌ ବର୍ଜନ କରିବେ ବୋଲି କିଛିଦିନ ତଳେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe