ନେଟୱର୍କ ପାଇଁ ପାହାଡ଼ ଚଢ଼ିଥିଲେ ଛାତ୍ର, ଖସି ପଡ଼ି ଗୋଡ଼ ଭାଙ୍ଗିଲା ପରେ ଡାକ୍ତରଖାନାରେ ଭର୍ତ୍ତି

କ୍ଷତାକ୍ତ ଅବସ୍ଥାରେ ପାହାଡ଼ ତଳେ ପଡ଼ି ରହିଲେ, ଅଧରାତିରେ ଉଦ୍ଧାର କଲେ ପରିବାର ଲୋକ

ଡା.ସନ୍ତୋଷ ମିଶ୍ର ଏମ୍‌କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ

Medical Dialogues

ରାୟଗଡ଼ା: ନେଟୱର୍କ ପାଇଁ ପାହାଡ଼ ଚଢ଼ିବା  ଛାତ୍ରଙ୍କ ପାଇଁ କାଳ ହୋଇଛି। ଅସାବଧାନତା ଯୋଗୁ ପାହାଡ଼ ଉପରୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି ଈଶ୍ବର ଗାଣ୍ଟା। ଈଶ୍ବରଙ୍କ ଗୋଟିଏ ଗୋଡରେ ଗଭୀର ଆଘାତ ଲାଗିଛି। ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ପରିବାର ଲୋକ ବିଷମକଟକ ମେଡ଼ିକାଲକୁ ଆଣିଥିଲେ। କିନ୍ତୁ ବିଷମକଟକ ମେଡ଼ିକାଲ୍ କର୍ତ୍ତୃପକ୍ଷ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

ଚନ୍ଦ୍ରପୁର ବ୍ଲକ୍ ପ୍ରିସ୍କାପଙ୍ଗା ପଞ୍ଚାୟତ ଜୁବା ଗ୍ରାମର ଛାତ୍ର ଈଶ୍ବର ଗାଣ୍ଟା। ଚଳିତ ବର୍ଷ ମାଟ୍ରିକ୍ ପାସ୍ କରିବା ପରେ ଯୁକ୍ତ ଦୁଇ ପଢ଼ିବା ପାଇଁ ମୁନିଗୁଡ଼ା କଲେଜରେ ଆବେଦନ କରିଛନ୍ତି। କିନ୍ତୁ ଗାଁରେ ମୋବାଇଲ୍ ନେଟୱର୍କ ନଥିବାରୁ ନାମ ଲେଖା ନେଇ କୌଣସି ସୂଚନା କଲେଜ ପକ୍ଷରୁ ପାଇପାରୁନଥିଲେ ଈଶ୍ବର। ଗାଁ ନିକଟସ୍ଥ ପାହାଡ଼ ଉପରକୁ ନେଟୱର୍କ ଆସୁଥିବାରୁ ସୋମବାର ଅପରାହଣରେ ନାମ‌ଲେଖା ସଂପର୍କିତ ସୂଚନା ଜାଣିବା ପାଇଁ ମୋବାଇଲ୍ ଧରି ପାହାଡ଼ ଉପରକୁ ଚଢ଼ିଥିଲେ ଈଶ୍ବର। ହେଲେ ଅସାବଧାନତାବଶତଃ ଗୋଡ଼ ଖସିଯିବା ଯୋଗୁ ଆହତ ହୋଇଥିଲେ ଈଶ୍ବର। ଗଭୀର ଆଘାତ ଯୋଗୁ ଗୋଟିଏ ଗୋଡ଼ ଭାଙ୍ଗି ଯିବା କାରଣରୁ ଆଉ ଉଠିପାରିନଥିଲେ। ପାହାଡ଼ ତଳେ ହିଁ ପଡି ରହି ଅଧ ରାତି ପର୍ଯ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏପଟେ ସଂଧ୍ୟା ସୁଦ୍ଧା ଈଶ୍ବର ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ମିଳିବା ପରେ ପରିବାର ଲୋକ ପାହାଡ଼ ନିକଟକୁ ଯିବା ପରେ ଈଶ୍ବରଙ୍କ ଡାକ ଶୁଣି ଉଦ୍ଧାର କରି ରାତି ୧୨ଟାରେ ମେଡ଼ିକାଲକୁ ଆଣିଥିଲେ। ଗୁରୁତର ଅବସ୍ଥାରେ ଚନ୍ଦ୍ରପୁର ମେଡ଼ିକାଲରେ ଚିକିତ୍ସା ପରେ ବିଷମକଟକ ଖୀଷ୍ଟ୍ରିଆନ୍ ହସପିଟାଲକୁ ଈଶ୍ବରଙ୍କୁ ଅଣାଯାଇଥିଲା। ଆଜି ସକ‌ାଳେ ଏକ୍ସରେ କରାଯିବା ପରେ ଅସ୍ତ୍ରୋପଚାର ଏଠାରେ ସମ୍ଭବ ନଥିବା ଦର୍ଶାଇ ମେଡ଼ିକାଲ୍ କର୍ତ୍ତୃପକ୍ଷ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

ସୂଚନାଯୋଗ୍ୟ, ଦୁର୍ଗମ ଚନ୍ଦ୍ରପୁର ବ୍ଲକର ୮ ପଞ୍ଚାୟତରୁ ୪ ପଞ୍ଚାୟତକୁ ଆଜି ସୁଦ୍ଧା ମୋବାଇଲ୍ ନେଟୱର୍କ ପହଞ୍ଚି ପାରିନି। ଯେଉଁଥି ପାଇଁ ଶିକ୍ଷା-ସ୍ବାସ୍ଥ୍ୟ ସହ ସରକାରଙ୍କ ସମସ୍ତ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି ହଜାର ହଜାର ଲୋକ। ବହୁ ଦାବି ପରେ ମଧ୍ୟ ମୋବାଇଲ୍ ଟାୱାର୍ ପ୍ରତିଷ୍ଠା ଦିଗରେ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଗର୍ଭବତୀ ମହିଳାଙ୍କଠୁ ଆରମ୍ଭ କରି ସାଧାରଣ ଜନତା ଜରୁରି ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe