ଭଲ ଖବର: ଗାଁର ଗରିବ ପିଲାଙ୍କୁ କୋଠଘରେ ଏକାଠି କରି ପଢ଼ାଉଛନ୍ତି ଆଦିବାସୀ ଛାତ୍ରୀ ବର୍ଷା

Advertisment
ଭଲ ଖବର:  ଗାଁର ଗରିବ ପିଲାଙ୍କୁ କୋଠଘରେ ଏକାଠି କରି ପଢ଼ାଉଛନ୍ତି ଆଦିବାସୀ ଛାତ୍ରୀ ବର୍ଷା

ପାଳଲହଡ଼ା : ମହାମାରୀ କରୋନା ଯୋଗୁଁ ପାଖାପାଖି ୪ ମାସ ହେଲା ସ୍କୁଲ୍‌ ବନ୍ଦ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପାଳଲହଡ଼ା ବ୍ଲକ୍‌ରେ ଏହାର ସୁଫଳ ମିଳୁନାହିଁ। କାରଣ ଆଦିବାସୀ ବହୁଳ ଏହି ବ୍ଲକ୍‌ର ଅନେକ ଲୋକ ଗରିବ। ଆଣ୍ଡ୍ରଏଡ଼୍‌ ଫୋନ୍‌ କିଣିବା ପାଇଁ ସେମାନଙ୍କର ସମ୍ବଳ ନାହିଁ। ଅନେକ ସ୍ଥାନରେ ମୋବାଇଲ୍‌ ନେଟୱର୍କ ବି ଆସୁନାହିଁ। ପିଲାମାନଙ୍କ ପାଠପଢ଼ା ତେଣୁ ଠପ୍‌ ହୋଇଯାଇଛି କହିଲେ ଚଳେ। ଏ ପରିସ୍ଥିତିରେ ନିଜ ଗାଁ ପିଲାଙ୍କ ପାଠପଢ଼ା ଦାୟିତ୍ବ ଆଗ୍ରହରେ ନେଇଛନ୍ତି ଆଦିବାସୀ ସଂପ୍ରଦାୟର ଜଣେ କଲେଜ ପଢ଼ୁଆ ଛାତ୍ରୀ।

ଏହି ଛାତ୍ରୀଜଣକ ହେଉଛନ୍ତି ଶିଗଡ଼ ପଞ୍ଚାୟତ କରଡ଼ାପାଳ ଗାଁର ବର୍ଷା ନାଏକ। ବର୍ଷା ପାଳଲହଡ଼ା ମାଲ୍ୟଗିରି ମହାବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀ। ଏବେ କଲେଜ ବନ୍ଦ ଯୋଗୁଁ ସେ ଘରେ ବସି ରହିଥିଲେ। ଏଣେ ବିଦ୍ୟାଳୟ ବନ୍ଦ ଥିବାରୁ ଗାଁର ପିଲାମାନେ ପାଠ ନପଢ଼ି ବୁଲାଚଲାରେ ସମୟ କଟାଇ ଚାଲିଥିଲେ। କେବଳ ସେତିକି ନୁହେଁ, ପାଠମନସ୍କ ହୋଇ ଆସୁଥିବା ଏହି ଗାଁଗହଳିର ଅତି ଗରିବ ଘରର ପିଲାମାନେ କ୍ରମଶଃ ପାଠପଢାଠାରୁ ଦୂରେଇ ଯାଉଥିଲେ। ବର୍ଷାଙ୍କୁ ଏହା ବେଶ୍‌ ବ୍ୟଥିତ କରିଥିଲା। ସେମାନଙ୍କୁ ପାଠପଢା ସହ ବାନ୍ଧି ରଖିବା ଲାଗି ଶେଷରେ ବର୍ଷା ଅଣ୍ଟା ଭିଡ଼ିଲେ। ଘରକୁ ଘର ବୁଲି ପିଲାମାନଙ୍କୁ ଡାକି ଗାଁ କୋଠଘର ବାରଣ୍ଡାରେ ବସାଇଲେ। କାହାଣୀ କହି ସେମାନଙ୍କ ମନ ଜିଣିବାକୁ ଉଦ୍ୟମ କଲେ। ଡୁ-ଡୁ, ବହୂଚୋରି ଖେଳ ଖେଳାଇଲେ, ନିଜେ ବି ସେମାନଙ୍କୁ ଧରି ଖେଳିଲେ। ସଂପର୍କ ନିବିଡ଼ ହେଲା ପରେ ବର୍ଷା ସେମାନଙ୍କୁ ପାଠପଢା ଆଡ଼କୁ ମୁହାଁଇନେଲେ। ଏବେ ରୀତିମତ ଦୁଇଓଳି ପାଠ ପଢ଼ାଉଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗାଁର ୨୭ ଜଣ ଛାତ୍ରଛାତ୍ରୀଙ୍କୁ ସକାଳ ୬ରୁ ୮ଟା ଓ ଅପରାହ୍ଣ ୪ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପଢ଼ାଉଛନ୍ତି।

publive-image

ଏହି ଛାତ୍ରଛାତ୍ରୀମାନେ ଆଦିବାସୀ ସଂପ୍ରଦାୟର। ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥା‌ ଭଲ ନାହିଁ। ବର୍ଷା କାହାଠୁ କିଛି ପାରିଶ୍ରମିକ ନେଉନାହାନ୍ତି। ହେଲେ, ବିନା ଛୁଟିରେ ନିୟମିତ ଶିକ୍ଷାଦାନ କରିଚାଲିଛନ୍ତି। ବର୍ତ୍ତମାନର କରୋନା ସମୟରେ କିଭଳି ନିଜକୁ ତଥା ନିଜ ପରିବାର ଓ ପାଖପଡ଼ୋଶୀଙ୍କୁ ଏହି ମହାମାରୀ କବଳରୁ ସୁରକ୍ଷା ଦେଇହେବ ସେ ସଂପର୍କରେ ବି ସେ ପିଲାମାନଙ୍କୁ ସଚେତନ କରାଉଛନ୍ତି। ଏବେ ସ୍କୁଲ୍‌ ବନ୍ଦ ଥିବାବେଳେ ନିଜ ଗାଁ ପିଲାମାନଙ୍କୁ ପଢ଼ାଇବାରେ ଯେଉଁ ନିରୋଳା ଆନନ୍ଦ ମିଳୁଛି, ତାହା ଭାଷାରେ ପ୍ରକାଶ କରିହେବ ନାହିଁ ବୋଲି କହିଛନ୍ତି ବର୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe