ଶ୍ରେଣୀ କକ୍ଷରେ ଛାତ୍ରୀଙ୍କୁ ତାଲା: ରାତିସାରା ଝରକା ରେଲିଂରେ ଚାପି ହୋଇରହିଲା କୁନିଝିଅ

ସ୍କୁଲ ଛୁଟି ହେବା ପରେ ‌ଶ୍ରେଣୀଗୃହରେ ତାଲା ପକାଇ ଘରକୁ ପଳାଇଲେ ଶିକ୍ଷକ। ଭିତରେ ରହିଗଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ। ଅନ୍ଧାର ରାତିରେ ଶ୍ରେଣୀଗୃହରେ ରାତି କାଟିଛି କୁନିଝିଅ। ଜୀବନ ବିକଳରେ ଝରକା ଭାଙ୍ଗି ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଛି।

New Project (36)

Photograph: (Sambad.in)

କେନ୍ଦୁଝର: ସ୍କୁଲ ଛୁଟି ହେବା ପରେ ‌ଶ୍ରେଣୀଗୃହରେ ତାଲା ପକାଇ ଘରକୁ ପଳାଇଲେ ଶିକ୍ଷକ। ଭିତରେ ରହିଗଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ। ଅନ୍ଧାର ରାତିରେ ଶ୍ରେଣୀଗୃହରେ ରାତି କାଟିଛି କୁନିଝିଅ। ଜୀବନ ବିକଳରେ ଝରକା ଭାଙ୍ଗି ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଛି। ହେଲେ ଦୁର୍ଯ୍ୟୋଗକୁ ଝରକା ରେଲିଂରେ ଚାପି ହୋଇ ଆହତ ହୋଇଛି। ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଆମ୍ବଡ଼ହରା ଗ୍ରାମରେ। ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଏ ପ୍ରକାର ଚରମ ଦାୟିତ୍ବହୀନତା ସମସ୍ତଙ୍କୁ ଚକିତ କରିଛି। ଆଜି ସକାଳେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ରାତିସାରା ଝରକା ରେଲିଂରେ ଚାପି ହୋଇରହିଲା କୁନିଝିଅ 
ଡାକ୍ତରଖାନାରେ ଭର୍ତ୍ତି, ପ୍ରଧାନଶିକ୍ଷକ ନିଲମ୍ବିତ

ଏହି ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରହରି ମହାନ୍ତଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ଅଞ୍ଜର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଆମ୍ବଡ଼ହରା ଗ୍ରାମର ଏହି ନାବାଳିକା ଦ୍ବିତୀୟ ଶ୍ରେଣୀରେ ପଢ଼ୁଛନ୍ତି। ଗତକାଲି ସ୍କୁଲ ଛୁଟି ହେବା ପରେ ସେ ଶ୍ରେଣୀଗୃହରେ ରହିଯାଇଥିଲେ। ଶିକ୍ଷକମାନେ ଭଲ ଭାବେ ଯାଞ୍ଚ ନ କରି ବାହାର ପଟୁ ତାଲା ପକାଇ ପଳାଇଥିଲେ। ସେପଟେ ଛାତ୍ରୀଙ୍କୁ ନ ପାଇ ପରିବାର ଲୋକେ ରାତିସାରା ଖୋଜାଖୋଜି କରି ନିରାଶ ହୋଇଥିଲେ। ଛାତ୍ରୀଜଣକ ଝରକା ଭାଙ୍ଗି ବାହାରିବାକୁ ଉଦ୍ୟମ କଲା ବେଳେ ତାଙ୍କ ମୁଣ୍ଡ ରେଲିଂରେ ଲାଖିଯାଇଥିଲା। ଯେତେ ଚେଷ୍ଟା କରିଥିଲେ ବି ଆଉ ମୁଣ୍ଡ ବାହାରି ନଥିଲା। ସେହିଭଳି ଅବସ୍ଥାରେ ସେ ରାତିତମାମ ରହିଥିଲେ। ଆଜି ସକାଳେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଗୌରହରି ମହାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି, ଛାତ୍ରୀଜଣକ ଗତକାଲି ଶ୍ରେଣୀଗୃହରେ ଶୋଇ ପଡ଼ିଥିଲେ। ଶିକ୍ଷକ ଶ୍ରେଣୀଗୃହ ଯାଞ୍ଚ ନ କରି ତାଲା ପକାଇ ଦେଇଥିଲେ। ତେବେ ଆଜି ଛାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଛି ଏବଂ ସେ ସୁସ୍ଥ ଅଛନ୍ତି। ଅନ୍ୟପକ୍ଷରେ ବାଂଶପାଳ ବିଆର୍‌ସି ନିରଞ୍ଜନ ନାୟକ ଘଟଣାର ତଦନ୍ତ କରି ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe