‘ଡିପ୍ଲୋମା ଇଞ୍ଜିନିୟରିଂ’ ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ନାହିଁ, ସାଢ଼େ ୪୪ହଜାରରୁ ୨୦ ହଜାର ସିଟ୍‌ ଖାଲି

Advertisment

ସରକାର କମାଇ ଦେଲେ ୫୭୦ ସିଟ୍‌, ନାମଲେଖାରୁ ବଞ୍ଚିତ ୪ ଘରୋଇ କଲେଜ

ସରକାର କମାଇ ଦେଲେ ୫୭୦ ସିଟ୍‌, ନାମଲେଖାରୁ ବଞ୍ଚିତ ୪ ଘରୋଇ କଲେଜ

‘ଡିପ୍ଲୋମା ଇଞ୍ଜିନିୟରିଂ’ ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ନାହିଁ, ସାଢ଼େ ୪୪ହଜାରରୁ ୨୦ ହଜାର ସିଟ୍‌ ଖାଲି

Interesting Engineering

କଟକ: ୨୦ ବର୍ଷ ତଳେ ପଲିଟେକ୍‌ନିକ୍ ବା ଡିପ୍ଲୋମା ଇଞ୍ଜିନିୟରିଂ ଶିକ୍ଷା’ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଥିଲା କାହିଁରେ କଣ? ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ଖୁବଶୀଘ୍ର ଇଂଜିନିୟର ହେବା ଲକ୍ଷ୍ୟରେ ‘ଡିପ୍ଲୋମା ପାଠ୍ୟକ୍ରମ’ରେ ନାମ ଲେଖାଉଥିଲେ। ହେଲେ ଏବେ ପରିସ୍ଥିତି ବଦଳି ଯାଇଛି। ଉନ୍ନତମାନର ଭିତ୍ତିଭୂମି ସହ ପର୍ଯ୍ୟାପ୍ତ କଲେଜ ଥାଇ ମଧ୍ୟ ଛାତ୍ରଛାତ୍ରୀ ଆଉ ପୂର୍ବଭଳି ଡିପ୍ଲୋମା ଶିକ୍ଷା ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଏବେ ଡିପ୍ଲୋମାର ନାମଲେଖା ଜାରି ରହିଥିବାବେଳେ ପ୍ରାୟ ୨୦ ହଜାର ସିଟ୍‌ ଖାଲି ପଡ଼ିବା ଏହାର ପ୍ରମାଣ ଦେଉଛି।

ସୂଚନା ଅନୁଯାୟୀ, ରାଜ୍ୟରେ ୩୫ଟି ସରକାରୀ ପଲିଟେକନିକ ଏବଂ ୧୧୭ଟି ଘରୋଇ ଡିପ୍ଲୋମା ଶିକ୍ଷାନୁଷ୍ଠାନ ରହିଛି। ମୋଟ ଉପରେ ୧୫୨ଟି ଡିପ୍ଲୋମା ଶିକ୍ଷାନୁଷ୍ଠାନରେ ୪୪ହଜାର ୫୧୯ଟି ସିଟ୍‌ ରହିଛି। ଏହି କ୍ରମରେ ୩୫ଟି ବ୍ରାଞ୍ଚରେ ନାମଲେଖା ହେଉଥିବା ବେଳେ ବିଶେଷ କରି ମେକାନିକାଲ, ଇଲେକ୍ଟ୍ରିକାଲ, ସିଭିଲ, କେମିକାଲ, ଅଟୋମୋବାଇଲ, ମାଇନିଂ ଆଦି ଶାଖାର ବହୁ ଚାହିଦା ରହିଛି। କିନ୍ତୁ ଗତକିଛି ବର୍ଷ ହେବ ଡିପ୍ଲୋମା ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ କମୁଥିବା ଦେଖିବାକୁ ମିଳିଛି। ଗତବର୍ଷ ସମୁଦାୟ ସିଟ୍‌ ମଧ୍ୟରୁ ୩୦ ପ୍ରତିଶତ ଫାଙ୍କା ପଡ଼ିଥିବାବେଳେ ଚଳିତ ଥର ମଧ୍ୟ ସମାନ ଅବସ୍ଥା ଉପୁଜିଛି।

ଏଥର ୩୫ଟି ବ୍ରାଞ୍ଚରେ ନାମଲେଖା ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ନାମଲେଖା ପାଇଁ ୪୮ହଜାର ୬୪୫ ଛାତ୍ରଛାତ୍ରୀ ଅନଲାଇନ୍‌ରେ ନାମ ପଞ୍ଜୀକରଣ କରିଥିଲେ। ହେଲେ ସେଥିମଧ୍ୟରୁ ୩୫ହଜାର ୯୮୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ମାତ୍ର ୨୪ହଜାର ୪୭୯ ଛାତ୍ରଛାତ୍ରୀଙ୍କର ଆବେଦନ ବୈଧ ଥିବା ଜଣାପଡ଼ିଛି। ଏଥିମଧ୍ୟରୁ ସାଧାରଣ ବର୍ଗ(ପୁରୁଷ)ରେ ୧୩ହଜାର ୭୩୭, ଅନୁସୂଚିତ ଜାତି ବର୍ଗରେ ୩ହଜାର ୪୪୬, ଅନୁସୂଚିତ ଜନଜାତି ବର୍ଗରେ ୨ହଜାର ୮୭୭, ଶାରୀରିକ ଅକ୍ଷମ ବର୍ଗରେ ୧୪, ଗ୍ରିନକାର୍ଡ ବର୍ଗରେ ୫୦୬ ଆବେଦନକାରୀ ଅଛନ୍ତି। ସେହିପରି ଦୁଇ ବର୍ଷିଆ ଲାଟେରାଲ୍ ଏଣ୍ଟ୍ରି ପାଇଁ ୩ହଜାର ୧୧୦ଜଣ ଆବେଦନ କରିଥିବା ସୂଚନା ମିଳିଛି। ତେବେ ଅବଶି‌ଷ୍ଟ ଖାଲି ସିଟ୍‌ ପୂରଣ ପାଇଁ ପୁଣିଥରେ ଗତ ଜୁଲାଇ ପହିଲାରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି।

ନାମଲେଖାର ଶେଷ ତାରିଖ ଭାବେ ଆସନ୍ତା ଅଗଷ୍ଟ ୧୪ ତାରିଖକୁ ଧ‌ାର୍ଯ୍ୟ କରାଯାଇଛି। ହେଲେ ଆବେଦନକାରୀଙ୍କ ସଂଖ୍ୟାରୁ ବଳକା ସିଟ୍‌ ପୂରଣ ହେବା ନେଇ ସନ୍ଦେହ ଉପୁଜିଛି। ଏହାର ଏକମାତ୍ର କାରଣ ହେଉଛି ଏବେ ଯୁକ୍ତ ଦୁଇ ନାମଲେଖା ଜାରି ରହିଛି। ଶତକଡ଼ା ୯୦ ଭାଗ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ‘ସାମ୍‌ସ’ର ସିଲେକ୍ସନ ଲିଷ୍ଟରେ ଅଛନ୍ତି। ତେଣୁ ଖୁବ କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ଡିପ୍ଲୋମା ଆଡ଼କୁ ଢଳିଥିବା‌ କୁହାଯାଉଛି। ଯଦି ଶେଷ ଯାଏଁ ଏହି ପରିସ୍ଥିତି ଲାଗି ରୁହେ, ତେବେ ଗତଥର ପରି ଏଥର ବି ଦଶ ହଜାରରୁ ଅଧିକ ସିଟ ଖାଲି ପଡ଼ିବ ବୋଲି ଆଶଙ୍କା କରାଯାଉଛି। ରାଜ୍ୟ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି, ଗତ ପାଞ୍ଚ ଛଅ ବର୍ଷ ହେବ ମୋଟ ସିଟ୍‌ର ଶତକଡ଼ା ୨୫ ଭାଗ ସିଟ ଫାଙ୍କା ପଡୁଛି। ବିଶେଷ କରି ରାଜ୍ୟର ପଛୁଆ ଜିଲ୍ଲାଗୁଡ଼ିକରେ ଏସବୁ ସିଟ୍‌ ଫାଙ୍କା ପଡ଼ୁଛି। ଏଥିପାଇଁ ରାଜ୍ୟ ସରକାର ଚଳିତବର୍ଷ ପଛୁଆ ଜିଲ୍ଲାଗୁଡ଼ିକରେ ଥିବା ସରକାରୀ ପଲିଟେକନିକ ଗୁଡ଼ିକରେ ୫୭୦ଟି ସିଟ୍‌ ହ୍ରାସ କରିଛନ୍ତି। ସେହିପରି ଚଳିତ ଥର ନାମଲେଖା ପାଇଁ ୪ଟି ନୂଆ ଘରୋଇ ସ୍କୁଲ ଆବେଦନ କରିଥିଲେ ମଧ୍ୟ ଏଆଇଟିସିଇ ‘ଏନ୍‌ଓସି’ ପ୍ରଦାନ କରି ନ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe