ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସଞ୍ଜିତ କୁମାର ନାହାକ ଫର୍ମ ପୂରଣରୁ ବଞ୍ଚିତ ହୋଇ ପରୀକ୍ଷା ଦେଇ ପାରି ନ ଥିବା ଜଣାଡ଼ିଛି ।
ସୂଚନାରୁ ପ୍ରକାଶ ଯେ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ରାଜା ନାହାକଙ୍କ ପୁଅ ସଞ୍ଜିତ କୁମାର ନାହାକ ଚଳିତ ବର୍ଷ ଦଶମ ଶ୍ରେଣୀରେ ଗେଡ଼ିଆପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଫର୍ମ ପୂରଣ ସମୟରେ ସେ ୫ ଶହ ଟଙ୍କା ଦେଇ ନିଜର ଦସ୍ତଖତ କରି ଆସିଥିଲେ । ଛାତ୍ର ଜଣକ ଆଡ୍ମିଟ୍ କାର୍ଡ ଆଣିବା ପାଇଁ ୧୫୦ ଟଙ୍କା ଧରି ଗଲା ବେଳକୁ ଫର୍ମ ପୂରଣ ହୋଇ ନଥିବା ଜାଣିବାକୁ ପାଇଥିଲେ। ଏହି ସମ୍ପର୍କରେ ଛାତ୍ରର ଅଭିଭାବକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଆଧାର କାର୍ଡ ଓ ଜାତିଗତ ପ୍ରମାଣପତ୍ରରେ ସଞ୍ଜୟ ନାୟକ ହୋଇଅଛି। ତାକୁ ସଂଶୋଧନ କରି ଆଣିଲେ ଫର୍ମ ପୂରଣ ହୋଇ ପାରିଥାନ୍ତା ବୋଲି କହିଥିଲେ। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନଙ୍କ ସମେତ କର୍ମଚାରୀମାନେ ସେଠାରେ ଅଭିଭାବକକୁ କୈଣସି ପ୍ରକାରେ ବୁଝାସୁଝା କରିବା ସହ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ କହି ଘରକୁ ପଠାଇ ଦେଇଥିଲେ। ପରୀକ୍ଷାରେ ବ୍ୟବହୃତ କାଗଜପତ୍ର ସଂଶୋଧନ ସମୟ ସରି ଯାଇଥିବାରୁ ସପ୍ଲିମେଣ୍ଟାରି ପରୀକ୍ଷା ଦେବ ବୋଲି ବୁଝାଇ ଛାଡ଼ି ଦେଇଥିଲେ ।
ଅନ୍ୟ ଛାତ୍ରମାନେ ପରୀକ୍ଷା ଦେଉଥିବା ବେଳେ ସଞ୍ଜୟ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ କହିଥିଲେ ଯେ ସେ ଏ ସମ୍ପର୍କରେ ଆଗରୁ ସେ ଅବଗତ ନଥିଲେ। ଛାତ୍ର ଜଣକ ଆଡ୍ମିଟ୍ କାର୍ଡ ନେବାକୁ ଆସିଥିବା ଦିନ ଜାଣିବାକୁ ପାଇଥିଲେ । ତେବେ ଆଧାର୍ କାର୍ଡ ଓ ଜାତିଗତ ପ୍ରମାଣପତ୍ରରେ ନାମଟି ଭୁଲ ଥିବାରୁ ତାଙ୍କୁ ଆମେ ଏ ସମ୍ପର୍କରେ ବହୁ ଆଗରୁ ସୂଚନା ଦେଇଥିଲୁ । କିନ୍ତୁ ଛାତ୍ରଙ୍କ ପରିବାର ପକ୍ଷରୁ କେହି ଆସି ନଥିଲେ ବୋଲି କହି ନିଜ ଉପରୁ ଦୋଷ ଖସାଇବାକୁ ଉଦ୍ୟମ ଚଳାଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
Follow Us