ଛାତ୍ରୀଙ୍କୁ ଅସଦାଚରଣ, ବ୍ୟାସନଗର ମହାବିଦ୍ୟାଳୟରେ ଉତ୍ତେଜନା

Advertisment
ଛାତ୍ରୀଙ୍କୁ ଅସଦାଚରଣ, ବ୍ୟାସନଗର ମହାବିଦ୍ୟାଳୟରେ ଉତ୍ତେଜନା

ବ୍ୟାସନଗର: ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ପ୍ରଥମ ବର୍ଷର ଜନୈକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ମାନସିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କିଛି ସମୟ ପାଇଁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଅଧ୍ୟକ୍ଷ ଡ. କୁଶ ଚନ୍ଦ୍ର ପ୍ରଧାନ ଯାଜପୁର ରୋଡ୍‌ ଥାନାକୁ ଜଣାଇଥିଲେ। ଖବରପାଇ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।

ମିଳିଥିବା ସୂଚନା ଅନୁସାରେ ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଜନୈକ ଅଧ୍ୟାପକ ଯୁକ୍ତ ୩ କଳା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ତାଙ୍କୁ ପାଖକୁ ଡାକି ଅଡ୍ ଟଚ୍ ବା ଅଶ୍ଳୀଳ ସ୍ପର୍ଶ କରୁଥିବା ଛାତ୍ରୀଜଣକ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ଭୟରେ ସେ କାହାକୁ କିଛି କହୁ ନଥିଲେ। ସବୁ ସୀମା ଟପିବାରୁ ଆଜି ସାଙ୍ଗମାନଙ୍କୁ ଜଣାଇଥିଲେ। ଛାତ୍ରଛାତ୍ରୀମାନେ ଏ ବିଷୟରେ ଆଜି କଲେଜ ଅଧ୍ୟକ୍ଷ ଡ. ପ୍ରଧାନଙ୍କ ନିକଟରେ ଅଭିଯୋଗ କରି ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାର ତଦନ୍ତ କରାଯିବ ବୋଲି ଅଧ୍ୟକ୍ଷ କହିଥିଲେ ମଧ୍ୟ ଉତ୍ତେଜନା ଥମି ନଥିଲା। ପରିସ୍ଥିତି ବିଗିଡ଼ିବାରୁ ସେ ଯାଜପୁରରୋଡ୍‌ ଥାନାକୁ ଜଣାଇଥିଲେ। କଲେଜ ପରିଚାଳନା କମିଟିକୁ ମଧ୍ୟ ଅବଗତ କରିଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି। ଅପରପକ୍ଷେ ସଂପୃକ୍ତ ଅଧ୍ୟାପକ ଏହି ଅଭିଯୋଗକୁ ଅସ୍ବୀକାର କରି କହିଛନ୍ତି ଯେ ଛାତ୍ରଛାତ୍ରୀ ତାଙ୍କ ଉପରେ ରାଗ ରଖି ଏପରି କରୁଛନ୍ତି।

ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ ସେ ଅଧ୍ୟକ୍ଷଙ୍କଠାରୁ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପିଲାମାନଙ୍କୁ ବୁଝାସୁଝା କରିଛନ୍ତି। ସଂପୃକ୍ତ ଛାତ୍ରୀଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe