ଛାତ୍ରୀ ଅମ୍ରିତା ଦାସ ମୃତ୍ୟୁ ଘଟଣା: ପୋଖରୀରୁ ମିଳିଲା ଓଢ଼ଣି, ଲାଲ୍ ରଙ୍ଗ କାର୍‌ର ଚଣ୍ଡିଖୋଲ୍ ଲିଙ୍କ

Advertisment
ଛାତ୍ରୀ ଅମ୍ରିତା ଦାସ ମୃତ୍ୟୁ ଘଟଣା: ପୋଖରୀରୁ ମିଳିଲା ଓଢ଼ଣି, ଲାଲ୍ ରଙ୍ଗ କାର୍‌ର ଚଣ୍ଡିଖୋଲ୍ ଲିଙ୍କ

ଦଶରଥପୁର : ଛାତ୍ରୀ ଅମ୍ରିତା ଦାସ ମୃତ୍ୟୁ ଘଟଣାରେ ପୁଲିସ ତନାଘନା ଚଳାଇଥିଲେ ବି ଏଯାଏ ରହସ୍ୟ ଉନ୍ମୋଚନ କରିପାରି ନାହିଁ। ଗୁରୁବାର ପୁଲିସ ଦଶରଥପୁର ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସମେତ ଜଣେ ସ୍ଥାନୀୟ ବୁଡ଼ାଳିଙ୍କ ସାହାଯ୍ୟରେ ପୋଖରୀରୁ ଅମ୍ରିତାଙ୍କ ଓଢ଼ଣିକୁ ଖୋଜି ବାହାର କରିଛି। ସେହିପରି କମେଣ୍ଟମରା ଘଟଣାକୁ ନେଇ ପୁଲିସ ଅନୁସନ୍ଧାନ ଚଳାଇଛି। ଅମିତାଭ୍ ବଚନ ଛକରେ ଥିବା ଟିପିଏନ୍‌ଓଡିଏଲ୍ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ଯୁବକ ପୁଲିସ ସ୍କାନରରେ ରହିଥିବା ସୂଚନା ମିଳିଛି। ଘଟଣା ଦିନ ସ୍ଥାନୀୟ ନନ୍ଦିପୁର ବଜାର ଓ ବରୀକୂଳ ରାସ୍ତାରେ ଏକ ଲାଲ୍ ରଙ୍ଗର କାର ବାରମ୍ବାର ଏପଟସେପଟ ହେଉଥିବା ବଜାରରେ ଲାଗିଥିବା ସିସିଟିଭି ଚିତ୍ରରୁ ପୁଲିସ୍ ଜାଣିବାକୁ ପାଇଛି। ଅମ୍ରିତାଙ୍କ ମୃତ୍ୟୁ ପଛରେ ଏହି ଲାଲ୍ ରଙ୍ଗର କାର କୌଣସି ସମ୍ବନ୍ଧ ଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ଏହି କାରକୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଗାଡ଼ିଟି ଚଣ୍ଡିଖୋଲ ଅଞ୍ଚଳର ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଥାଉକି ବିଂଝାରପୁର ଥାନା ଉତ୍ତଙ୍ଗରା ପଞ୍ଚାୟତ ବରୀକୂଳ ଗ୍ରାମର ଅମୂଲ୍ୟ ଦାସ ଓ ସୁପ୍ରିୟା ଦାସଙ୍କ ବଡ଼ଝିଅ ଅମ୍ରିତା ଦାସ ମଙ୍ଗଳପୁର ଥାନା ନନ୍ଦିପୁର ସରକାରୀ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଥିଲେ। ବାପା ଅମୂଲ୍ୟ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ ଏକ ଖଣିରେ କାର୍ଯ୍ୟ କରୁଥିବାରୁ ସେଠାରେ ରହନ୍ତି। ମାଆ ଓ ଦୁଇ ଝିଅ ବରୀକୂଳ ଘରେ ରହୁଥିଲେ। ଅମ୍ରିତା ମଙ୍ଗଳପୁର ଥାନା ନନ୍ଦିପୁର ପଞ୍ଚାୟତ ବାବଲପୁର ଗ୍ରାମର ବିଷ୍ଣୁ ଚରଣ ପାଠୀଙ୍କ ନିକଟକୁ ଗତ ୩ ତାରିଖ ଟ୍ୟୁସନ ହେବାକୁ ସାଇକଲ୍‌ରେ ଯାଇ ଆଉ ଫେରିନଥିଲେ। ରାତିରେ ନନ୍ଦିପୁର ବଜାର ନିକଟସ୍ଥ ଏକ ପୋଖରୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। କେହି ଅପରାଧୀ ହତ୍ୟା କରିଛନ୍ତି ବୋଲି ଛାତ୍ରୀଙ୍କ ସମ୍ପର୍କୀୟ ଭାଇ ରାଜୀବ ଦାସ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ୪୭୭/୨୨ରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଗତ ୬ ତାରିଖ ଜଣେ ଛାତ୍ରଙ୍କୁ ଥାନାରେ ପ୍ରାୟ ୨ ଘଣ୍ଟା ପଚରାଉଚରା କରି ଛାଡ଼ିଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe