ଛାତ୍ର ମୃତ୍ୟୁ ମାମଲାରେ ତଦନ୍ତ ବାଟବଣା ଅଭିଯୋଗ, ‘ଆଣ୍ଠୁଏ ପାଣିରେ ମୋ ପୁଅ ବୁଡ଼ି ମଲା କେମିତି’  

ଛାତ୍ର ମୃତ୍ୟୁ ମାମଲାରେ ତଦନ୍ତ ବାଟବଣା ଅଭିଯୋଗ, ‘ଆଣ୍ଠୁଏ ପାଣିରେ ମୋ ପୁଅ ବୁଡ଼ି ମଲା କେମିତି’  

ସୁନ୍ଦରଗଡ଼: ‘ଆଣ୍ଠୁଏ ପାଣିରେ ମୋ ପୁଅ ବୁଡ଼ି ମଲା କେମିତି। ପାଣିରେ ବୁଡ଼ିଗଲେ ମୁହଁ ଖଣ୍ଡିଆ ହୁଏ କି, ମୁହଁରୁ ଫେଣ ବାହାରେ କି’। ଏହି ପ୍ରଶ୍ନ ସବୁ ଉଠାଇ ସୁନ୍ଦରଗଡ଼ କଳାୟତନ ଶିକ୍ଷାନୁଷ୍ଠାନ ଛାତ୍ର କରନ ପଟ୍ଟନାୟକ (୧୮)ଙ୍କ ପାଣିରେ ବୁଡ଼ି ମୃତ୍ୟୁ ଖବରକୁ ତାଙ୍କ ମା’ ଜାନକୀ ପଟ୍ଟନାୟକ ଅସ୍ବୀକାର କରିଛନ୍ତି। ଏହା ଅପମୃତ୍ୟୁ ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି।

ରେଙ୍ଗାଲି ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ମଧ୍ୟ ଦିନ ଗଡ଼ାଇ ତଦନ୍ତକୁ ବାଟବଣା କରୁଥିବା ସେ ପ୍ରକାଶ କରି ନ୍ୟାୟ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଗତ ୨୦୨୧ ନଭେମ୍ବର ୧୪ରେ କଳାୟତନ ଶିକ୍ଷାନୁଷ୍ଠାନ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା କୋଇଲି ଘୋଘର ବଣଭୋଜି ଯାଇଥିବା ବେଳେ କରନ ପାଣିରେ ବୁଡ଼ି ପ୍ରାଣ ହରାଇଥିବା କୁହାଯାଇଥିଲା। ତେବେ ପାରିପାର୍ଶ୍ବିକସ୍ଥିତି ଅନେକ ସନ୍ଦେହ ସୃଷ୍ଟି କରିଥିବା ମା’ ଜାନକୀ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

କରନ କଲେଜ ପିଲାଙ୍କ ସହ ବଣଭୋଜିକୁ ଯାଇଥିଲେ। ଅପରାହ୍ନ ସାଢ଼େ ୪ଟାରେ ପ୍ରତିଷ୍ଠାନର ଅଧ୍ୟକ୍ଷ ଶୀତଳ ମହାପାତ୍ର ଫୋନ୍ କରି କରନ ପାଣିରେ ବୁଡ଼ି ଯାଇଥିଲା, ତାକୁ ଉଦ୍ଧାର କରି ବେଲପାହାଡ଼ସ୍ଥିତ ଟିଆରଏଲ କମ୍ପାନିର ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି ବୋଲି ସୂଚନା ଦେଇଥିଲେ। ପରିବାର ଲୋକେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପୁଅ ମୃତ ଅବସ୍ଥାରେ ସେଠାରେ ଥିବା ଦେଖିବାକୁ ପାଇଥିଲେ। ତେବେ ମୃତ ଦେହ ନିକଟରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କି କୌଣସି ବ୍ୟକ୍ତି ନଥିଲେ। ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁଁ ସେ ସମୟରେ ୟଲୋ ୱାର୍ଣ୍ଣି ଜାରି କରାଯାଇଥିଲା ଓ ଘଟଣାର ୨ ଦିନ ପୂର୍ବରୁ ସୁନ୍ଦରଗଡ଼ ସହର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପ୍ରବଳ ବର୍ଷା ହୋଇଥିଲା। ଏହା ସତ୍ତ୍ବେ ସେମାନେ ବଣଭୋଜି ସ୍ଥଗିତ କଲେ ନାହିଁ କାହିଁକି। ଖୋଦ୍ ଅଧ୍ୟକ୍ଷ ବର୍ଷା ଯୋଗୁଁ ବଣଭୋଜିକୁ ନଯାଇ ପିଲାଙ୍କୁ ପଠାଇବା ଅବହେଳାର ନମୁନା ନୁହେଁ କି ? କରଣ ପହଁରା ଜାଣି ନଥିବାରୁ ପାଣି ପାଖକୁ ଯାଇ ନଥିବ, ତାର ଡାହାଣ କାନ ଉପରକୁ ଆଘାତ ଲାଗିଥିବା ଓ ନାକରୁ ରକ୍ତସ୍ରାବ, ପାଟିରୁ ଫେଣ ବାହାରିଥିବା ଦେଖିବାକୁ ପାଇଥିବା ଜାନକୀ ପ୍ରକାଶ କରିବା ସହ ପୁଅକୂ ହତ୍ୟା କରି ଆକସ୍ମିକ ଦୁର୍ଘଟଣାର ରୂପ ଦିଆଯାଉଥିବା ଅଭିଯୋଗ କରିଥିଲେ। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବାକୁ ସେ ଦାବି କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe