ବରଗଡ଼ରେ ଛାତ୍ରୀଙ୍କ ଆତ୍ମାହୁତି: ଗାଁ ପଡ଼ିଆରେ ଜଳିଗଲେ, ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍‌ସ

ବରଗଡ଼ ଜିଲ୍ଲା ଗାଇସିଲାଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗାଁରେ ସୋମବାର ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ୧୩ ବର୍ଷର ନାବାଳିକା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି।

sfssfxcxc

ବରଗଡ଼/ଗାଇସିଲାଟ: ବରଗଡ଼ ଜିଲ୍ଲା ଗାଇସିଲାଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗାଁରେ ସୋମବାର ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ୧୩ ବର୍ଷର ନାବାଳିକା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏକ ଫୁଟ୍‌ବଲ୍‌ ପଡ଼ିଆରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ବଡ଼ଡାକ୍ତରଖାନା ନିଆଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ତେବେ ସେ ଆତ୍ମଦାହ କରିବାକୁ ଯାଇ ଜଳିଗଲେ ନା ତାଙ୍କୁ ଜାଳି ଦିଆଗଲା ତା’ର କାରଣ ଏ ଏଯାଏଁ ଅସ୍ପଷ୍ଟ ରହିଛି। ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ବୁର୍ଲା ବଡ଼ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମାମଲାର ଛାନ୍‌ଭିନ୍ ପାଇଁ ୩ଟି ଥାନାର ଆଇଆଇସିଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି। ତଦନ୍ତ ପରେ କେଉଁ ପୃଷ୍ଠଭୂମିରେ ନାବାଳିକାଙ୍କ ମୃତ୍ୟୁ ହେଲା, ତାହା ଜଣାପଡ଼ିବ ବୋଲି ଶ୍ରୀ ଲାଲ କହିଛନ୍ତି। ସୂଚନାଯୋଗ୍ୟ, ବାଲେଶ୍ବର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ବରଗଡ଼ ପୀଡ଼ିତାଙ୍କୁ ମିଶାଇ ମାସକ ମଧ୍ୟରେ ୪ ଜଣଙ୍କର ନିଆଁରେ ପୋଡ଼ି ହୋଇ ଜୀବନ ଗଲାଣି।

ଗାଁ ପଡ଼ିଆରେ ଜଳିଗଲେ
ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍‌ସ 
ତଦନ୍ତ କରୁଛି ପୁଲିସ, ୨ ଅଟକ
ମାସକ ମଧ୍ୟରେ ଜଳିଗଲେଣି ୪

ସୋମବାର ସକାଳ ପ୍ରାୟ ୭ଟାରୁ ସାଢ଼େ ୭ଟା ମଧ୍ୟ‌ରେ ଫିରିଙ୍ଗିମାଲ ଗାଁ ଫୁଟ୍‌ବଲ୍‌ ପଡ଼ିଆରେ ନାବାଳିକାଜଣକ ହୁତୁହୁତୁ ଅବସ୍ଥାରେ ଜଳୁଥିଲେ। ପାଖରେ ମାମୁଘର ରହିଥିବା ବେଳେ ପରିବାରରୁ ତାଙ୍କ ମା’, ଭାଇ, ମାମୁ ଓ ଗାଁର ଜଣେ ବ୍ୟକ୍ତି ଆସି ଗଛଡାଳ ସାହାଯ୍ୟରେ ନିଆଁ ଲିଭାଇଥିଲେ। ନାବାଳିକାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଗାଁ ଲୋକଙ୍କର ସେଠାରେ ଭିଡ଼ ଜମିଥିଲା। ଆମ୍ବୁଲାନ୍ସକୁ ଗାଁ ଲୋକ ବାରମ୍ବାର ଫୋନ କରିଥିଲେ। ପ୍ରାୟ ସାଢ଼େ ୮ଟା ସମୟରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ନାବାଳିକାଙ୍କୁ ସେଠାରୁ ସିଧା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ପୋଡ଼ାଜଳା ଚିକିତ୍ସା ସୁବିଧା (ବର୍ଣ୍ଣ ୟୁନିଟ୍‌) ନ ଥିବାରୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ନାବାଳିକାଙ୍କ ଆପାଦମସ୍ତକ ପୋଡ଼ି ଯାଇଥିବା ଏବଂ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଏକ ଡାକ୍ତରୀ ଦଳ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଥିଲେ। କିନ୍ତୁ, ଚିକିତ୍ସା ଆରମ୍ଭ ହେଉ ହେଉ ନାବାଳିକାଜଣକ ଆଖି ବୁଜି ଦେଇଥିଲେ। ତେବେ ଗୁରୁତର ଅବସ୍ଥାରେ ଉଦ୍ଧାର ସମୟରେ ସେ ଶେଷ କେତୋଟି ପଦ କଥା କହିଥିଲେ, ଯାହା ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଗାଁ ଲୋକ ପଚାରିବାରୁ ସେ ନିଜ ନାମ କହିବା ସହ ସାପଲହର ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି ବୋଲି ଖନି ପାଟିରେ କହିଥିଲେ। କାରଣ ପଚାରିବାରୁ ଜଣେ ଝିଅ ତାଙ୍କୁ ଇଆଡୁ ସିଆଡୁ କହିଥିବା ସେ ପ୍ରକାଶ କରିଥିଲେ।

ନାବାଳିକାଙ୍କ ଘର ପଦ୍ମପୁର ନିକଟ ତେଣ୍ଡାପଦର ଗାଁରେ। କିନ୍ତୁ ତାଙ୍କ ମା’ ଓ ଭାଇ ସହ ସେ ମାମୁଘର ଗ୍ରାମ ଫିରିଙ୍ଗିମାଲରେ ବହୁ ବର୍ଷ ହେଲା ରହୁଥିଲେ। ସେହି ଗାଁ ସ୍କୁଲରେ ସପ୍ତମ ଶ୍ରେଣୀ ଯାଏଁ ପଢ଼ିଥିବା ବେଳେ ଏଥର ପଦ୍ମପୁର ନିକଟ ସାପଲହର ଗାଁରେ ଥିବା ଗାନ୍ଧୀ ସେବାଶ୍ରମ ସ୍ମାରକୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲେ। ଏପ୍ରିଲ ୧୬ ତାରିଖରେ ନାମ ଲେଖାଇଥିବା ବେଳେ ସେବାଶ୍ରମରେ ୨୦ ଦିନ ରହିଥିଲେ। ତା’ପରେ ଖରାଛୁଟି ହୋଇଥିଲା। ଖରାଛୁଟି ପରେ ଜୁଲାଇ ୪ ତାରିଖ ସେ ସ୍କୁଲକୁ ଯାଇଥିଲେ। କିନ୍ତୁ ଅସୁସ୍ଥ ଅନୁଭବ କରିବାରୁ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇ ସେ ଫିରିଙ୍ଗିମାଲ ଘରକୁ ଯାଇଥିଲେ। ଆଉ ଦୁଇ ଦିନ ପରେ ସେ ସେବାଶ୍ରମ ସ୍କୁଲକୁ ଯିବାର ଥିଲା। ନାବାଳିକାଙ୍କ ପରିବାର ଅତ୍ୟନ୍ତ ଗରିବ। ତାଙ୍କ ବାପା ତାମିଲନାଡୁରେ ଦାଦନ ଖଟୁଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ବରଗଡ଼ ଏସ୍‌ପି ଦାୟିତ୍ୱରେ ଥିବା ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ପୁଲିସ ପେଟ୍ରୋଲ ବୋତଲ, ଦିଆସିଲି, ଚପଲ ଜବତ କରିଛି। ପୀଡିତାଙ୍କ ଶେଷ ବୟାନର ଭିଡିଓ ମଧ୍ୟ ସଂଗ୍ରହ କରିଛି। ଏହାସହ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପରିବାରବର୍ଗଙ୍କ ବୟାନ ରେକର୍ଡ କରିଛି। ଏସବୁ ଭିତରେ ପୁଲିସ ଜଣେ ତେଜରାତି ଦୋକାନୀ ଏବଂ ନାବାଳିକାଙ୍କର ଜଣେ ସଂପର୍କୀୟ ଅଜାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe