ଛାତ୍ର ସଂସଦ ନିର୍ବାଚନ: ଆରବର୍ଷକୁ ରହିଲା

Advertisment

ମନ୍ତ୍ରୀମାନଙ୍କ କଥାରେ ତାଳମେଳ ରହୁନି କହି ଘେରିଲେ ବିରୋଧୀ

ମନ୍ତ୍ରୀମାନଙ୍କ କଥାରେ ତାଳମେଳ ରହୁନି କହି ଘେରିଲେ ବିରୋଧୀ

ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। ନୂଆ ସରକାର ଆସିବା ପରେ ଏପର୍ଯ୍ୟନ୍ତ ନିର୍ବାଚନ ବିଷୟରେ ଆଲୋଚନା କରିବାକୁ ସମୟ ମିଳି ନାହିଁ। ଚଳିତବର୍ଷ ନିର୍ବାଚନ ସମ୍ପର୍କରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ପ୍ରସ୍ତୁତି କରାଯିବ ଏବଂ ଆସନ୍ତାବର୍ଷ ନିର୍ବାଚନ କରାଯିବା ନେଇ ନିଷ୍ପତ୍ତି ହୋଇସାରିଥିବା କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରବିବାର ଯାଜପୁର ଜିଲ୍ଲାର ଏକ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ମତ ରଖିଥିଲେ। ନିର୍ବାଚନ ଉପରେ ଆଲୋଚନା ଚାଲିଥିବା ଏକାଧିକ ଥର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ଏପରିକି ପୂର୍ବ ସରକାର କୋଭିଡ୍ ଆଳରେ ନିର୍ବାଚନକୁ ବନ୍ଦ କରିଥିବା ଅଭିଯୋଗ ଆଣିଥିଲେ। ହେଲେ ଆଇନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ କୌଣସି ମତ ରଖିନାହାନ୍ତି। ‘ସମ୍ବାଦ’ ପକ୍ଷରୁ ତାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ, ସେ କୌଣସି ଉତ୍ତର ଦେଇ ନାହାନ୍ତି।

ଅନ୍ୟପକ୍ଷରେ ଏହାକୁ ଆଳ କରି ବିରୋଧୀ ରାଜନୈତିକ ଦଳ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। କେଉଁ ବିଭାଗ ଦାୟିତ୍ବରେ କେଉଁ ମନ୍ତ୍ରୀ ଏବଂ ନିଷ୍ପତ୍ତି କିଏ ଘୋଷଣା କରିବେ ତାହା ଆଜି ପର୍ଯ୍ୟନ୍ତ ମନ୍ତ୍ରୀମାନେ ଜାଣିପାରୁ ନ ଥିବା ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ଯେଉଁ ମନ୍ତ୍ରୀଙ୍କର ଦାୟିତ୍ୱ ନୁହେଁ, ସେ ଆସି ଟିପ୍ପଣୀ ଦେବା ହାସ୍ୟାସ୍ପଦ। ପୂର୍ବରୁ ରାଜ୍ୟରେ ମଦ ବନ୍ଦ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହି ଲୋକହସା ହୋଇଥିଲେ। କଲେଜ ନିର୍ବାଚନ ସମ୍ପର୍କରେ କହିବା ଦାୟିତ୍ବ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର। ସେ ଜଣେ ଯୁବ ମନ୍ତ୍ରୀ ହୋଇଥିବାରୁ ଆମେ ଭାବିଥିଲୁ ନିର୍ବାଚନ ବାବଦରେ ସେ ଘୋଷଣା କରିବେ। ହେଲେ ଆଇନ ମନ୍ତ୍ରୀ ଏଠାରେ ଘୋଷଣା କରୁଛନ୍ତି। ରଥଯାତ୍ରା ସୁପରିଚାଳନା ଦାୟିତ୍ବ ଆଇନ ମନ୍ତ୍ରୀଙ୍କର ଥିଲା। ସେ ତାହାକୁ ଠିକ୍‌ ଭାବେ ତୁଲାଇ ନ ପାରିବା ଦ୍ୱାରା ବଡ଼ ଠାକୁର ରଥ ଉପରେ ହାମୁଡ଼ି ପଡ଼ିଲେ।

ସେହିପରି ଉଚ୍ଚଶିକ୍ଷା ବିଭାଗ ଉପରେ ମନ୍ତ୍ରୀଙ୍କ କର୍ତ୍ତୃତ୍ବ ନ ଥିବା ବିଜୁ ଛାତ୍ର ଜନତା ଦଳ ଅଭିଯୋଗ ଆଣିଛି। ସଙ୍ଗଠନ ସଭାପତି ‌ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ପରିସ୍ଥିତିକୁ ନ ବୁଝି ବର୍ତ୍ତମାନର ସରକାର ତରବରିଆ ନିଷ୍ପତ୍ତି ନେଉଛନ୍ତି। ପୂର୍ବରୁ ନିର୍ବାଚନ କରିବାକୁ ଦାବି କରୁଥିବା ବିଜେପି ଏବେ ପରାଜୟ ଭୟରେ ନିର୍ବାଚନ ବନ୍ଦ କରୁଛି। ଏବେ ଯଦି ନିର୍ବାଚନ ହୁଏ ବିଜୁ ଛାତ୍ର ଜନତା ଦଳ ୯୦%ରୁ ଅଧିକ ଶିକ୍ଷାନୁଷ୍ଠାନରେ ବିଜୟୀ ହେବ। ଅକ୍ଟୋବର ମାସରେ ନିର୍ବାଚନ ହୋଇଥାଏ। ଆଇନ ମନ୍ତ୍ରୀ ସେପ୍ଟେମ୍ବରରେ ନିର୍ବାଚନ ହେବା କଥା କହିବା ଅଧିକ ହାସ୍ୟାସ୍ପଦ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବିଭିପି ୬ ବର୍ଷ ହେଲା ଆନ୍ଦୋଳନ କରିଛି। କୋର୍ଟକୁ ମଧ୍ୟ ଯାଇଛି। ସଙ୍ଗଠନ ଦୃଢ଼ ଆଶାବାଦୀ ରହିଛି ଯେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ରାଜ୍ୟ ସରକାର ନିର୍ବାଚନକୁ ତୁରନ୍ତ ସ୍ଥାନ ଦିଅନ୍ତୁ। ଯଦି ଏବେ ବି ନିର୍ବାଚନ ହୁଏ ଆମେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ରହିଛୁ। ନିର୍ବାଚନ ହେଲେ ଏବିଭିପି ବହୁ କ୍ୟାମ୍ପସରେ ବିଜୟ ହାସଲ କରିବ। ଶିକ୍ଷାବର୍ଷ କ୍ୟାଲେଣ୍ଡର ଆସିବା ପରେ ଏବିଭିପି ପରବର୍ତ୍ତୀ ପଦକ୍ଷେପ ନେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe