ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଆତ୍ମସାତ୍

ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଆତ୍ମସାତ୍

ଦଶପଲ୍ଲା : ମହାମାରୀ କରୋନା ପାଇଁ ବନ୍ଦ ରହିଛି ବିଦ୍ୟାଳୟ। ଠପ୍ ହୋଇପଡ଼ିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା। ମହାମାରୀ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ସରକାରୀ ସୁବିଧା ସୁଯୋଗ ପାଇବାରୁ ଯେଭଳି ଛାତ୍ରଛାତ୍ରୀ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳ, ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଟଙ୍କା, ପାଠ୍ୟ ପୁସ୍ତକ ଏବଂ ପୋଷାକପତ୍ର ପ୍ରଭୃତି ଯୋଗାଇ ଦିଆଯାଉଛି। ୨ ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି। ହେଲେ ଏହା ମଧ୍ୟରେ ଦେଖିବାକୁ ଗଲେ ମଧ୍ୟାହ୍ନ ଭୋଜନ କେଳେଙ୍କାରୀ ଏବେ ଚରମ ସୀମାରେ ପହଞ୍ଚିଲାଣି।

ନିୟମ ଅନୁଯାୟୀ, ପ୍ରଥମରୁ ୫ମ ଶ୍ରେଣୀର ପିଲାଙ୍କୁ ଜଣପିଛା ଶହେ ଗ୍ରାମ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଜଣପିଛା ୧୫୦ ଗ୍ରାମ ଚାଉଳ ବାଣ୍ଟିବାର ନିୟମ ରହିଛି। ଛାତ୍ରଛାତ୍ରୀଙ୍କୁ ଗତ ୭୩ ଦିନର ଚାଉଳ ବଣ୍ଟନ ପ୍ରକ୍ରିୟା ଚାଲିଥିବା ବେଳେ ଅନେକ ବିଦ୍ୟାଳୟରେ ଏଯାଏଁ ଛାତ୍ରଛାତ୍ରୀଙ୍କୁ ଚାଉଳ ବଣ୍ଟନ କରାଯାଇନାହିଁ। ହେଲେ କିଛି ଶିକ୍ଷକ ଏବଂ ଡିଲର୍‌ଙ୍କ ମଧ୍ୟରେ ଭିତିରି ବୁଝାମଣା ପାଇଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅନୁଯାୟୀ ବିଦ୍ୟାଳୟରେ ଚାଉଳ ପହଞ୍ଚୁନାହିଁ। ଅନେକ ଚାଉଳ ବସ୍ତାର ଓଜନରେ ତାଳମେଳ ମଧ୍ୟ ରହୁନାହିଁ। ଚାଉଳ ଓଜନ କରାଯାଇ ଛାତ୍ରାଛାତ୍ରୀଙ୍କୁ ପ୍ରଦାନ କରାଯିବା ପରିବର୍ତ୍ତେ ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପେଟକୁ ଲାତ ମରାଯାଇ ଡବା ମାପରେ ପୋକରା ଚାଉଳ ବଣ୍ଟନ କରାଯାଉଛି। ଯାହାକି ଗତ ମାସରେ ଚଡ଼େୟାପଲ୍ଲୀ ପଞ୍ଚାୟତସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଛାଠାରେ ନିମ୍ନମାନର ପୋକରା ଚାଉଳ ବଣ୍ଟନକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଘଟଣାକୁ ଜାଣିଶୁଣି ବିଭାଗୀୟ ଅଧିକାରୀ ଚାପି ରଖିଥିବା ଅଭିଯୋଗ ହେଉଛି।

ଏପଟେ ଆଦିବାସୀ ବହୁଳ ଚଡ଼େୟାପଲ୍ଲୀ ପଞ୍ଚାୟତ ସମେତ କଳସାଖମଣ, ନୂଆଗାଁ, ବାଣିଗୋଛା, କୁଜାମେଣ୍ଢି ଏବଂ କୁଲୁରୁକୁମ୍ପା ପ୍ରଭୃତି ପଞ୍ଚାୟରେ ଏହି କେଳେଙ୍କାରୀ ସୀମା ଟପିଥିବା ଅଭିଯୋଗ ହେଉଛି। ନିୟମ ଅନୁଯାୟୀ, ମଧ୍ୟାହ୍ନ ଭୋଜନ ଚାଉଳ ରଖାଯିବା ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତି ନିହାତି ଆବଶ୍ୟକ ରହିଥିବା ବେଳେ ଅନେକ ବିଦ୍ୟାଳୟରେ ଏହି କମିଟିକୁ ଉପେକ୍ଷା କରାଯାଉଛି। ସେହିଭଳି ବିଭାଗୀୟ ଅଧିକାରୀମାନେ ଏହା ଉପରେ ଗୁରୁତ୍ବ ଦେଉନଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରେ ଏବେ ବଡ଼ କେଳେଙ୍କାରୀ ଚାଲିଥିବା ଅଭିଯୋଗ ହେଉଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ବିଶେଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe